ଭୁବନେଶ୍ୱର : ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀରେ ବାଜି ଲଗାଇ ହଜାର ହଜାର ଆଶାୟୀ କୋଟି କୋଟି ଟଙ୍କା ହରାଉଛନ୍ତି । ଏହି ଅର୍ଥ ସେମାନେ କେଉଁଠୁ ଓ କିପରି ଭରଣା କରିବେ ଏ ଚିନ୍ତା ଏବେ ମଦ ଲଟେରୀ ହାରିଥିବା ଲୋକଙ୍କର ।
ପୂର୍ବରୁ ମଦ ଦୋକାନ ସବୁ ନିଲାମ ହେଉଥିଲା । ଆଉ ଗୋଟିଏ ସମୟରେ ନିଲାମ ନକରି ମଦ ଦୋକାନୀଙ୍କଠାରୁ ପ୍ରତିବର୍ଷ କିଛି କିଛି ଅଧିକ ଲାଇସେନ୍ସ ଫି’ ଆଦାୟ କରାଗଲା । ଏଥର ନୂଆ ଅବକାରୀ ନୀତି ଅନୁଯାୟୀ ସରକାର ଲଟେରୀ ମାଧ୍ୟମରେ ଉଭୟ ଦେଶୀ ଓ ବିଦେଶୀ ମଦଦୋକାନାଗୁଡ଼ିକର ଲାଇସେନ୍ସ ପ୍ରଦାନ କରିବାକୁ ଯାଉଛନ୍ତି । ଏବେ ସାରା ରାଜ୍ୟରେ ଲଟେରୀ ମାଧ୍ୟମରେ ମଦ ଦୋକାନ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାମ ଚାଲିଛି । ଏ ବାବଦରେ ସରକାର ପୂର୍ବ ବର୍ଷ ତୁଳନାରେ ଢେର ଅଧିକ ଆୟ କରିବେ ବୋଲି ଆଶା କରାଯାଉଛି ।
ଲଟେରୀ ମାଧ୍ୟମରେ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ କରାଯିବ ବୋଲି ଜଣାପଡିବା ପରେ ଉଭୟ ଦେଶୀ ଓ ବିଦେଶୀ ମଦ ଦୋକାନୀମାନଙ୍କ ଚିନ୍ତା ବଢ଼ିଯାଇଥିଲା । ମଦ ବ୍ୟବସାୟରୁ କୋଟି କୋଟି ଟଙ୍କାର ମୁନାଫା ଯେଉଁମାନେ ବର୍ଷବର୍ଷ ଧରି ଉଠାଇଛନ୍ତି ସେମାନେ ଯେ କୌଣସି ପ୍ରକାରେ ଲଟେରୀ ଜିଣି ନିଜନିଜ ମଦ ଦୋକାନ ଲାଇସେନ୍ସକ ନିରାପଦ ରଖିବା ଲାଗି ଆପ୍ରାଣ ଉଦ୍ୟମ କରୁଥିବାବେଳେ ମଦ ବ୍ୟବସାୟରୁ ପ୍ରଚୁର ଲାଭ ଉଠାଇବା ଆଶା ରଖି ରାଜ୍ୟ ଭିତର ଓ ବାହାରରେ ବହୁ ବ୍ୟକ୍ତି ଏହି ଲଟେରୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଏବେ ଜଣାପଡୁଛି ଗୋଟିଏ ଗୋଟିଏ ମଦ ଦୋକାନ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଢେର ଅଧିକ ରହିବାର କାରଣ । ଯେଉଁମାନେ ମଦ ଦୋକାନ ଲାଇସେନ୍ସ ପାଇଛନ୍ତି ସେମାନଙ୍କ ଭିତରୁ ଅନେକ ନିଜ ପରିବାର, ଜ୍ଞାତି ପରିଜନ ଓ ଅନ୍ୟମାନଙ୍କ ନାମରେ ବି ଆବେଦନ କରିଛନ୍ତି । ସେହିଭଳି ନୂଆ ଲାଇସେନ୍ସ ପାଇବାକୁ ଇଚ୍ଛା କରିଥିବା ବ୍ୟକ୍ତିମାନେ ମଧ୍ୟ ଭିନ୍ନଭିନ୍ନ ନାମରେ ଏକାଧିକ ଆବେଦନ କରିଛନ୍ତି । ସରକାରଙ୍କ ଲଟେରୀ ବ୍ୟବସ୍ଥା ଅନୁଯାୟୀ ଦେଶୀ ମଦ ଦୋକାନ ଲାଗି ପ୍ରତ୍ୟେକ ଆବେଦନକାରୀ ଆବେଦନ ପତ୍ର ସହ ୨ଲକ୍ଷ ଟଙ୍କା ଓ ଭାରତ ତିଆରି ବିଦେଶୀ ମଦ ଦୋକାନ ପାଇଁ ୩ଲକ୍ଷ ଟଙ୍କା କରି ଜମା ଦେଉଛନ୍ତି ।
ଏହି ଅର୍ଥ ଜମା କଲେ ଯାଇ ସେମାନଙ୍କ ଆବେଦନ ଲଟେରୀ ପାଇଁ ଯୋଗ୍ୟ ବିବେଚିତ ହେଉଛି । ତେବେ ଗୋଟିଏ ମଦ ଦୋକାନ ପାଇଁ ହେଉଥିବା ଲଟେରୀ ଉଠାଣ ଜଣେ ଜିଣୁଥିବାବେଳେ ସ୍ଥଳ ବିଶେଷରେ ଏଥିପାଇଁ ହୋଇଥିବା ଆଉ ୧୫ରୁ ୩୦ ପର୍ଯ୍ୟନ୍ତ ଆବେଦନକାରୀଙ୍କ ନାମ ଲଟେରୀରେ ଆସୁନାହିଁ । ସର୍ତ୍ତ ମୁତାବକ ଲଟେରୀରେ ନାମ ଉଠୁ କି ନଉଠୁ ଏହି ୨ଲକ୍ଷ ଓ ୩ଲକ୍ଷ ଟଙ୍କାର ଆବେଦନ ଫିସ୍ ଫେରସ୍ତ ଦିଆଯିବ ନାହିଁ ଓ ତାହା ସରକାରୀ ତହବିଲରେ ହିଁ ରହିଯିବ । ଫଳରେ ଯେଉଁମାନଙ୍କର ଲଟେରୀ ଉଠିଛି ସେମାନଙ୍କର ଆଉ ୫/୧୦ଟି କା’ଆବେଦନ ନାମଞ୍ଜୁର ହେଲେ ବି ଦୁଃଖ ନାହିଁ । କିନ୍ତୁ ଯେଉଁମାନଙ୍କ ନାମ ଲଟେରୀରେ ଉଠୁନାହିଁ ସେମାନଙ୍କ ସଂପୂର୍ଣ୍ଣ ଅର୍ଥ ବୁଡ଼ିଯିବ ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ନିଶାଡ଼ିଙ୍କ ହାର ଜାତୀୟ ହାର ତୁଳନାରେ ଏମତିକି ଗୁଜରାଟ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ ଆଦି ବହୁ ରାଜ୍ୟ ତୁଳନାରେ ଢେର ଅଧିକା ରହୁଛି । ଓଡ଼ିଶାରେ ବି ତମାଖୁ ସେବନକାରୀଙ୍କ ହାର ଅଧିକ । ନିଶାଡ଼ିଙ୍କ ଚାହିଦା ମେଣ୍ଟାଇବା ପାଇଁ ବିପୁଳ ପରିମାଣର ଚୋରା ନିଶା କାରବାର ମଧ୍ୟ ବଳବତ୍ତର ରହିଛି । ଏ ପରିପ୍ରେକ୍ଷୀରେ ଲୋକେ ମରନ୍ତୁ ପଛେ ମଦ ବେପାରରୁ ଫାଇଦା ଉଠାଇବା ପାଇଁ କିନ୍ତୁ ବେଶ୍ ତତ୍ପରତା ଲକ୍ଷ୍ୟ କରାଯାଉଛି ।(ତଥ୍ୟ)

