Home General ନିର୍ବାଚନ ପରେ ଖାସି ସଙ୍କଟ

ନିର୍ବାଚନ ପରେ ଖାସି ସଙ୍କଟ

ଭୁବନେଶ୍ୱର : ରାଜଧାନୀରେ ଏବେ ଖାସି ମାଂସ ସଙ୍କଟ । ପଡୋଶୀ ପଶ୍ଚିମବଙ୍ଗ ସମେତ ସୀମାନ୍ତ ଜିଲ୍ଲାରୁ ଖାସି ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଅଭାବ ଜାରି ରହିଲେ ଆଗାମୀ ଦିନରେ ରାଜଧାନୀରେ ମାଂସ ଦର ବଢିବ ବୋଲି ବ୍ୟବସାୟୀମାନେ ସୂଚନା ଦେଉଛନ୍ତି ।

ରାଜଧାନୀରେ ଏବେ ଖାସି ମାଂସ କିଲୋ ୮୦୦ ରୁ ୯୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପରଠାରୁ ଧିରେ ଧିରେ ମାଂସ ପାଇଁ ଖାସିମାନଙ୍କର ଅଭାବ ପରିଲକ୍ଷିତ ହୋଇଛି । ବ୍ୟବସାୟୀମାନଙ୍କର କହିବାକଥା ଯେ ରାଜଧାନୀର ମାଂସ ବଜାର ପାଇଁ ନିୟମିତ ଭାବେ ପଶ୍ଚିମବଙ୍ଗରୁ ଖାସିଗୁଡିକ ଟ୍ରକ ଯୋଗେ ଆସିଥାନ୍ତି । ଏହା ଏବେ ବନ୍ଦହୋଇ ଯାଇଛି ।

ନିର୍ବାଚନ ପରେ ଉଭୟ ପଶ୍ଚିମବଙ୍ଗ ଓ ଆସାମ ସରକାର ଗୋହତ୍ୟା ଉପରେ କଡା କଟକଣା ଲଗାଇଥିବାରୁ ସେହିସବୁ ରାଜ୍ୟରେ ଖାସିମାଂସର ଚାହିଦା ହଠାତ୍‍ ବଢିଯାଇଛି । ଫଳରେ ସେମାନେ ଅନ୍ୟ ରାଜ୍ୟକୁ ଖାସି ରପ୍ତାନି କରିବା ବଦଳରେ ଓଡିଶାରୁ ପଡୋଶୀ ଜିଲ୍ଲାରୁ ଖାସି ଆମଦାନୀ କରିବାରେ ଲାଗିଛନ୍ତି । ସେହଭଳି ପଶ୍ଚିମବଙ୍ଗର ଯେଉଁ ବ୍ୟବସାୟୀମାନେ ଓଡିଶାକୁ ଖାସି ରପ୍ତାନି କରୁଥିଲେ ସେମାନେ ଏବେ ଅଧିକ ଦରରେ ଆସାମକୁ ଖାସି ପଠାଇବାରେ ଲାଗିଛନ୍ତି । କାରଣ ଆସାମରେ ମଧ୍ୟ ଗୋହତ୍ୟା ଉପରେ କଟକଣା ଜାରି ପରେ ସେଠାରେ ଖାସି ମାଂସର ଚାହିଦା ଅହେତୁକ ଭାବରେ ବଢିଯାଇଛି ।

ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ଖାସି ମାଂସର ଚାହିଦା ବଢିଥିବାବେଳେ ଓଡିଶାର ବ୍ୟବସାୟୀମାନେ ଏବେ ସେହିସବୁ ରାଜ୍ୟକୁ ଖାସି ପଠାଇବା ଆରମ୍ଭ କରିଛନ୍ତି । ଫଳରେ ଯେଉଁସବୁ ଜିଲ୍ଲାରୁ ରାଜଧାନୀ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳକୁ ଖାସି ଆସୁଥିଲା ତାହାକୁ ବ୍ୟବସାୟୀମାନେ ନେଇ ଚାଲାଣ କରିବାରେ ଲାଗିଛନ୍ତି । ଚାହିଦା ବଢିଥିବାରୁ ଖାସି ସହିତ ମେଣ୍ଢାଗୁଡିକୁ ମଧ୍ୟ ବ୍ୟବସାୟୀମାନେ ଚଢା ଦରରେ ଖରିଦ କରୁଛନ୍ତି ।

ରାଜଧାନୀକୁ ଖାସି ଆସିବା ହ୍ରାସ ପାଇଥିବାରୁ ମାଂସ ବ୍ୟବସାୟୀମାନେ ଚିନ୍ତାରେ ଥିବାବେଳେ ଆଗାମୀ ଦିନରେ ଦର ବଢାଇବେ ବୋଲି ସୂଚନା ଦେଲେଣି । ବର୍ତ୍ତମାନ କିଛି ମାଂସ ଦୋକାନୀ ଚାହିଦା ମେଣ୍ଟାଇବାପାଇଁ ଖାସି ସହିତ ମେଣ୍ଢା ଓ ମାଈଛେଳି କାଟିବା ଆରମ୍ଭ କରିଦେଇଛନ୍ତି । ରାଜଧାନୀରେ ମାଂସ ଦୋକାନରେ ମାନ ପରୀକ୍ଷା ହେଉନଥିବାରୁ ଗ୍ରାହକମାନେ ବି ଖାସି ମାଂସ ପଇସା ଦେଇ ଏହାକୁ କିଣି ନେଉଛନ୍ତି ।

ଆଗକୁ ରଜପର୍ବ ଆସୁଥିବାରୁ ରାଜଧାନୀର ମାଂସ ବ୍ୟବସାୟୀମାନେ ଏବେ ଗାଁ ଗହଳରୁ ଖାସି ସଂଗ୍ରହ କରିବାପାଇଁ ବିଭିନ୍ନ ସ୍ଥାନକୁ ଯିବା ଆରମ୍ଭ କରିଛନ୍ତି । ହେଲେ ରାଜଧାନୀର ଖାସି ମାଂସ ଚାହିଦାର ବୃହତ୍‍ ଅଂଶ କୋଲକତାର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଥିବାରୁ ଏବେ ମାଂସ ବଜାରରେ ଧିରେ ଧିରେ ଅଭାବ ପରିଲକ୍ଷିତ ହେବାରେ ଲାଗିଛି । (ତଥ୍ୟ)