Home Environment କୁଆଖାଇକୁ ପୋତୁଛି ରାଜଧାନୀ ଧୂଳି

କୁଆଖାଇକୁ ପୋତୁଛି ରାଜଧାନୀ ଧୂଳି

ଭୁବନେଶ୍ୱର : ରାଜଧାନୀ ରାସ୍ତାରୁ ଉଠୁଥିବା ଧୂଳି ଏବେ ସହରବାସୀଙ୍କ ପାଇଁ ବିପଦ । ଏହି ଅପରିଷ୍କାର ଓ ବିଷାକ୍ତ ଧୂଳି ଏବେ କୁଆଖାଇ ନଦୀରେ ଜମାହେବା ଫଳରେ ସେଠାରେ ଆତଯାତ ହେଉଥିବା ସାଧାରଣଲୋକ ଏବଂ ନଦୀଶଯ୍ୟା ପାଇଁ ବିପଦ ହେଲାଣି ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଏବେ ସହର ରାସ୍ତାଘାଟକୁ ସଫାସୁତୁରା ରଖିବାପାଇଁ ଯାନ୍ତ୍ରିକ ସଫେଇ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ ରାଜ୍ୟ ବାହାରର ସଂସ୍ଥାମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ସେମାନେ ଯନ୍ତ୍ର ଲଗାଇ ରାସ୍ତାଘାଟ ସଫା କରୁଛନ୍ତି । ବିଶେଷକରି ପିଚୁ ରାସ୍ତାରେ ଧୂଳିକୁ ଏମାନେ ଗାଡି ଲଗାଇ ସଫା କରୁଛନ୍ତି । ସହରର ଧୂଳି ଗୁଡିକ ମେସିନ ସାହାଯ୍ୟରେ ଉଠାଯାଇ ଗାଡି ଭିତରେ ଥିବା ବାକ୍ସରେ ରଖାଯାଉଛି ।

ପରେ ଏହି ଧୂଳିକୁ ନେଇ କୁଆଖାଇ ନଦୀ ଶଯ୍ୟାରେ ପକାଯାଉଛି । ଦୈନିକ ଟ୍ରକ ଟ୍ରକ ଧୂଳି ନଦୀଶଯ୍ୟାକୁ ପୋତିବାରେ ଲାଗିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କୁଆଖାଇ ନଦୀର ଯେଉଁଠାରେ ସାଧାରଣ ଲୋକେ ପିଣ୍ଡଦାନ ଠାରୁ ଆରମ୍ଭ କରି ଶୌଚଆଦି ହେଉଛନ୍ତି ସେହି ସ୍ଥାନରେ ହିଁ ଧୂଳିକୁ ଗଦାକରି ଦିଆଯାଉଛି । କୁଆଖାଇ ପୋଲ ତଳେ ନିତିଦିନ ଏଭଳି ଘଟୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ।

ସହରରେ ଏବେ କରୋନା ଜନିତ ମୃତ୍ୟୁ ବଢିଥିବାବେଳେ ମୃତ ଲୋକଙ୍କ ପିଣ୍ଡଦାନ ପାଇଁ ଦୈନିକ ଶହ ଶହ ଲୋକେ କୁଆଖାଇ ନଦୀକୁ ଯାଉଛନ୍ତି । ଯେଉଁଠାରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସହିତ ଲୋକେ ଗାଧୁଆପାଧୁଆ କରୁଛନ୍ତି । ହେଲେ ସେହି ସ୍ଥାନରେ ହିଁ ବିଏମ୍‍ସିର ଏହି ଗାଡିଗୁଡିକ ଯାଇ ଧୂଳି ଗଦା କରୁଛନ୍ତି । ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ମନଇଚ୍ଛା ଯେଉଁଠି ପାରୁଛନ୍ତି ସେଠି ବାଲି ଗଦାଇ ପଳାଉଛନ୍ତି । ଏହାଦ୍ୱାରା ନଦୀ ଶଯ୍ୟା ଧିରେ ଧିରେ ପୋତି ହୋଇଯାଉଛି ।

ଗୋଟିଏ ପଟେ ଅଗ୍ନିଶମ ବାହିନୀ ଗାଡିକୁ ଲଗାଇ କର୍ତ୍ତୃପକ୍ଷ ସହରର ବିଭିନ୍ନ ସ୍ଥାନକୁ ଜୀବାଣୁମୁକ୍ତ କରୁଥିବାବେଳେ ଅନ୍ୟପଟେ ବିଭିନ୍ନ ଜୀବାଣୁ ଥିବା ଧୂଳି ଓ ଅନ୍ୟାନ୍ୟ ଛୋଟ ଛୋଟ ଅଳିଆକୁ ନେଇ ସାଧାରଣ ଲୋକଙ୍କ ଆତଯାତ ସ୍ଥାନରେ ଗଦା କରିବା ଏବେ ରୋଗ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛନ୍ତି । କାରଣ ସହରର ବିଭିନ୍ନ ସ୍ଥାନ ଏପରିକି ଡାକ୍ତରଖାନା ଆଖପାଖ ଓ କୋଭିଡ ସଂକ୍ରମିତ ଅଞ୍ଚଳରେ ବି ଏହି ଗାଡିଗୁଡିକ ରାସ୍ତାରୁ ଧୂଳି ସଫା କରିବା କାମରେ ଲାଗିଛନ୍ତି ।

କେବଳ କୋଭିଡ ଜୀବାଣୁ ନୁହନ୍ତି, ସହରର ଧୂଳିରେ ଅନ୍ୟ ବହୁ ମାରାତ୍ମକ ରୋଗ ସଂକ୍ରମଣକାରୀ ଜୀବାଣୁ ବି ରହୁଛନ୍ତି । ତେଣୁ ଏହି ଧୂଳିକୁ ଜନବସତି ଠାରୁ କୌଣସି ସୁରକ୍ଷିତ ଅଞ୍ଚଳରେ ପକାଇବା ପରିବର୍ତ୍ତେ ତାହାକୁ ନେଇ ସହର ମଝିରେ ଥିବା କୁଆଖାଇ ନଦୀ ମଝିରେ ପକାଇବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ନଦୀଗର୍ଭରେ ସହରର ଏହି ବାଲିକୁ ପକାଇବାପାଇଁ କିଏ ଅନୁମତି ଦେଇଛି ତାହା ଏବେ ପ୍ରଶ୍ନବାଚୀ ହୋଇଥିବାବେଳେ ଏଥିପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମ୍‍ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)