Home Covid ବୁଷ୍ଟର ଡୋଜ ସପକ୍ଷରେ ବୈଜ୍ଞାନିକ

ବୁଷ୍ଟର ଡୋଜ ସପକ୍ଷରେ ବୈଜ୍ଞାନିକ

ଭୁବନେଶ୍ୱର : କରୋନା ସଂକ୍ରମଣର ପ୍ରକୋପ ଅନେକ ବର୍ଷ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବା ଦୃଷ୍ଟିରୁ ଏଥିରୁ ବର୍ତ୍ତିବାପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ପରେ ବୁଷ୍ଟର ଡୋଜ୍‍ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି ।

କରୋନା ପାଇଁ ଦିଆଯାଉଥିବା ଟିକା ମଣିଷ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି ତାହା ସୀମିତ ସମୟ ପର୍ଯ୍ୟନ୍ତ ରହୁଥିବାରୁ ଏହାକୁ ଦୀର୍ଘସ୍ଥାୟୀ କରାଇବା ଲାଗି ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଏବେ ବୁଷ୍ଟର ଟିକା ଆମେରିକା, ୟୁରୋପ, କାନାଡା, ଅଷ୍ଟ୍ରେଲିଆ, ସୁଇଜରଲ୍ୟାଣ୍ଡ, ଇସ୍ରାଏଲ ଆଦି ଦେଶ ବିିଭିନ୍ନ ସୂତ୍ରରୁ ବୁଷ୍ଟରଡୋଜ୍‍ ଟିକା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ବିଭିନ୍ନ ଟିକା ଉତ୍ପାଦନକାରୀ କମ୍ପାନୀକୁ ଏହି ରାଷ୍ଟ୍ରମାନେ ଅଗ୍ରିମ ବରାଦ ଦେଇ ଚାଲିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଏଯାବତ୍‍ ସମଗ୍ର ବିଶ୍ୱରେ ୩୦୦ କୋଟିରୁ କମ୍‍ କରୋନା ଟିକା ଦିଆଯାଇଥିବାବେଳେ ପ୍ରାୟ ୮୫ କୋଟି ଲୋକ ଉଭୟ ଡୋଜ୍‍ ନେଇଛନ୍ତି । ମୋଟାମୋଟି ଭାବେ ସମଗ୍ର ବିଶ୍ୱରେ ପ୍ରାୟ ୧୫ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି । ତେବେ ପ୍ରାୟ ୧୩୪କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଏବେ ସୁଦ୍ଧା ପ୍ରାୟ ୩୩କୋଟି ଲୋକ ଟିକା ନେଲେଣି । ସେମାନଙ୍କ ମଧ୍ୟରୁ ପ୍ରାୟ ୮କୋଟି ଲୋକ ଉଭୟ ଡୋଜ୍‍ ଟିକା ପାଇଛନ୍ତି । ମୋଟାମୋଟି ଭାବେ ଭାରତରେ କରୋନାର ଦୁଇଟି ଡୋଜ୍‍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୭ ପ୍ରତିଶତରୁ କମ୍‍ ରହିଛି ।

ଅନ୍ୟ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ହଙ୍ଗେରୀ ଆଦିରେ ଏହି ହାର ୪୮ ପ୍ରତିଶତ ଟପିଥିବାବେଳେ ମଙ୍ଗୋଲିଆରେ ୫୫, ବାହାରିନରେ ୬୨ ଓ ସିଚେଲ୍‍ସରେ ୭୨ ପ୍ରତିଶତ ଲୋକ ଟିକା ନେଲେଣି । ଜିବ୍ରାଲିଡର ଭଳି ଛୋଟ ଦେଶରେ ଟିକାକରଣ ହାର ଶହେ ପ୍ରତିଶତକୁ ଟପିଗଲାଣି । ଓଡିଶାର ଜନସଂଖ୍ୟା ପ୍ରାୟ ୪କୋଟି ୬୦ଲକ୍ଷ ଥିବାବେଳେ ଏଠାରେ ଏଯାବତ୍‍ କୋଟିଏ ୨୦ଲକ୍ଷରୁ କମ୍‍ ଲୋକ ଟିକା ନେଇଛନ୍ତି । ଯେଉଁଥିରୁ ଉଭୟ ଡୋଜ୍‍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୫ଲକ୍ଷ ବୋଲି କୁହାଯାଉଛି ।

ଏ ପରିପ୍ରେକ୍ଷୀରେ ଆଗକୁ କରୋନାର ତୃତୀୟ ଲହର ଭୟ ଥିବାବେଳେ ଟିକାକରଣ ଅଭିଯାନକୁ ବ୍ୟାପକ କରିବା ସହ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍‍ର ଟିକାଦାନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ଶିଶୁମାନଙ୍କୁ କିଭଳି ଅଧିକ ସଂଖ୍ୟାରେ ନିରାପଦ ଟିକା ଦିଆଯାଇ ପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । କିନ୍ତୁ ବାସ୍ତବରେ ଓଡିଶା ସରକାର ଟିକାକରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବାବେଳେ ସୀମିତ ସଂଖ୍ୟକ ଟିକା ଉତ୍ପାଦନ ଯୋଗୁଁ କେନ୍ଦ୍ର ସରକାର ଓଡିଶା ସମେତ ଅନ୍ୟ ରାଜ୍ୟଗୁଡିକୁ ଚାହିଦା ମୁତାବକ ଟିକା ଯୋଗାଇ ପାରୁନଥିବାରୁ ଅନେକ ସମୟରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହେଉଛି ।

ଏବେ ସବୁଠାରୁ ବଡ ଆହ୍ୱାନ ହେଉଛି କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କର ପରବର୍ତ୍ତୀ ଯତ୍ନ । କରୋନାରେ ଯେତେ ଲୋକଙ୍କ ମୃତ୍ୟୁ ଘଟୁଛି ତାହା ଅପେକ୍ଷା କରୋନାରୁ ସୁସ୍ଥହୋଇ ଅନ୍ୟ ରୋଗରେ ଢେର ଅଧିକ ସଂଖ୍ୟକ ଲୋକ ମରୁଛନ୍ତି । ଏହାକୁ କୋ-ମର୍ବିଡିଟି ଭାବେ ଦର୍ଶାଯାଉଥିବାରୁ ବାସ୍ତବରେ କରୋନା ମୃତ୍ୟୁସଂଖ୍ୟା ଢେର କମ୍‍ ଦର୍ଶାଯାଉଛି । କରୋନାରୁ ଲୋକଙ୍କୁ ବଞ୍ଚାଇବାପାଇଁ ସରକାର ଯେଭଳି ଉଦ୍ୟମ କରୁଛନ୍ତି ଏଥିରୁ ସୁସ୍ଥ ହେଉଥିବା ଲୋକଙ୍କୁ ମଧ୍ୟ ରକ୍ଷା କରିବାଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)