Home General ଛେନା, ପନୀର ଚଢଉରେ ୫ହଜାର କ୍ଷତିଗ୍ରସ୍ତ

ଛେନା, ପନୀର ଚଢଉରେ ୫ହଜାର କ୍ଷତିଗ୍ରସ୍ତ

ଭୁବନେଶ୍ୱର : ଅପମିଶ୍ରିତ ଛେନା ଓ ପନୀର ଉପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢଉ ଏବେ କଟକ ଓ ଭୁବନେଶ୍ୱରର ପ୍ରାୟ ୫ହଜାର ଛେନା ବ୍ୟବସାୟୀଙ୍କ ବେପାର ବୁଡାଇଲାଣି । ଛେନା ପ୍ରସ୍ତୁତି ସ୍ଥଳରେ ଏହା ଅପମିଶ୍ରଣ ହେଉଥିବାବେଳେ ସହରର ଛୋଟ ଛୋଟ ବ୍ୟବସାୟୀମାନେ କିନ୍ତୁ ଜୀବିକା ହରାଇବାରେ ଲାଗିଛନ୍ତି ।

ଦୁଇ ମହାନଗରୀରେ ଏବେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଛେନା ଓ ପନୀର ଦୋକାନ ଉପରେ ଚଢଉ କରୁଛନ୍ତି । ପ୍ରଥମେ କଟକ ଓ ପରେ ଭୁବନେଶ୍ୱରରେ ଏହି ଚଢାଉରୁ କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ ଛେନା ନଷ୍ଟ କରାଯାଉଛି । ଏଭଳି ଚଢାଉ ପରେ ଏବେ ଦୁଇ ସହରରେ ଥିବା ହଜାର ହଜାର ଛେନା ବ୍ୟବସାୟୀଙ୍କ ଦୋକାନ ବନ୍ଦ ହୋଇଗଲାଣି । ସେମାନେ ଆଉ ଭୟରେ ଛେନା ଆଣୁ ନାହାନ୍ତି କି ଯେଉଁମାନେ ଛେନା ଆଣୁଛନ୍ତି ସେମାନଙ୍କ ଠାରୁ ଲୋକେ ଛେନା କିଣୁ ନାହାନ୍ତି ।

ତେବେ ଛେନାର ଏଭଳି ଅପମିଶ୍ରଣର ପ୍ରମୁଖ କାରଣ କମ୍‍ ଦାମ୍‍ରେ ଛେନା ବିକ୍ରି ବୋଲି ଦୁଗ୍ଧଚାଷୀ ମହସଂଘର ସଭାପତି ରବି ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ କେବଳ କଟକ ଓ ଭୁବନେଶ୍ୱରରେ ଦୈନିକ ୮୦ ରୁ ୯୦ କୁଇଣ୍ଟାଲ ପନୀର ଓ ଛେନା ବିକ୍ରି ହେଉଛି । ହେଲେ ନିମାପଡା, କଣ୍ଟାପଡା, ନିଆଳି, ପିପିଲି ଆଦି ଅଞ୍ଚଳରୁ ଉତ୍ପାଦିତ ଦୁଗ୍ଧରୁ ଏତେ ପରିମାଣର ପନୀର ପ୍ରସ୍ତୁତ କରିବା ସମ୍ଭବପର ହେଉନାହିଁ । କାରଣ ସେହିସବୁ ଅଞ୍ଚଳର ବହୁ ଚାଷୀ ଉତ୍ପାଦିତ କ୍ଷୀରକୁ ଓମଫେଡ୍‍ ସହିତ ଅନ୍ୟାନ୍ୟ ସଂସ୍ଥାକୁ ବିକ୍ରି କରୁଛନ୍ତି । ତେଣୁ କିଛି ବ୍ୟବସାୟୀ ବଜାର ଚାହିଦାର ସୁଯୋଗ ନେଇ ଅପମିଶ୍ରିତ ଛେନା ବଜାରକୁ ଛାଡୁଛନ୍ତି ।

