ଭୁବନେଶ୍ୱର : ଖଣିଜ ପାଣ୍ଠି ଅର୍ଥ ବିନିଯୋଗରେ ମହୁଚାଷ ହୋଇଥିଲା ସୁନ୍ଦରଗଡ ଜିଲ୍ଲାରେ । ଲକ୍ଷ୍ୟ ଥିଲା ୧,୩୨,୫୦୦ କିଲୋଗ୍ରାମ ମହୁ ଉତ୍ପାଦନ ହେବ । ହେଲେ ହୋଇଥିଲା ମାତ୍ର ୧୬୮୧ କିଲୋଗ୍ରାମ । ମହୁ ଚାଷରେ ଲାଗିଥିବା କୋଟି କୋଟି ଟଙ୍କା ପାଣିରେ ପଡିଥିଲା । ଏଭଳି ଅନିୟମତା ଦର୍ଶାଯାଇଛି ସିଏଜିଙ୍କ ରିପୋର୍ଟରେ ।
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକମାନଙ୍କୁ ଆତ୍ମନିର୍ଭର କରିବାପାଇଁ ସୁନ୍ଦରଗଡ ଜିଲ୍ଲାରେ ମହୁଚାଷ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ଓଡିଶା ଜୀବିକା ମିଶନ ସହାୟତାରେ ଏହା କ।।ର୍ଯ୍ୟକାରୀ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟକାରିତା ରିପୋର୍ଟ ଅନୁଯାୟୀ ୧୩,୨୫୦ ମହୁମାଛି କଲୋନୀରୁ ପ୍ରଥମବର୍ଷରେ ୫୩,୦୦୦ କିଲୋଗ୍ରାମ ମହୁ, ଦ୍ୱିତୀୟ ବର୍ଷରେ ୭୯,୫୦୦ ଓ ତୃତୀୟ ବର୍ଷରେ ୧,୦୬,୦୦୦ କିଲୋ ମହୁ ଉତ୍ପାଦନର ଲକ୍ଷ୍ୟଥିଲା । ତେବେ ୨୦୨୨-୨୪ ବର୍ଷରେ ଡିଏମଏଫକୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛିଯେ ୧୦,୧୦୦ ମହୁମାଛୀ କଲୋନୀ ମଧ୍ୟରୁ ମାତ୍ର ୮୩୩ଜଣ ହିତାଧିକାରୀଙ୍କର ୪୧୬୫ଟି ଜୀବନ୍ତ ରହିଥିଲା । ନିର୍ଦ୍ଧାରିତ ୧,୩୨,୫୦୦କିଲୋ ମହୁ ବଦଳରେ ଏହାର ମାତ୍ର୧.୨୬ ପ୍ରତିଶତ ଅର୍ଥାତ୍ ୧୬୮୧ କିଲୋ ମହୁ ମିଳିଥିଲା । ଏଥିରେ ଡିଏମଏଫ୍ ପାଣ୍ଠିରୁ ପ୍ରାୟ ୧୧କୋଟି ଟଙ୍କାର ଅପଚୟ ହୋଇଥିଲା ।
ପ୍ରକଳ୍ପ ବିଫଳତାର ସତ୍ୟତା ଯାଞ୍ଚ ସମୟରେ ଦେଖାଯାଇଥିଲା ଯେ ରାଜଗାଙ୍ଗପୁର ବ୍ଲକର ତିନିଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିରେ ମହୁମାଛି ପଳାଇଯିବା ଓ ବିରୁଡି ଆକ୍ରମଣ ଯୋଗୁଁ ମହୁମାଛି ବାକ୍ସଗୁଡିକ ଅବ୍ୟବହୃତ ହୋଇ ପଡି ରହିଥିଲା ।
ତେବେ ଏଭଳି ଅନିୟମିତତା ସଂକ୍ରାନ୍ତରେ ସରକାର ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ ଯେ ହିତାଧିକାରୀମାନଙ୍କ ଦ୍ୱାରା ୧୫୦୦କିଲୋଗ୍ରାମ ମହୁ ଉତ୍ପାନ କରାଯାଇଥିଲା । ସମସ୍ତ ଅଂଶୀଦାରଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା ଯାହାଦ୍ୱାରା ହିତାଧିକାରୀମାନଙ୍କ ମହୁ ସଂଗ୍ରହ,ତାଲିମ ଓ ବିପ୍ପଣନ କରାଯାଇ ପାରିବ । ସିଏଜି କହିଥିଲେ ଯେ ଏଭଳି ଉତ୍ତର ଯୁକ୍ତିଯୁକ୍ତ ନୁହେଁ କାରଣ ପ୍ରକଳପରେ ଅଯୋଗ୍ୟ ପ୍ରଶିକ୍ଷକଙ୍କ ନିଯୁକ୍ତି ଯୋଗୁଁ ତାଲିମରେ ଅଭାବ, ମହୁମାଛି କଲୋନୀ ଯୋଗାଣ ବିନା ମହୁମାଛି ବାକ୍ସ ଯୋଗାଣ, ମହୁମାଛି କଲୋନୀ ଯୋଗାଣ ବିନା ମଧ୍ୟ ବାର୍ଷିକ ରକ୍ଷଣା ବେକ୍ଷଣ ଦେୟ ପ୍ରଦାନ ଏବଂ ମହୁମାଛି ବାକ୍ସର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲଭି ବହୁ ଅନିୟମିତତା ହୋଇଥିଲା ।
ଉଲ୍ଲେଖନୀୟ ଯେ ମହୁମାଛ ବାକ୍ସର ରକ୍ଷଣା ବେକ୍ଷଣ ସହିତ ମହୁମାଛି ଓଢଣା ପାଇଁ ୯୯୯ ଟଙ୍କା ଏବଂ ହାତ ଗ୍ଲୋଭସ୍ ପାଇଁ ୩୫୦ ଟଙ୍କା କରି ପ୍ରଦାନ କରାଯାଇଥିଲା । ଏ ବାବଦରେ ୧୩,୨୫୦ ଟି ମହୁବାକ୍ସ ପାଇଁ ୧କୋଟି ୭୮ଲକ୍ଷ ଟଙ୍କା ଦିଆଯାଇଥିଲା । ହେଲେ ଅଧିକାଂଶ ସ୍ଥାନରେ ମହୁ ବାକ୍ସ ଅବ୍ୟବହୃତ ହୋଇ ପଡିରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଅର୍ଥ ପ୍ରଦାନ କରିଥିଲେ । ଏହା ଫଳରେ ଡିଏମଏଫ୍ ପାଣ୍ଠିର ଅପଚୟ ହୋଇଥିଲା । (ତଥ୍ୟ)

