ଭୁବନେଶ୍ୱର : ଦିନ ଛୋଟ ହୋଇ ସଅଳ ସଂଧ୍ୟା ହେଉଥିଲେ ମଧ୍ୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଏମସି)ର ଷ୍ଟ୍ରିଟଲାଇଟ୍ଗୁଡିକ ବହୁ ସ୍ଥାନରେ ବିଳମ୍ବରେ ଜଳୁଛି । ଷ୍ଟ୍ରିଟ୍ ଲାଇଟ୍ଗୁଡିକ ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ପରିବର୍ତ୍ତନ କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି ।
ବିଏମ୍ସିର ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ରେ ‘ଟାଇମିଂ’ ଦିଆଯାଇଛି । ଏହା ଏକ ନିର୍ଦ୍ଦିଷ୍ଟ ସମୟରେ ଜଳିବା ସହିତ ଲିଭିଥାଏ । ଖରାଦିନେ ଏଗୁଡିକ ସଂଧ୍ୟା ସମୟରେ ଜଳୁଥିବାବେଳେ ଏବେ ଅକ୍ଟେବାର ମାସରେ କେଉଁଠି ସଂଧ୍ୟା ପରେ ତ ଆଉ କେଉଁଠି ବିଳମ୍ବିତ ସଂଧ୍ୟାରେ ଜଳୁଛି ।
ଖୋଦ୍ ବିଏମସି ମୁଖ୍ୟାଳୟ ନିକଟରେ ଏଭଳି ଅବସ୍ଥା । ବିଏମସି ଦପ୍ତର ସମ୍ମୁଖରେ ରହିଛି ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ । ଏହି ବିଦ୍ୟାଳୟର ଦ୍ୱିତୀୟ ଭାଗ ସଂଧ୍ୟା ୬ଟା ରେ ଛୁଟି ହୋଇଥାଏ । ପିଲାମାନେ ବିଦ୍ୟାଳୟରୁ ବାହାରିଲା ବେଳକୁ ୬ଟା ୧୫ ହୋଇଥାଏ । ହେଲେ ଏହି ସମୟରେ ବିଦ୍ୟାଳୟ ଆଖପାଖ କିଟି କିଟି ଅନ୍ଧାର । ପିଲାଏ ଅଭିଭାବକ କିମ୍ବା ନିଜ ନିଜ ସ୍କୁଲ ଗାଡିକୁ ସହଜରେ ଖୋଜି ପାଉନାହାନ୍ତି । ନିକଟରେ ଷ୍ଟ୍ରିଟ୍ ଲାଇଟ୍ ରହିଛି । ହେଲେ ଏଥିରେ ଯେଉଁ ସମୟ ସ୍ଥିର ହୋଇଛି ସେଥିରେ କିଏ ୬.୧୫ ରେ ଜଳୁଛି ତ ଆଉ କିଏ ୬.୩୦ରେ ।
ସହରରେ ବହୁ ସ୍ଥାନରେ ଏଭଳି ସ୍ଥିତି । ତେଣୁ ବିଏମସି କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ସମୟରେ ପରିବର୍ତ୍ତନ କରିବା ଆବଶ୍ୟକ । ନହେଲେ ଯେଉଁ ଉଦ୍ଦେଶ୍ୟ ନେଇ ରାସ୍ତାପାଶ୍ୱର୍ ଖୁଣ୍ଟରେ ଲାଇଟ୍ ଲଗାଯାଇଛି ତାହା ସାଧିତ ହେବନାହିଁ ।
ସେହିଭଳି ସହରର ବିଭିନ୍ନ ସ୍ଥାନରେ ଏବେ ଅଚଳ ଲାଇଟ୍ଗୁଡିକୁ ମଧ୍ୟ ଠିକଣା ସମୟରେ ମରାମତି କରାଯାଉ ନାହିଁ । ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ ବିଳମ୍ବ ହେଉଛି । ସହରର ଆଲୋକବ୍ୟବସ୍ଥାର ରକ୍ଷଣାବେକ୍ଷଣ ଠିକାନେଇଥିବାର କାର୍ଯ୍ୟ ଅବଧି ସରିଥିବା ଓ ନୂଆ ସଂସ୍ଥା ଦାୟିତ୍ୱ ନେଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ୱାର୍ଡ ଅଫିସରଙ୍କ ଠାରୁ ଆରମ୍ଭକରି ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । ସହରରେ ପାର୍ବଣ ପରିବେଶ ଆରମ୍ଭ ସହିତ ଗଳିକନ୍ଦିରେ ଏବେ ନିଶାଡିମାନଙ୍କ ଉତ୍ପାତ ବଢିବାରେ ଲାଗିଛି । ଯେଉଁସବୁ ସ୍ଥାନରେ ଷ୍ଟ୍ରିଟଲାଇଟ୍ ଜଳୁନାହିଁ ସେଠାରେ ଏହି ନିଶାଡମାନେ ଉତ୍ପାତ କରୁଛନ୍ତି ।
ତେଣୁ ପାର୍ବଣ ପୂର୍ବରୁ ଯେତେଶୀଘ୍ର ସମ୍ଭବ ସହରର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ମରମତି ସହିତ ଯେଉଁସବୁ ସ୍ଥାନରେ ସଚଳ ଆଲୋକ ବ୍ୟବସ୍ଥା ରହିଛି ତାହାର ସମୟକୁ ପୁନଃ ଧାର୍ଯ୍ୟ କରାଯିବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)

