Home General ବିପର୍ଯ୍ୟୟ ନେଲାଣି ୧୬ହଜାର ଜୀବନ

ବିପର୍ଯ୍ୟୟ ନେଲାଣି ୧୬ହଜାର ଜୀବନ

ଭୁବନେଶ୍ୱର : ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ମୃତ୍ୟୁବରଣ କରିଥିବାବେଳେ ଏମାନଙ୍କ ମଧ୍ୟରୁ ଜଳରେ ବୁଡି ୭୮୭୪ ଜଣ ପ୍ରାଣ ହରାଇଥିବାବେଳେ ସାପ କାମୁଡାରେ ୬୨୧୯ଜଣ ମରିଛନ୍ତି । ଏହି ସମସ୍ତଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି । ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ୫୦ହଜାର ଟଙ୍କା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଜନିତ ମୃତ୍ୟୁ ପାଇଁ ୪ଲକ୍ଷ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଉଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ୫ବର୍ଷ ଅର୍ଥାତ୍‍ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୮୭୪ ଜଣ ପାଣିରେ ବୁଡି ମରିଥିବା ଜଣାଯାଇଛି । ଏହା ପଛୁକ ୬୨୧୯ଜଣ ସାପ କାମୁଡାରେ ମରିଥିବାବେଳେ ବଜ୍ରପାତରେ ୨୦୫୮ଜଣ, ଅଗ୍ନି ଦୁର୍ଘଟଣାରେ ୭୫୯ଜଣ, ଅଂଶୁଘାତରେ ୧୪୧ଜଣ, ବାତ୍ୟାରେ ୧୪୦ଜଣ, ବନ୍ୟାରେ ୭୬ଜଣ, ନୌକା ଦୁର୍ଘଟଣାରେ ୪୬ଜଣ, ପ୍ରବଳ ବର୍ଷା ଓ ଘୂର୍ଣ୍ଣଝଡରେ ୩୧ଜଣ କରି ମୃତ୍ୟୁବରଣ କରିଛନ୍ତି ।

ଏହି ପାଞ୍ଚବର୍ଷ ମଧ୍ୟରେ ସର୍ବାଧିକ ୬୫୧ଜଣ ବ୍ୟକ୍ତି ମୟୁରଭଞ୍ଜ ଜିଲ୍ଲାରେ ପାଣିରେ ବୁଡି ମରିଥିବାବେଳେ ଗଞ୍ଜାମରେ ୬୦୫, ବାଲେଶ୍ୱରରେ ୫୯୨, କେନ୍ଦୁଝରରେ ୫୪୫, ସୁନ୍ଦରଗଡରେ ୪୦୫, ଭଦ୍ରକରେ ୪୦୪, ଯାଜପୁରରେ ୩୭୭, କୋରାପୁଟରେ ୩୬୧, କଟକରେ ୩୬୪, ପୁରୀରେ ୨୯୫, ନବରଙ୍ଗପୁରରେ ୨୮୨, ମାଲକାନଗିରିରେ ୨୫୦ଜଣ ମରିଛନ୍ତି । ସବୁଠାରୁ କମ୍‍ ମାତ୍ର ୫୨ଜଣ ଗଜପତି ଜିଲ୍ଲାରେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।

ସେହିଭଳି ଏହି ୫ବର୍ଷରେ ସାପକାମୁଡାରେ ସର୍ବାଧିକ ୪୬୦ଜଣ ମୟୁରଭଞ୍ଜ ଜିଲ୍ଲାରେ ମୃତ୍ୟୁବରଣ କରିଥିବାବେଳେ ବାଲେଶ୍ୱରରେ େ୩୭୮, କେନଦୁଝରରେ ୩୫୨, ସୁନ୍ଦରଗଡରେ ୩୨୫, ଗଞ୍ଜାମରେ ୩୩୫, କଟକରେ ୨୪୦ ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ କମ୍‍ ୪୯ଜଣ ବ୍ୟକ୍ତି କନ୍ଧମାଳ ଜିଲ୍ଲାରେ ସାପ କାମୁଡାରେ ମରିଥିବା ଜଣାଯାଇଛି ।

ବଜ୍ରପାତରେ ଏହି ପାଞ୍ଚବର୍ଷରେ ସର୍ବାଧିକ ୨୧୦ଜଣ ମୟୁରଭଞ୍ଜ ଜିଲ୍ଲାରେ ମରିଥିବାବେଳେ ଗଞ୍ଜାମରେ ୧୫୩, କେନଦୁଝରରେ ୧୫୨, ବାଲେଶ୍ୱରରେ ୧୪୫, କଟକ ଓ ସୁନ୍ଦରଗଡରେ ୧୦୨ ଜଣ କରି ପ୍ରାଣ ହରାଇଛନ୍ତି । ସବୁଠାରୁ କମ୍‍ ୧୫ଜଣ ବୌଦ ଜିଲ୍ଲାରେ ବଜ୍ରପାତରେ ଜୀବନ ହରାଇଛନ୍ତି । ଅଗ୍ନି ଦୁର୍ଘଟଣାରେ ସର୍ବାଧିକ ୮୮ଜଣ ମୟୁରଭଞ୍ଜ ଜିଲ୍ଲାରେ ପ୍ରାଣ ହରାଇଥିବାବେଳେ ସମ୍ବଲପୁର ଜିଲ୍‍ଲାରେ ୫୮ଜଣ ରହିଛନ୍ତିା ବାତ୍ୟାରେ ସର୍ବାଧିକ ୪୮ଜଣ ଗଜପତି ଜିଲ୍ଲାରେ ମରିଥିବାବେଳେ ପୁରୀ ଜିଲ୍ଲାରେ ୪୪ଜଣ ପ୍ରାଣ ହରାଇଛନ୍ତି । ଅଂଶୁଘାତରେ ସର୍ବାଧିକ ୧୬ଜଣ ଢେଙ୍କାନାଳରେ ପ୍ରାଣ ହରାଇଥିବାବେଳେ ଅନୁଗୁଳରେ ୧୫ଜଣ ମରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)