Home News in Odia ବଢୁଛି ସାଇବର ଠକେଇ

ବଢୁଛି ସାଇବର ଠକେଇ

ଭୁବନେଶ୍ୱର : ରାଜ୍ୟରେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ଏହି ଧରଣର ୧୧୫ଟି ମାମଲା ରୁଜୁ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୨୫୨ରେ ପହଞ୍ଚିଛି । ଆର୍ଥିକ ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଓଡିଶାରେ ଢେର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ରାଜ୍ୟରେ ୧୧୫ଟି ସାଇବର ଠକେଇ ମାମଲା ପଦାକୁ ଆସିଥିବାବେଳେ ଠକମାନେ ଲୋକଙ୍କ ଠାରୁ ୫୩ଲକ୍ଷ ଟଙ୍କା ଠକି ନେଇଥିଲେ । ୨୦୧୯-୨୦ ବର୍ଷରେ ରାଜ୍ୟରେ ସାଇବର ଠକେଇ ପ୍ରାୟ ୪ଗୁଣରୁ ଅଧିକ ହୋଇଯାଇଥିଲା । ସେହିବର୍ଷ ଓଡିଶାରେ ୫୮୧ଟି ସାଇବର ଠକେଇ ପଞ୍ଜିକୃତ ହୋଇଥିବାବେଳେ ଠକମାନେ ୩କୋଟି ୧୦ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ ।

ତେବେ ଏହାପରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଓ ଲୋକେ ସତର୍କ ହେବାକୁ ଠକେଇ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା । ୨୦୨୦-୨୧ ବର୍ଷରେ ରାଜ୍ୟରେ ୩୦୦ଟି ସାଇବର ଠକେଇ ହୋଇଥିବାବେଳେ ଲୋକଙ୍କର ପ୍ରାୟ ଏକ କୋଟି ୩୯ ଲକ୍ଷ ଟଙ୍କା ଠକମାନେ ନେଇଯାଇଥିଲେ । ଏହା ପରବର୍ଷ ଅର୍ଥାତ୍‍ ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ୨୫୨ଟି ସାଇବର ଠକେଇ ନଜରକୁ ଆସିଥିବାବେଳେ ଠକମାନେ ପାଖପାଖି କୋଟିଏ ଟଙ୍କା ଚଳୁ କରିସାରିଲେଣି ।

ତେବେ ରାଜ୍ୟ ସରକାର ସ୍ୱତନ୍ତ୍ର ସାଇବର ଥାନା ଗଠନ ସହିତ ସାଇବର ସେଲ୍‍କୁ ସତର୍କକରିବା ଫଳରେ ଏବେ ଠକମାନେ ନେଇ ଯାଉଥିବା ଅର୍ଥକୁ କିଛି ପରିମାଣର ଫେରାଇ ଆଣିବା ସମ୍ଭବ ହୋଇପାରୁଛି । ସାଇବର ଠକମାନେ ଯେଭଳି ଦିନକୁ ଦିନ ନୂଆ ନୂଆ ଉପାୟରେ ଠକୁଛନ୍ତି ସେଥିରେ ସାଧାରଣ ଲୋକେ ସଚେତନ ନହେଲେ ଏହାକୁ ପ୍ରତିହତ କରିବା ସମ୍ଭବପର ନୁହେଁ ବୋଲି ସାଇବର ବିଶେଷଜ୍ଞମାନେ କହୁଛନ୍ତି ।

ସାଇବର ଠକେଇ କ୍ଷେତ୍ରରେ ଦେଶର ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବାବେଳେ ଏହାକୁ ପଛକୁ ତାମିଲନାଡୁ ରହିଛି । ଚଳିତ ଆର୍ଥିକବର୍ଷର ଡିସେମ୍ବର ଶେଷ ସୁଦ୍ଧା ମହାରାଷ୍ଟ୍ରରେ ୧୯,୬୭୧ ଟି ସାଇବର ଠକେଇ ମାମଲା ହୋଇଥିବାବେଳେ ଠକମାନେ ୫୫.୮୯ କୋଟି ଟଙ୍କା ନେଇଗଲେଣି । ତାମିଲନାଡୁରେ ଏହି ସମୟ ମଧ୍ୟରେ ୫୨୯୨ ଟି ସାଇବର ଠକେଇ ହୋଇଥିବାବେଳେ ଠକମାନେ ୧୭କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାଯାଇଛି । ଏହି ସମୟରେ ଦିଲ୍ଲୀରେ ସାଇବର ଠକେଇ ସଂଖ୍ୟା ୫ହଜାର ଟପିଥିବାବେଳେ ଠକମାନେ ୨୦କୋଟିରୁ ଅଧିକ ଟଙ୍କା ଉଡାଇ ନେଇଛନ୍ତି ।

ସେହିଭଳି ଚଳିତ ଆର୍ଥିକ ବର୍ଷରେ ସାଇବର ଠକମାନେ ୬୨ଟି ବ୍ୟାଙ୍କର ହିତାଧିକାରୀଙ୍କ ଠାରୁ ୫୦ହଜାରରୁ ଅଧିକ ସାଇବର ଠକେଇ କରି ୧୬୭ କୋଟି ଟଙ୍କାରୁ ଅଧିକ ଅର୍ଥ ଲୁଟି ନେଇଥିବାବେଳେ ଏଥିରୁ ମାତ୍ର ୧୧.୭୦ କୋଟି ଟଙ୍କା ଫେରାଇ ଆଣିବାରେ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି । ତେବେ ସାଇବର ଠକଙ୍କ ନିଶାଣରେ ଘରୋଇ ବ୍ୟାଙ୍କ ରହିଥିବା ଜଣାଯାଇଛି । ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ୨୬,୨୬୭ ସାଇବର ଠକେଇ କୋଟାକ ମହିନ୍ଦ୍ରା ବ୍ୟାଙ୍କ୍‍ରେ ହୋଇଥିବାବେଳେ ଏଚ୍‍ଡିଏଫ୍‍ସିରେ ୪୧୭୪, ଆକ୍ସିସ ବ୍ୟାଙ୍କ୍‍ରେ ୪୩୪୫, ଆଇସିଆଇସିଆଇରେ ୩୦୨୬, ଆଇଡିବିଆଇ ୧୩୮୫ ଓ ଆମେରିକାନ ଏକ୍ସପ୍ରେସ ବ୍ୟାଙ୍କ୍‍ରେ ୧୯୧୧ଟି ଠକେଇ ହୋଇଛି ।

ଏହି ସମୟରେ ଭାରତୀୟ ଷ୍ଟେଟବ୍ୟାଙ୍କ୍‍ରେ ୨୧୯୫ ଠକେଇ ରେକର୍ଡ ହୋଇଛି । ସାଇବର ଠକମାନେ କ୍ରେଡିଟ୍‍କାର୍ଡ, ଡେବିଟ୍‍କାର୍ଡ, ନେଟ ବ୍ୟାଙ୍କିଙ୍ଗ ଆଦି ଜରିଆରେ ଏହିସବୁ ବ୍ୟାଙ୍କ୍‍ର ଗ୍ରାହକଙ୍କୁ ଠକିବାରେ ସଫଳ ହେଉଛନ୍ତି । (ତଥ୍ୟ)