Home Agriculture ରସୁଣ ଉତ୍ପାଦନରେ ସପ୍ତମ ସ୍ଥାନରେ ଓଡିଶା

ରସୁଣ ଉତ୍ପାଦନରେ ସପ୍ତମ ସ୍ଥାନରେ ଓଡିଶା

ଭୁବନେଶ୍ୱର : ରସୁଣ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ସପ୍ତମ ସ୍ଥାନରେ ରହିଛି । ରାଜ୍ୟରେ ବର୍ଷକୁ ୪୦ହଜାର ମେଟ୍ରିକ ଟନ୍‍ରୁ ଅଧିକ ରସୁଣ ଫଳୁଥିବାବେଳେ ଏହି ହାର କିନ୍ତୁ ଗତ ତିନିବର୍ଷ ଧରି ଏକ ପ୍ରକାର ସ୍ଥିର ରହିଛି ।

ଦେଶର ପ୍ରାୟ ୨୦ଟି ରାଜ୍ୟରେ ରସୁଣ ଉତ୍ପାଦିତ ହେଉଥିବାବେଳେ ମଧ୍ୟପ୍ରଦେଶ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ସମଗ୍ର ଦେଶରେ ଯେତିକି ରସୁଣ ଫଳୁଛି ତାହାର ଅଧାରୁ ଅଧିକ ରହିଛି ମଧ୍ୟପ୍ରଦେଶରେ । ଗତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ୩୧ଲକ୍ଷ ୮୪ହଜାର ମେଟ୍ରିକ ଟନ୍‍ ରସୁଣ ଉତ୍ପାଦିତ ହୋଇଥିବାବେଳେ କେବଳ ମଧ୍ୟପ୍ରଦେଶରୁ ୧୯ଲକ୍ଷ ଟନ୍‍ରୁ ଅଧିକ ଉତ୍ପାଦିତ ହୋଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ସୂଚନା ଦେଇଛନ୍ତି ।

ଏହି ସୂଚନା ଅନୁଯାୟୀ ରସୁଣ ଉତ୍ପାଦନ କ୍ଷେତ୍ରରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଆସାମ ଏବଂ ଓଡିଶା ରହିଛନ୍ତି । ଓଡିଶା ତଳକୁ ପଶ୍ଚିମବଙ୍ଗ, ହରିଆନା ଓ ମହାରାଷ୍ଟ୍ର ଭଳି ରାଜ୍ୟ ଅଛନ୍ତି ।

୨୦୧୭-୧୮ବର୍ଷରେ ଓଡିଶାରେ ପ୍ରାୟ ୧୧ହଜାର ହେକ୍ଟର ଜମିରେ ରସୁଣ ଚାଷ ହୋଇଥିବାବେଳେ ଉତ୍ପାଦିତ ହୋଇଥିଲା ପ୍ରାୟ ୩୫ହଜାର ମେଟ୍ରିକ ଟନ୍‍ । ତେବେ ଏହା ପରବର୍ଷ ୧୨.୪ ହଜାର ହେକ୍ଟର ଜମିରେ ରସୁଣ ଚାଷ ହୋଇ ୪୫ହଜାର ଟନ୍‍ରୁ ଅଧିକ ଉତ୍ପାଦିତ ହୋଇଥିଲା । ୨୦୧୯-୨୦ବର୍ଷରେ ରାଜ୍ୟରେ ରସୁଣ ଚାଷ ଓ ଉତ୍ପାଦନ ପୂର୍ବ ବର୍ଷ ସହିତ ସମାନ ରହିଥିଲା । କିନ୍ତୁ ଗତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ ରାଜ୍ୟରେ ରସୁଣ ଚାଷ ହେଉଥିବା ଜମିର ପରିମାଣ ୧୨.୧ ହଜାର ହେକ୍ଟରକୁ ହ୍ରାସ ପାଇବା ସହିତ ଉତ୍ପାଦନ ମଧ୍ୟ ୪୩ହଜାର ମେଟ୍ରିକ ଟନ୍‍କୁ ହ୍ରାସ ପାଇଛି ।

ଏକ ହେକ୍ଟରରୁ କମ୍‍ ପରିମିତ ଜମିରେ ରସୁଣ ଚାଷ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ କେରଳ, ନାଗାଲ୍ୟାଣ୍ଡ୍‍, ଜାମ୍ମୁକାଶ୍ମୀର ଆଦି ରହିଛନ୍ତି । ଏଠାରେ ଉତ୍ପାଦନ ପରିମାଣ ହଜାରେ ମେଟ୍ରିକ ଟନ୍‍ବି ଟପିପାରୁନାହିଁ ।

ମିଶନ ଫର୍‍ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍‍ ହର୍ଟିକଲଚର (ଏମ୍‍ଆଇଡିଏଚ୍‍) ଯୋଜନାରେ ଅଦା, ରସୁଣ ଓ ହଳଦୀ ପାଇଁ କେନ୍ଦ୍ର ସରକାର ଯୋଗାଇ ଦିଆଯାଇଥିବା ପାଣ୍ଠିରୁ ଓଡିଶା ସରକାର ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଛତିଶଗଡ ୪କୋଟି ୨୩ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ହରିଆନା ଏକ କୋଟି ୬୨ଲକ୍ଷ, ତାମିଲନାଡୁ ୨କୋଟି ୬୬ଲକ୍ଷ, ଉତ୍ତରପ୍ରଦେଶ ୫କୋଟି ୨୯ଲକ୍ଷ ଟଙ୍କା ବ୍ୟୟ କରିଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)