Home Election ଉପନିର୍ବାଚନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷା

ଉପନିର୍ବାଚନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷା

ଭୁବନେଶ୍ୱର : ପୁଲିସ ଗୁଳିରେ ମନ୍ତ୍ରୀ ନବକିଶୋର ଦାସ ନିହତ ହେବାପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଲାଗି ଉପନିର୍ବାଚନ ଏକ ପ୍ରକାର ନିଶ୍ଚିତ ହୋଇଛି । ନବ ଦାସଙ୍କ ଦଶାହ ଯାଇ ନଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ଉପନିର୍ବାଚନ ପାଇଁ ପ୍ରାକ୍‍ ପ୍ରସ୍ତୁତି ଆରମ୍ଭ ହୋଇଥିବାସ୍ଥଳେ ସମସ୍ତଙ୍କ ନଜର ରହିଛି ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ଉପରେ ।

ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯଦି ଲୋକସଭା ସହ ରାଜ୍ୟରେ ବିଧାନସଭା ନିର୍ବାଚନ କରାଯାଏ ତେବେ ତାହା ୨୦୨୪ ମାର୍ଚ୍ଚ-ଏପ୍ରିଲରେ ହେବାର ସମ୍ଭାବନା ରହିଛି । ଏ ପରିପ୍ରେକ୍ଷୀରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ସରିବାକୁ ଆଉ ବର୍ଷକରୁ ଅଧିକ ସମୟ ବାକି ଅଛି । ବ୍ୟବସ୍ଥା ମୁତାବକ ବିଧାନସଭା ଓ ଲୋକସଭାର ଆସନ ୬ମାସରୁ ଅଧିକ ସମୟ ଧରି ଖାଲି ରଖାଯିବା କଥା ନୁହେଁ ।

ଗତ ୪ ବର୍ଷ ମଧ୍ୟରେ ଷୋଡଶ ବିଧାନସଭାର କାର୍ଯ୍ୟକାଳ ଭିତରେ ଅନ୍ୟୁନ୍ୟ ୭ଟି ସ୍ଥାନରେ ଉପନିର୍ବାଚନ ହୋଇଛି । ଏ କ୍ଷେତ୍ରରେ ଝାର୍‍ସୁଗୁଡାରେ ଉପନିର୍ବାଚନ ହେଲେ ତାହା ଅଷ୍ଟମ ସ୍ଥାନରେ ରହିବ । ଏଠାରେ ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକସଙ୍ଗେ ଗଞ୍ଜାମର ହିଞ୍ଜିଳି ଓ ବରଗଡ଼ର ବିଜେପୁର ଆସନରୁ ନିର୍ବାଚିତ ହେବାପରେ ବିଜେପୁର ଆସନଟି ଛାଡି ଦେବାରୁ ସେଠାରେ ଉପନିର୍ବାଚନ ହୋଇଥିଲା । ଏହି ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ରୀତା ସାହୁ ଜିଣି ଏବେ ରାଜ୍ୟରେ ମନ୍ତ୍ରୀ ଅଛନ୍ତି ।

ବାଲେଶ୍ୱରର ବିଧାୟକ ଥିବା ବିଜେପି ନେତା ମଦନ ମୋହନ ଦତ୍ତଙ୍କର ଅକାଳ ବିୟୋଗ ଘଟିବାରୁ ସେଠାରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜେପି ଠାରୁ ଏହି ଆସନଟିକୁ ଛଡାଇ ଆଣିବାରେ ସମର୍ଥ ହୋଇଥିଲେ । ତିର୍ତ୍ତୋଲର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କର ଅକାଳ ବିୟୋଗ ଘଟିବାରୁ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଜୟ ତିଳକ ପିନ୍ଧିବାରେ ସମର୍ଥ ହୋଇଥିଲେ ।

ସେହିପରି ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ମହାପ୍ରୟାଣ ପରେ ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜୟ ହାସଲ କରିଥିଲେ । ବ୍ରଜରାଜନଗର ବିଜେଡି ବିଧାୟକ ଥିବା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଅକାଳ ମୃତ୍ୟୁ ଘଟିବାରୁ ସେଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ଆସିଛନ୍ତି ।

ଧାମନଗରର ବିଧାୟକ ତଥା ବିଜେପି ବିଧାୟକ ଦଳର ଉପନେତା ଥିବା ବିଷ୍ଣୁ ଚରଣ ସେଠୀଙ୍କର ଅସମୟରେ ବିୟୋଗ ଘଟିବାରୁ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପି ପ୍ରାର୍ଥୀ ଭାବେ ଜିଣିଥିଲେ । ଏହା ପରେ ପରେ ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ମୃତ୍ୟୁ ହେବାରୁ ସେଠାରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ତାଙ୍କ କନ୍ୟା ବର୍ଷା ସିଂବରିହା ବିଜୟିନୀ ହୋଇଛନ୍ତି ।

ପୂର୍ବରୁ ବିଜେଡି ନେତା କିଶୋର ମହାନ୍ତି ଝାରସୁଗୁଡାରୁ ନିର୍ବାଚିତ ହୋଇ ଆସୁଥିଲେ । ତେବେ ନିର୍ବାଚନୀ ରାଜନୀତିରେ ନବ ଦାସଙ୍କ ପ୍ରବେଶ ପରେ ସେ ଝାରସୁଗୁଡାରୁ ପରାସ୍ତା ହେଲେ ଓ ସେଠାରୁ ନବ ଦାସ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ । ୨୦୧୯ରେ ନବ ଦାସ ବିଜେଡିରେ ଯୋଗଦେଇ ପୁଣି ଝାରସୁଗୁଡାରୁ ନିର୍ବାଚିତ ହେବା ସହ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ । ଏବେ ନବଙ୍କ ଆକସ୍ମିକ ନିଧନ ପରେ ସେଠାରୁ ହେବାକୁ ଯାଉଥିବା ଉପନିର୍ବାଚନରେ ତାଙ୍କ ପରିବାରର କାହାକୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ।

ତେବେ ଶୋକାକୁଳ ବାତାବରଣ ଅବ୍ୟାହତ ରହିଥିବାରୁ ବିଜେଡି କିମ୍ବା ତାଙ୍କ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳି ନଥିଲେ ମଧ୍ୟ ଯେ କୌଣସି ସମୟରେ ଉପନିର୍ବାଚନ ଘୋଷଣା କରାଗଲେ ବିଜେଡି ସେଥିପାଇଁ ପ୍ରସ୍ତୁତ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ୭ଟି ବିଧାନସଭା ଉପନିର୍ବାଚନରୁ ୬ଟିରେ ବିଜେପି ହାରିଥିବା ଏବଂ ବରଗଡ ଲୋକସଭା ଆସନ ବିଜେପି କବ୍‍ଜାରେ ଥିବାବେଳେ ଏହି ସଂସଦୀୟ କ୍ଷେତ୍ର ମଧ୍ୟରେ ୪ବର୍ଷ ଭିତରେ ହୋଇଥିବା ୩ଟି ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍‍ କରିଥିବା ଦୃଷ୍ଟିରୁ ବିଜେପି ପାଇଁ ଝାରସୁଗୁଡା ମର୍ଯ୍ୟାଦାର ପ୍ରଶ୍ନ । ସେହିପରି ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ତୃତୀୟ ସ୍ଥାନକୁ ଖସାଇ କଂଗ୍ରେସ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବାରୁ ପଡୋଶୀ ଝାରସୁଗୁଡା ଉପରେ ବି କଂଗ୍ରେସର ନଜର ରହିଛି । (ତଥ୍ୟ)