Home Covid ଅଧିକ କ୍ଷତି କରିବ ଢିଲାପଣ

ଅଧିକ କ୍ଷତି କରିବ ଢିଲାପଣ

ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଢିଲାପଣ ଯୋଗୁଁ ଦ୍ୱିତୀୟ ଲହର ଠାରୁ ଏହା ଅଧିକ କ୍ଷତି ଘଟାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଏବେ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୭ହଜାର ଟପିଥିବାବେଳେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ପାଖପାଖି ୩କୋଟି ୧୬ଲକ୍ଷ ହେଲାଣି । ଏବେ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ସରକାରୀଭାବେ ୫୯୦୦ ଟପିଥିବାବେଳେ ସାରା ଦେଶରେ ଏହା ୪ଲକ୍ଷ ୨୪ହଜାରକୁ ଅତିକ୍ରମ କରିସାରିଲାଣି । ସଂକ୍ରମଣ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଶୀର୍ଷରେ ଥିବାବେଳେ ଭାରତ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି । ତେବେ କରୋନା ମୃତ୍ୟୁକ୍ଷେତ୍ରରେ ଭାରତ ଏବେ ବି ବିଶ୍ୱରେ ତୃତୀୟସ୍ଥାନରେ ଅଛି ।

ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏବେ ଓଡିଶାରେ କରୋନା ସ୍ଥିତି ଅପେକ୍ଷାକୃତ ଭଲ ଥିବାବେଳେ ତିନିଟି ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟତ୍ର ଏହା ନିୟନ୍ତ୍ରଣାଧିନ ଥିବା କୁହାଯାଉଛି । ଓଡିଶାରେ କରୋନାର ତୃତୀୟ ଲହର ସଂକ୍ରମଣ ସମ୍ଭାବନା ନାହିଁ ବୋଲି କିଛିଦିନ ତଳେ ସରକାରୀ ଅଧିକାରୀମାନେ କହୁଥିବାବେଳେ ଏବେ କିନ୍ତୁ କେରଳରେ ଯେଭଳି ପୁଣି କରୋନା ସଂକ୍ରମଣ ବଢୁଛି ଏବଂ ଚୀନ୍‍ ଓ ଆମେରିକା ଭଳି ରାଷ୍ଟ୍ରରେ ଏହା ପୁଣି କାୟା ମେଲାଉଛି ସେଥିରୁ ଓଡିଶାକୁ ତୃତୀୟ ଲହର ସଂକ୍ରମଣ ଯେକୌଣସି ସମୟରେ ଆସିପାରେ ।

ଦେଶ ତଥା ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଅବ୍ୟାହତ ରହିଥିଲେ ମଧ୍ୟ ଆବଶ୍ୟକତା ମୁତାବକ ଟିକା ମିଳୁନଥିବାରୁ ଏଯାବତ୍‍ ଜନସଂଖ୍ୟାର ଏକ ତୃତୀୟାଂଶକୁ ବି ଦୁଇ ଡୋଜ୍‍ ଟିକା ଦିଆଯାଇ ପାରିନାହିଁ । ଏଣେ ଟିକା ନେଉଥିବା ବ୍ୟକ୍ତିଙ୍କୁ କରୋନା ହେଉଥିଲେ ମଧ୍ୟ କରୋନା ମୃତକଙ୍କ ମଧ୍ୟରେ ୯୫ ପ୍ରତିଶତ ଟିକା ନେଇନଥିବା ବ୍ୟକ୍ତି ରହୁଛନ୍ତି । ତେଣୁ କରୋନା ପ୍ରକୋପରୁ ବର୍ତ୍ତିବାପାଇଁ ଟିକାକରଣ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ପ୍ରମୁଖ ଉପାୟ । କିନ୍ତୁ ରାଜ୍ୟକୁ ଚାହିଦା ମୁତାବକ ଟିକା ମିଳିପାରୁନଥିବାରୁ ଅନେକ ଦିନ ବହୁ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି ।

ଗତବର୍ଷ ଜାନୁୟାରୀରେ ଭାରତରେ ଓ ମାର୍ଚ୍ଚରେ ଓଡିଶାରେ କରୋନା ରୋଗୀ ଚିହ୍ନିତ ହୋଇଥିଲେ । ଏହା ପୂର୍ବରୁ ୨୦୧୯ର ଶେଷ ଭାଗରେ ଚୀନ୍‍ରେ ବହୁ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇଥିଲେ । ଦେଢବର୍ଷ ନପୁରୁଣୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ଓ ରାଜ୍ୟରେ ୯ଲକ୍ଷ ୭୭ହଜାରକୁ ଟପିଥିବା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣର ଲହର ଯଦି ଓଡିଶାରେ ପ୍ରବାହିତ ହୁଏ ତେବେ ତାହାଦ୍ୱାରା କେତେ ଲୋକ ସଂକ୍ରମିତ ହେବେ ତାହା ଏବେଠାରୁ କଳନା କରିବା ସମ୍ଭବପର ନୁହେଁ ବୋଲି ଡାକ୍ତରମାନେ କହୁଛନ୍ତି ।

ତେବେ ବୈଜ୍ଞାନିକମାନେ ମତ ଦେଉଛନ୍ତି ଯେ କରୋନା ସଂକ୍ରମଣକୁ ଏଡାଇବାପାଇଁ ଯେତେସବୁ ସର୍ତକତା ରହିଛି ତାହାର ଠିକଣା ଅନୁପାଳନ କରାନଯିବା ଫଳରେ ଏହି ମହାମାରୀ ଉଗ୍ରରୂପ ନେଉଛି । ଏ ପରିପ୍ରେକ୍ଷୀରେ ଜନସାଧାରଣ ଓ ପ୍ରଶାସନ କୋହଳ ହେବା ପରିବର୍ତ୍ତେ କରୋନାକୁ ପ୍ରତିହତ କରିବାପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ବୈଜ୍ଞାନିକ ଓ ଚିକିତ୍ସକମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)