ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଆଜି ଦୁଇଜଣ ନୂଆ ବିଚାରପତି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏଠାରେ ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏହାସତ୍ତ୍ୱେ ବି ଓଡ଼ିଶା ହାଇକୋର୍ଟରେ ଆଉ ୯ଟି ବିଚାରପତି ପଦବୀ ଖାଲି ପଡିଛି ।
ହାଇକୋର୍ଟରେ ମାମଲା ସଂଖ୍ୟା ପ୍ରାୟ ୧ଲକ୍ଷ ୯୦ ହଜାରକୁ ଟପିଥିବା ବେଳେ ଏଗୁଡିକର ଫଏସଲା ପାଇଁ ଅନ୍ୟୂନ ୪୨ଜଣ ବିଚାରପତିଙ୍କର ଆବଶ୍ୟକତା ରହିଛି ବୋଲି ଅଭିଜ୍ଞ ଆଇନଜୀବୀମାନେ କହୁଛନ୍ତି । ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡିକ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଚାକିରି ସଂକ୍ରାନ୍ତୀୟ ଓ ଏଥିରୁ ଅଧିକାଂଶରେ ରାଜ୍ୟ ସରକାର ପକ୍ଷଭୁକ୍ତ ଥିବାରୁ ସରକାରୀ ସ୍ତରରେ କର୍ମଚାରୀମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିଲେ ଅନ୍ୟୂନ ୫୦ ହଜାର ମାମଲା ରଫାଦଫା ହୋଇଯିବ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି ।
ବିଧାନସଭାର ଗତ ଅଧିବେଶନରେ ଆଇନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ୧,୯୦,୨୨୫ଟି ମାମଲା ବିଚାରାଧୀନ ରହିଛି । ହାଇକୋର୍ଟରେ ଥିବା ମାମଲାଗୁଡିକ ମଧ୍ୟରୁ ୧,୪୦,୨୯୮ଟି ଦେୱାନି ମାମଲା ଥିବାବେଳେ ୪୯,୧୧୭ଟି ଫୌଜଦାରୀ ମାମଲା ରହିଥିଲା । ଏଗୁଡିକ ମଧ୍ୟରୁ ପ୍ରାୟ ୪୪ ହଜାର ମାମଲା ୫ରୁ ୧୦ବର୍ଷ ଧରି ଗଡୁଥିବା ବେଳେ ପାଖାପାଖି ୨୮ ହଜାର ମାମଲା ୧୦ରୁ ୨୦ବର୍ଷ ଓ ପ୍ରାୟ ୫ ହଜାର ମାମଲା ୨୦ରୁ ୩୦ ବର୍ଷ ଧରି ଏବଂ ୯୪୦ଟି ମାମଲା ୩୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ରହିଥିବା ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ୍ ତଥ୍ୟରୁ ଜଣାପଡିଛି ।
ଏହି ତଥ୍ୟ ଅନୁଯାୟୀ ଏବେ ଓଡ଼ିଶାରେ ପାଖାପାଖି ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ଓ ତନ୍ମଧ୍ୟରୁ ପ୍ରାୟ ୧୩ ହଜାର ହେଉଛି ଫୌଜଦାରୀ ମାମଲା । ଫୌଜଦାରୀ ମାମଲାଗୁଡିକ ମଧ୍ୟରୁ ପ୍ରାୟ ୩୯ ପ୍ରତିଶତ ୫ ବର୍ଷରୁ ଅଧିକ କାଳ ଧରି ଗଡୁଛି । ଏମିତିକି ୨୦ରୁ ୩୦ବର୍ଷ ଓ ତଦୁର୍ଦ୍ଧ୍ୱ ସମୟ ଧରି ରାଜ୍ୟର କୋର୍ଟ କଚେରୀରେ ଦେୱାନି ଓ ଫୌଜଦାରୀ ମାମଲା ଝୁଲି ରହୁଛି ।
ଓଡ଼ିଶା ହାଇକୋର୍ଟର ମାମଲା ଚାପ ହ୍ରାସ ପାଉଥିବା ବେଳେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବା ପରେ ୬୦ ହଜାରରୁ ଅଧିକ ମାମଲାର ବୋଝ ହାଇକୋର୍ଟ ଉପରେ ଲଦି ହୋଇଯାଉଛି । ମୋଟାମୋଟି ଭାବେ ଓଡ଼ିଶା ହାଇକୋର୍ଟରେ ୭୦ ହଜାରରୁ ଅଧିକ ଚାକିରି ସଂକ୍ରାନ୍ତୀୟ ମାମଲା ବିଚାରାଧୀନ ଥିବା କୁହାଯାଉଛି ।
ସ୍ୟାଟରେ ୬ଜଣ ବିଚାରପତି ଭୁବନେଶ୍ୱର ଓ କଟକରେ ନିୟମିତ କୋର୍ଟ କରିବା ସହ ସମ୍ବଲପୁର ଓ ବ୍ରହ୍ମପୁରରେ ସର୍କିଟ କୋର୍ଟମାନ କରି ନିଯୁକ୍ତି, ପେନସନ ଓ ସରକାରୀ ଚାକିରି ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡିକ ଫଏସଲା କରୁଥିଲେ । ହାଇକୋର୍ଟରେ ଯେଉଁ ବିଚାରପତିମାନଙ୍କୁ ଚାକିରି ସଂକ୍ରାନ୍ତୀୟ ମାମଲାର ବିଚାର ପାଇଁ ଦିଆଯାଉଛି ସେମାନଙ୍କୁ ତାହା ସହିତ ଫୌଜଦାରୀ ସମେତ ଅନ୍ୟାନ୍ୟ କିସମର ମାମଲା ବି ଶୁଣିବାକୁ ହେଉଛି ।
ଏ ପରିପ୍ରେକ୍ଷୀରେ ହାଇକୋର୍ଟରେ ଅନ୍ୟୂନ ୮ଟି ସର୍ଭିସ୍ ବେଞ୍ଚ୍ ସ୍ଥାପନ କରି କେବଳ ଚାକିରି ସଂକ୍ରାନ୍ତୀୟ ମାମଲା ଏଥିରେ ଶୁଣାଣି କରିବା କିମ୍ବା ଏହା ହୋଇନପାରିଲେ ରାଜ୍ୟ ସରକାର ପୁଣି ସ୍ୟାଟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଏହାଛଡା ରାଜ୍ୟ ସରକାର ନିଯୁକ୍ତି, ପେନସନ ଏବଂ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତରେ ଯେତେସବୁ ଅଭିଯୋଗ ଆସୁଛି ଏକ ସ୍ୱତନ୍ତ୍ର ଫୋରମ ମାଧ୍ୟମରେ ସେସବୁର ଫଏସଲା କରାଯାଇ ପାରିଲେ ଆଇନ ଅଦାଲରୁ ମାମଲାର ବୋଝ କମିବ ବୋଲି ଆଶା ରାଯାଉଛି । ସେହିପରି ପ୍ରାୟ ସବୁ ଅପରାଧିକ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ରହିଥିବାରୁ ବ୍ୟବସ୍ଥାରେ ସଂଶୋଧନ ଆଣିଲେ ମାମଲା ସଂଖ୍ୟା କମିବ ବୋଲି ଆଶା କରାଯାଉଛି । (ତଥ୍ୟ)