Home Economy ମାନବୀୟ ସୂଚକାଙ୍କରେ ଭାରତର ସ୍ଥାନ

ମାନବୀୟ ସୂଚକାଙ୍କରେ ଭାରତର ସ୍ଥାନ

ଭୁବନେଶ୍ୱର : ମାନବୀୟ ଉନ୍ନୟନ ସୂଚକାଙ୍କ (ଏଚ୍‍ଡିଆଇ) କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ୧୩୨ତମ ସ୍ଥାନକୁ ଖସିଛି । ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ୨୦୨୨-୨୩ ଆର୍ଥିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି ।

ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ୨୦୨୦ର ଏଚ୍‍ଡିଆଇ ସୂଚକାଙ୍କରେ ଭାରତର ସ୍ଥାନ ୧୩୦ ଥିବାବେଳେ ୨୦୨୧ରେ ତାହା ୧୩୨କୁ ଖସିଛି । ଏଚ୍‍ଡିଆଇ କ୍ଷେତ୍ରରେ ସୁଇଜରଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ନରୱେ ରହିଛି ଦ୍ୱିତୀୟରେ । ଭାରତ ୧୩୨ତମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ୧୮, ଜାପାନ ୧୯, ଯୁକ୍ତରାଷ୍ଟ୍ର ଆମେରିକା ୨୧, ଚୀନ ୭୯, ବ୍ରାଜିଲ୍‍ ୮୭, ଦକ୍ଷିଣଆଫ୍ରିକା ୧୦୯ ଓ ଇଣ୍ଡୋନେସିଆ ୧୧୪ରେ ରହିଥିବାର ତଥ୍ୟ ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ, ୟୁଏନ୍‍ଡିପିର ହ୍ୟୁମାନ୍‍ ଡେଭଲପ୍‍ମେଣ୍ଟ ରିପୋର୍ଟ ୨୦୨୨ ସେପ୍ଟେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଏବଂ ସେଥିରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି । ଲିଙ୍ଗଗତ ବୈଷମ୍ୟ କ୍ଷେତ୍ରରେ ଭାରତର ସ୍ଥାନ ୧୨୨ରେ ଥିବାବେଳେ ମଣିଷର ହାରାହାରି ପରମାୟୁ କ୍ଷେତ୍ରରେ ଭାରତ ମଧ୍ୟ ଅନେକ ରାଷ୍ଟ୍ରଠାରୁ ପଛରେ ରହିଛି । ଏହି ରିପୋର୍ଟର ତଥ୍ୟ ମୁତାବକ ସମଗ୍ର ବିଶ୍ୱରେ ମଣିଷର ହାରାହାରି ପରମାୟୁ ୭୧.୪ବର୍ଷ ଥିବାବେଳେ ଭାରତରେ ଏହା ରହିଛି ୬୭.୨ବର୍ଷ । ସୁଇଜରଲ୍ୟାଣ୍ଡ ଓ ଜାପାନରେ ମଣିଷର ହାରାହାରି ପରମାୟୁ ୮୪ବର୍ଷରୁ ଅଧିକ ହୋଇଥିବାବେଳେ ନରୱେରେ ୮୩ ଓ ବ୍ରିଟେନ୍‍ରେ ୮୦ବର୍ଷରୁ ଅଧିକ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ମଣିଷର ହାରାହାରି ପରମାୟୁ ୭୭ବର୍ଷ ଥିବାବେଳେ ଏହା ଚୀନରେ ୭୮ ଓ ବ୍ରାଜିଲ୍‍ରେ ୭୨ବର୍ଷରୁ ଅଧିକ ଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୨୦୧୭ ପିପିପିଏସ୍‍ ଆଧାରରେ ମୁଣ୍ଡ ପିଛା ହାରାହାରି ସାମଗ୍ରୀକ ଜାତୀୟ ଆୟ କ୍ଷେତ୍ରରେ ମଧ୍ୟ ଭାରତ ଏବେବି ବହୁ ରାଷ୍ଟ୍ରଠାରୁ ଢେର ପଛରେ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ବିଶ୍ୱ ଏଚ୍‍ଡିଆଇ-୨୦୨୧କୁ ଆଧାର କରି ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଆମ ଦେଶର ମୁଣ୍ଡପିଛା ହାରାହାରି ସାମଗ୍ରୀକ ଜାତୀୟ ଆୟ ୬,୫୯୦ଟଙ୍କା ଥିବାବେଳେ ସୁଇଜରଲ୍ୟାଣ୍ଡ, ନରୱେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପରିମାଣ ଭାରତ ଠାରୁ ପ୍ରାୟ ୧୦ଗୁଣ ଅଧିକ ।

ବ୍ରିଟେନ୍‍ ଓ ଜାପାନର ଏହି ପରିମାଣ ଭାରତଠାରୁ ୪ଗୁଣ ଅଧିକ ଥିବାବେଳେ ଇଣ୍ଡୋନେସିଆ, ଦକ୍ଷିଣଆଫ୍ରିକା, ବ୍ରାଜିଲ୍‍ ଓ ଚୀନ ମଧ୍ୟ ଏକ୍ଷେତ୍ରରେ ଭାରତ ଠାରୁ ଢେର ଆଗରେ ଅଛନ୍ତି । ସାମଗ୍ରୀକ ଭାବରେ ବିଶ୍ୱରେ ମୁଣ୍ଡପିଛା ମୋଟ ଜାତୀୟ ଆୟର ପରିମାଣ ୧୬,୭୫୨ ଥିବାବେଳେ ଭାରତ ୬,୫୯୦ରେ ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକ ୬,୪୮୧ରେ ସୀମିତ ରହିଛନ୍ତି । ଦକ୍ଷିଣ ଏସୀୟ ରାଷ୍ଟ୍ର ଗୁଡିକ ମଧ୍ୟରେ ରହିଛନ୍ତି ଭାରତ ସମେତ ଆଫଗାନିସ୍ଥାନ, ବାଲାଂଦେଶ, ଭୁଟାନ, ଇରାନ୍‍, ମାଳଦୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ପ୍ରଭୃତି ।

ତେବେ ମାନବୀୟ ବିକାଶ କ୍ଷେତ୍ରରେ କୋଭିଡ୍‍ ମହାମାରୀ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଋଷିଆ-ୟୁକ୍ରେନ୍‍ ଯୁଦ୍ଧ ଯୋଗୁ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବିକାଶ ବାଧାପ୍ରାପ୍ତ ହୋଇଛି ଏବଂ ଏହାର ପ୍ରଭାବ ଏଚ୍‍ଡିଆଇ ଉପରେ ପଡିଛି ବୋଲି ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯାଇଛି । (ତଥ୍ୟ)