Home Agriculture ମଇ ୧ରୁ ରବି ଧାନ ସଂଗ୍ରହ

ମଇ ୧ରୁ ରବି ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମଇ ୧ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନପାରିବ, ସେଥି ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହିସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡିରେ ପଂଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ରବିଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିବେ, ସେଥି ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ନିୟମିତ ଯାଞ୍ଚ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମର୍ମରେ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇ ଅନଧିକୃତ ଧାନ ଚାଲାଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ କଡ଼ାକଡ଼ି ଭାବେ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଯାଇଛି ।

ଚଳିତ ରବିଧାନ କେବଳ ୧୭ଟି ଜିଲ୍ଲାର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ସଂଗ୍ରହ କରାଯିବ । ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ରବିଧାନ ସର୍ବନିମ୍ନ ସହାୟକ ମୂଲ୍ୟରେ ସ୍ଥିରୀକୃତ ମଣ୍ଡିରେ ସଂଗ୍ରହ କରାଯିବ ।

ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଅସାଧୁ ବ୍ୟବସାୟୀ କିମ୍ବା ଲୋକଙ୍କ ଦ୍ୱାରା ଅନଧିକୃତ ଧାନ, ମଣ୍ଡିରେ ବିକ୍ରି ହେବାର ଆଶଙ୍କା ରହିଛି । ଏହା ଦ୍ୱାରା ଉକ୍ତ ଜିଲ୍ଲାର ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକି୍ର କରିବାକୁ ବଞ୍ଚିତ ହୋଇପାରନ୍ତି । ଏହି ପରିପ୍ରେକ୍ଷୀରେ ସୀମାନ୍ତରେ ଅବସ୍ଥିତ ଜିଲ୍ଲା ପ୍ରଶାସନ ଦ୍ୱାରା ନିୟମିତ ଓ କଡ଼ାକଡ଼ି ଯାଞ୍ଚ କରି ଅନଧିକୃତ ଧାନ ପ୍ରବେଶକୁ ରୋକିବା ପାଇଁ କୁହାଯାଇଛି ।

ବେଆଇନ୍‌ ଧାନ କାରବାରରେ ଲିପ୍ତ ଅସାଧୁ ବ୍ୟବସାୟୀ, ମିଲର ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୌଣସି ଗାଡ଼ି ଅନଧିକୃତ ଧାନ ପରିବହନରେ ବ୍ୟବହୃତ ହେଉଥିବାର ଧରାପଡ଼ିଲେ ସେହି ଗାଡ଼ିକୁ ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ନଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି ।