Home Energy ବିଦ୍ୟୁତ୍‍ ଉତ୍ପାଦନରେ ଓଡ଼ିଶା ବଳକା

ବିଦ୍ୟୁତ୍‍ ଉତ୍ପାଦନରେ ଓଡ଼ିଶା ବଳକା

ଭୁବନେଶ୍ୱର : ପଡୋଶୀ ରାଜ୍ୟଗୁଡିକ ବିଦ୍ୟୁତ୍‍ ଦୃଷ୍ଟିରୁ ନିଅଣ୍ଟିଆ ସ୍ଥିତିରେ ଥିବାବେଳେ ଓଡ଼ିଶା ବିଦ୍ୟୁତ୍‍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇ ରହିଛି । ତେବେ ଜାତୀୟ ସ୍ତରରେ ବିଦ୍ୟୁତ୍‍ ବ୍ୟୟ ଅପେକ୍ଷା ଉତ୍ପାଦନ ଅଧିକ ଥିବାରୁ ଦେଶରେ ନିଅଣ୍ଟିଆ ବିଦ୍ୟୁତ ସ୍ଥିତି ନାହିଁ ।

କେନ୍ଦ୍ରୀୟ ବିଦ୍ୟୁତ୍‍ କର୍ତ୍ତୃପକ୍ଷ (ସିଇଏ)ର ଅନୁଧ୍ୟାନ ମୁତାବକ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଝାଡଖଣ୍ଡ ଭଳି ରାଜ୍ୟରେ ବ୍ୟବହାର ତୁଳନାରେ ଉତ୍ପାଦନ କମ୍‍ ରହୁଥିବାରୁ ଏଗୁଡିକ ବିଦ୍ୟୁତ୍‍ ନିଅଣ୍ଟିଆ ରାଜ୍ୟ ଭାବେ ଅଦ୍ୟାବଧି ରହିଛନ୍ତି । ତେବେ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୩୯ ହଜାର ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ଆବଶ୍ୟକ ଥିବାବେଳେ ଏଠି ୪୦,୪୮୭ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ଉତ୍ପାଦିତ ହେଉଛି । ଆବଶ୍ୟକତା ତୁଳନାରେ ଓଡ଼ିଶାରେ ୧,୪୮୭ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ଅଧିକ ଉତ୍ପାଦିତ ହେଉଛି ।

ସମଗ୍ର ଦେଶରେ ବର୍ଷକୁ ୧୫,୦୫,୧୯୮ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ଆବଶ୍ୟକ ଥିବାବେଳେ ଉତ୍ପାଦିତ ହେଉଛି ୧୫,୪୯,୫୯୭ ନିୟୁତ ୟୁନିଟ୍‍ । ଓଡ଼ିଶାରେ ଅକ୍ଷୟ ଶକ୍ତି ବିଦ୍ୟୁତ୍‍ ଉତ୍ପାଦନ ଲାଗି ବିିପୁଳ ସମ୍ଭାବନା ଥିବା ସିଇଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ୩୪ ହଜାର ମେଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିପାରିବ, ଯେଉଁଥିରୁ ପ୍ରାୟ ୨୬ ହଜାର ମେଗାୱାଟ ସୌର ବିଦ୍ୟୁତ୍‍ରୁ ଆସିପାରିବ । ତେବେ ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗରେ ଅକ୍ଷୟ ଶକ୍ତି ଉତ୍ପାଦନର ସମ୍ଭାବନା ବେଶ୍‍ କମ୍‍ ରହିଛି । ଝାଡଖଣ୍ଡ ଓ ତେଲେଙ୍ଗାନାରେ ବି ଅନୁରୂପ ଅବସ୍ଥା ।

ପବନ କଳ ମାଧ୍ୟମରେ ଓଡ଼ିଶା ୮ ହଜାର ମେଗାୱାଟରୁ ଅଧିକ ଓ କ୍ଷୁଦ୍ର ଜଳ ବିଦ୍ୟୁତ୍‍ ଯୋଜନା ମାଧ୍ୟମରେ ୨୮୬ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦନ କରିପାରିବ । ଏହାଛଡା ଓଡ଼ିଶାରେ ୨୪୬ ମେଗାୱାଟ ବାୟୋମାସ ଶକ୍ତି ଉତ୍ପାଦନ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସେମାନଙ୍କ ଆକଳନ ଅନୁଯାୟୀ ତେଲେଙ୍ଗାନା ୨୦,୪୧୦ ମେଗାୱାଟ ଓ ଆନ୍ଧ୍ର ୩୮,୪୪୦ ମେଗାୱାଟ ସୌରଶକ୍ତି ଉତ୍ପାଦନ କରିପାରିବେ ।

ଏଠାରେ ଉଲ୍ଲେଖନୀୟ ଯେ ତାପଜ ବିଦ୍ୟୁତ୍‍ ଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କୋଇଲାର ଧୂଆଁ ଯୋଗୁଁ ବ୍ୟାପକ ପ୍ରଦୂଷଣ ହେଉଛି । ଜଳ ବିଦ୍ୟୁତ ସମେତ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଉତ୍ପାଦନରେ କିନ୍ତୁ ପ୍ରଦୂଷଣର ଆଦୌ ସମ୍ଭାବନା ନାହିଁ । ଏହାକୁ ଆଖିଆଗରେ ରଖି ଏବେ ନୂଆ ତାପଜ ବିଦ୍ୟୁତ୍‍ କେନ୍ଦ୍ର ପରିବର୍ତ୍ତେ ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଉଛି ।

ଏଥିଲାଗି କେନ୍ଦ୍ର ସରକାରଙ୍କ ସଂପୃକ୍ତ ମନ୍ତ୍ରାଳୟ ଶିକ୍ଷିତ ଓ ତାଲିମପ୍ରାପ୍ତ ମାନବ ସମ୍ବଳ ସୃଷ୍ଟି ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇ ଆସୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ପୂର୍ବାପେକ୍ଷା ଏବେ ଲୋକେ ଅଧିକ ବିଦ୍ୟୁତ୍‍ ବ୍ୟବହାର କରୁଛନ୍ତି ଏବଂ ବର୍ଷକୁ ବର୍ଷ ବିଦ୍ୟୁତ୍‍ ବ୍ୟବହାର ବଢ଼ି ବଢ଼ି ଚାଲୁଥିବା ବେଳେ ସବୁ ଘରକୁ ବିଦ୍ୟୁତ୍‍ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱାରୋପ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଆଗାମୀ ଦିନର ବିଦ୍ୟୁତ୍‍ ଚାହିଦାକୁ ଆଖିଆଗରେ ରଖି ତାପଜ ବିଦ୍ୟୁତର ବିକଳ୍ପ ଗୁଡିକର ବିକାଶ ଦିଗରେ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । (ତଥ୍ୟ)