Home Health ମଶାବଂଶ ବୃଦ୍ଧି କରୁଛି ବସ୍ତିର ବର୍ଜ୍ୟଜଳ

ମଶାବଂଶ ବୃଦ୍ଧି କରୁଛି ବସ୍ତିର ବର୍ଜ୍ୟଜଳ

ଭୁବନେଶ୍ୱର : ଡେଙ୍ଗୁ ପ୍ରକୋପକୁ ଦେଖି ମଶା ବଂଶ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଣ୍ଟା ଭିଡିଥିବାବେଳେ ବସ୍ତିଗୁଡିକର ବର୍ଜ୍ୟଜଳ ଓ ଗୋପାଳନ ଏହାର ଅନ୍ୟତମ ମୁଖ୍ୟକାରଣ ବୋଲି କୁହାଯାଉଛି । ବସ୍ତିକୁ ପାଇପଯୋଗେ ଜଳଯୋଗାଣ ହେଉଥିବାବେଳେ ବ୍ୟବହୃତ ଜଳ ନିଷ୍କାସନ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ଅଧିକାଂଶ ସ୍ଥାନରେ ଜଳ ଜମାହୋଇ ଉଭୟ ସାଧାରଣ ମଶା ଓ ଏଡିସ୍‍ ମଶା ଜନ୍ମର ଏନ୍ତୁଡିଶାଳ ପାଲଟିଛି ।

ରାଜଧାନୀର ସରକାରୀ ସ୍ୱକୃତୀପ୍ରାପ୍ତ ପ୍ରାୟ ୪ଶହ ବସ୍ତି ଥିବେବେଳେ ଅଣସ୍ୱୀକୃତିପ୍ରାପ୍ତ ଓ ବେଆଇନ୍‍ ବସ୍ତିକୁ ମିଶାଇ ଏହା ହଜାରେ ଟପିଗଲାଣି । ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ଯୋଜନାରେ ବସ୍ତି ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରକୁ ପାଇପ୍‍ ଜଳ ଯୋଗାଣ ହେଉଛି । ତେବେ ଲୋକେ ବ୍ୟବହାର କରୁଥିବା ଏହି ଜଳ କେଉଁଆଡେ ନିଷ୍କାସନ ହେବ ତାହାର ବିଧିବଦ୍ଧ ବ୍ୟବସ୍ଥା ନାହିଁ । ଅଧିକାଂଶ ବସ୍ତିରେ ସ୍ୱରେଜ ସୁବିଧା ନଥିବାରୁ ଲୋକେ ନିଜସ୍ୱ ପାଇଖାନା ଟାଙ୍କି କରିଛନ୍ତି । ଟାଙ୍କ ଭର୍ତ୍ତିହେବା ଭୟରେ ଲୋକେ ଗାଧୁଆ ଓ ବାସନଧୁଆ ପାଣିକୁ ଘର ନିକଟରେ ଜମାକରି ଦେଉଛନ୍ତି । ଏହିଠାରେ ହିଁ ମଶାବଂଶ ସୃଷ୍ଟି ହେଉଛନ୍ତି ।

ସେହିଭଳି ଆଉ କିଛି ବସ୍ତିବାସିନ୍ଦା ବର୍ଜ୍ୟଜଳକୁ ଛାଡିବାପାଇଁ ସ୍ୱରେଜ ଟାଙ୍କି କଣାକରି ଦେଉଛନ୍ତି । ଏକାଧିକ ସ୍ଥାନରେ ସ୍ୱରେଜ ଲାଇନ୍‍ ଭଙ୍ଗାଯାଉଥିବାରୁ ମଶାବଂଶ ବୃଦ୍ଧିରେ ବି ଏହା ସହାୟକ ହେଉଛି । ବର୍ତ୍ତମାନ ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଏପରିକି କନଜରଭେନ୍ସିରେ ବେଆଇନ୍‍ ଘର ତିଆରି କରୁଥିବାଲୋକେ ଏଭଳି ବେଆଇନ୍‍ କାର୍ଯ୍ୟରେ ମାତିଛନ୍ତି ।

ସେହିଭଳି ସହର ସାରା ଗୋପାଳନ ଯୋଗୁଁ ଗଦା ହୋଇ ରହୁଥିବା ଟନ୍‍ ଟନ୍‍ ଗୋବର ହିଁ ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି । ଗୋପାଳନ ଯୋଗୁଁ କେବଳ ଗୋବର ଗଦାହୋଇ ରହୁନାହିଁ ଗୋମୂତ୍ର ଓ ଗୁହାଳର ବର୍ଜ୍ୟଜଳ ଆଖପାଖରେ ଭାସୁଛି । ବିଭିନ୍ନ ୟୁନିଟ୍‍ରେ ସରକାରୀ କଲୋନୀ ମଝିରେ ଥିବା ଏହି ଗୁହାଳଗୁଡିକ ଏବେ ମଶାବଂଶ ବୃଦ୍ଧିରେ ସହାୟକ ହେଉଥିବାବେଳେ ଏମାନଙ୍କୁ ସ୍ଥାନାନ୍ତର କିମ୍ବା ବର୍ଜ୍ୟଜଳ ନିଷ୍କାସନ ପାଇଁ ବିଏମ୍‍ସି କୌଣସି ପଦକ୍ଷେପ ନେଉନାହିଁ । ଲୋକଙ୍କୁ ପାଇପ୍‍ ଯୋଗେ ଜଳଯୋଗାଣ କରି ପ୍ରଶାସନ ନିଜର ପାଇଟି ସାରି ଦେଉଛି ।

ଖୋଦ୍‍ ରାଜଧାନୀରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଥିବାବେଳେ ପ୍ରତିଦିନ ଏହା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ମଶାବଂଶ ନିୟନ୍ତ୍ରଣ ପାଇଁ ବିଏମ୍‍ସି ପଦକ୍ଷେପ ନେଉଥିବାବେଳେ ଏହାର କାରଣ ଖୋଜିବାକୁ କାହାରି ନିକଟରେ ବେଳନାହିଁ । ୱାର୍ଡ ସ୍ତରରେ ଥିବା ଅଧିକାରୀମାନେ ତୁରନ୍ତ ଏଭଳି ବେଆଇନ୍‍ ସ୍ୱରେଜ ସଂଯୋଗ ସହିତ ଜମାହୋଇ ରହୁଥିବା ଜଳ, ଗୋବର ଓ ବର୍ଜ୍ୟଜଳ ନିଷ୍କାସନ ପାଇଁ ପଦକ୍ଷେପ ନନେଲେ ମଶାଙ୍କୁ ରୋକିବା ପ୍ରଶାସନ ପକ୍ଷରେ କାଠିକରପାଠ ହୋଇଯିବ । (ତଥ୍ୟ)