ସେହିଭଳି ଓମଫେଡ୍‍ ସହିତ ଅନ୍ୟାନ୍ୟ ଦୁଗ୍ଧ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ପନୀର କିଲୋ ପିଛା ପ୍ରାୟ ୪୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ଖୋଲା ବଜାରରେ କିନ୍ତୁ ଏହା ୨୪୦ ରୁ ୨୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ତେଣୁ ଅପମିଶ୍ରଣ ଏହା ଅନ୍ୟତମ କାରଣ ବୋଲି ଶ୍ରୀ ବେହେରା କହିଛନ୍ତି । କାରଣ ଦୁଗ୍ଧଚାଷୀମାନେ ଘର ନିକଟରେ ଏବେ କ୍ଷୀର ଲିଟର ୪୦ ରୁ ୫୦ ଟଙ୍କାରେ ବିକ୍ରି କରୁଥିବାବେଳେ ଏତେ ଶସ୍ତାରେ ଉନ୍ନତମାନର ପନୀର ପ୍ରସ୍ତୁତ ଆଦୌ ସମ୍ଭବପର ନୁହେଁ । ଲୋକେ ଶସ୍ତାରେ ପନୀର ଖରିଦ କରୁଥିବାବେଳେ ଅପମିଶ୍ରଣକାରୀମାନେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଅପମିଶ୍ରିତ ପନୀର ପ୍ରସ୍ତୁତ ହେବା ସହିତ ରାଜ୍ୟ ବାହାରୁ ମଧ୍ୟ ଓଡିଶା ବଜାରକୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ପନୀର ପ୍ରବେଶ କରୁଛି ।

ଓଡିଶାରେ ଏବେ ରେକର୍ଡ ପରିମାଣର ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ତାହାକୁ ଓମଫେଡ୍‍ ସମେତ ଆଉ କେତେକ ଘରୋଇ କମ୍ପାନୀ ସିଧାସଳକ ଚାଷୀଙ୍କ ଠାରୁ ଏହାକୁ ସଂଗ୍ରହ କରୁଛନ୍ତି । ଏହି କ୍ଷୀରରୁ ସେମାନେ କାରଖାନାରେ ପନୀର ସମେତ ଘିଅ, ଆଇସକ୍ରିମ୍‍, ଗୁଣ୍ଡଦୁଗ୍ଧ ଆଦି ପ୍ରସ୍ତୁତ କରୁଛନ୍ତି । ଖୁବ୍‍ କମ୍‍ ସଂଖ୍ୟକ ଦୁଗ୍ଧଚାଷୀ କମ୍ପାନୀକୁ କ୍ଷୀର ବିକ୍ରି ନକରି ଛେନା ଓ ପନୀର ପ୍ରସ୍ତୁତ କରୁଛନ୍ତି । ତେବେ ବଜାରକୁ ଏତେ ପରିମାଣର ଛେନା ଓ ପନୀର କେଉଁଠାରୁ ଆସୁଛି ତାହାର ତଦନ୍ତ କରିବା ସହିତ ପ୍ରସ୍ତୁତ ହେଉଥିବା ସ୍ଥାନରେ ନିୟମିତ ଯାଞ୍ଚ କରିବାପାଇଁ ମତପ୍ରକାଶ ପାଉଛି ।

ସେହିଭଳି ଯେଉଁ ଦୁଗ୍ଧଚାଷୀମାନେ କ୍ଷୀରରୁ ଭଲ ମାନର ଛେନା ଓ ପନୀର ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ନିୟମିତ ଯାଞ୍ଚ ସହିତ ଏହାର ସୂଚନା ସାଧାରଣ ଲୋକଙ୍କୁ ଦେବାପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ଫଳରେ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ବହୁ ସଂଖ୍ୟକ ସଚ୍ଚୋଟ ଦୁଗ୍ଧଚାଷୀ ସାଧାରଣ ଆକ୍ରୋଷର ଶିକାର ହୁଅନ୍ତେ ନାହିଁ ଏବଂ ସେମାନଙ୍କର ବେଉଷା ବୁଡନ୍ତା ନାହିଁ । (ତଥ୍ୟ)