Home News in Odia ବ୍ୟବହୃତ ଜଳ ପରିଚାଳନା ଉପରେ ଗୁରୁତ୍ୱ

ବ୍ୟବହୃତ ଜଳ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬ ଅଂଶବିଶେଷ ଭାବେ ବ୍ୟବହୃତ ଜଳ ପରିଚାଳନା ଉପରେ ଏକ ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବରିଷ୍ଠ ସରକାରୀ ଅଧିକାରୀ, ଯନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ପ୍ରଯୁକ୍ତିବିତ୍ ଏବଂ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ବର୍ଜ୍ୟଜଳ ବିଶୋଧନ, ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ପାଇଁ ସ୍ଥାୟୀ, ନିରାପଦ ତଥା ଆର୍ଥିକ ଦୃଷ୍ଟିକୋଣରୁ ସୁଲଭ ଉପାୟ ଉପରେ ଆଲୋଚନା କରିଥିଲେ ।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ବ୍ୟବହୃତ ଜଳ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶୋଧିତ ବର୍ଜ୍ୟଜଳ ଏବଂ ସ୍ଲଜ୍ (କାଦୁଅ/ଅବଶେଷ)ର ନିରାପଦ ଓ ମିତବ୍ୟୟୀ ପରିଚାଳନା ଉପରେ ଜୋର ଦେଇଥିଲେ । ଏହି ଆଲୋଚନା ଜଳ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ସମ୍ପଦ ପୁନରୁଦ୍ଧାର ଦିଗରେ ଓଡ଼ିଶାର ଅଭିନବ ତଥା ସ୍ଥାୟୀ ପ୍ରୟାସକୁ ପ୍ରତିଫଳିତ କରିଛି ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କେବଳ ବର୍ଜ୍ୟଜଳ ବିଶୋଧନ ଓ ନିଷ୍କାସନ ମଧ୍ୟରେ ସୀମିତ ନ ରହି ବିଶୋଧିତ ଜଳର ଯୋଜନାବଦ୍ଧ ଏବଂ ନିରାପଦ ପୁନଃବ୍ୟବହାର ଦିଗରେ ଅଗ୍ରସର ହେବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମ୍ମିଳନୀ ଜାତୀୟ ଦୃଷ୍ଟିକୋଣ, ରାଜ୍ୟସ୍ତରୀୟ ଅନୁଭୂତି ଏବଂ ବୈଷୟିକ ଦକ୍ଷତାକୁ ଏକତ୍ର କରିଥିଲା ।

ସିପିଏଚଇଇଓ ର ଡଃ ଭି. କେ. ଚୌରାସିଆ ଜାତୀୟ ସ୍ତରର ଉତ୍କୃଷ୍ଟ ଅଭ୍ୟାସ, ପ୍ରଯୁକ୍ତିବିଦ୍ୟା, ନୀତିଗତ ଦୃଷ୍ଟିକୋଣ ଏବଂ ବ୍ୟବହୃତ ଜଳ ପରିଚାଳନାର ଭବିଷ୍ୟତ ଦୃଷ୍ଟିକୋଣ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ବ୍ୟବହୃତ ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟର ଅନୁଭୂତି ସହିତ କେତେକ ନିର୍ଦ୍ଦିଷ୍ଟ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ  ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ତଥ୍ୟ ରଖିଥିଲେ ।

ଆଇଆଇଟି ରୁରକିର ହାଇଡ୍ରୋଲୋଜି ବିଭାଗର ପ୍ରଫେସର ଭାସ୍କର ଜ୍ୟୋତି ଡେକା ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ପାଇଁ ଅଭିନବ ବର୍ଜ୍ୟଜଳ ବିଶୋଧନ ପ୍ରକ୍ରିୟା ଉପରେ ବକ୍ତବ୍ୟ ରଖିଥିଲେ । ଆଇଆଇଟି ଭୁବନେଶ୍ୱରର ପ୍ରଫେସର ରାଜେଶ ରୋଶନ ଦାଶ ନୂତନ ଏରୋବିକ୍ ଏବଂ ଅନ୍-ଏରୋବିକ୍ ବର୍ଜ୍ୟଜଳ ବିଶୋଧନ ପ୍ରକ୍ରିୟା ଏବଂ ସହରାଞ୍ଚଳ ବର୍ଜ୍ୟଜଳ ପରିଚାଳନାର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବାରେ ଏହାର ପ୍ରୟୋଗ ଉପରେ ଆଲୋଚନା କରି ବୈଷୟିକ ଅଧିବେଶନକୁ ଅଧିକ ଫଳପ୍ରଦ କରିଥିଲେ ।

ବର୍ଜ୍ୟଜଳ ପୁନଃବ୍ୟବହାରର ନୀତି ଓ ଯୋଜନାଗତ ଦିଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କାଉନସିଲ ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ୱାଟରର ଡଃ ନୀତିନ ବାସି ବିଶୋଧିତ ବର୍ଜ୍ୟଜଳର ପୁନଃବ୍ୟବହାର ସମ୍ପର୍କିତ ନୀତି ଉପରେ ମତ ରଖିଥିବା ବେଳେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର ଶ୍ରୀ ସୁବ୍ରତ ଚକ୍ରବର୍ତ୍ତୀ ବିଶୋଧିତ ଜଳର ନିରାପଦ ତଥା ପ୍ରଭାବଶାଳୀ ପୁନଃବ୍ୟବହାର କ୍ଷେତ୍ରରେ ଥିବା ଯୋଜନାଗତ ଆହ୍ୱାନ ବିଷୟରେ କହିଥିଲେ ।

ବ୍ୟବହୃତ ଜଳ ପରିଚାଳନା କ୍ଷେତ୍ରରେ ନୀତି, ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ କାର୍ଯ୍ୟାନ୍ୱୟନର ଦୃଷ୍ଟିକୋଣକୁ ଏକତ୍ର କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା । ସହରାଞ୍ଚଳ ଜଳ ପରିଚାଳନାର ଭବିଷ୍ୟତ କେବଳ ପ୍ରଭାବଶାଳୀ ବର୍ଜ୍ୟଜଳ ବିଶୋଧନ ଉପରେ ନୁହେଁ, ବରଂ ଏହାର ନିରାପଦ ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ଉପରେ ନିର୍ଭର କରେ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ।