Home Judiciary ଅନୁକମ୍ପାମୂଳକ ମାମଲାର ଶୁଣାଣି

ଅନୁକମ୍ପାମୂଳକ ମାମଲାର ଶୁଣାଣି

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଅଦାଲତଙ୍କ ରାୟ ବିରୁଦ୍ଧରେ ଓଡିଶା ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହେଉଥିବା ଶତାଧିକ ରିଟ୍‍ ଆପିଲ୍‍ର ଏକତ୍ର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ । ଏହି ରାୟ ଉପରେ ନିର୍ଭର କରିବ ସହସ୍ରାଧିକ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଭବିଷ୍ୟତ ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଶ୍ରମ ବିଭାଗର ଏକ ନିର୍ଦ୍ଦେଶନାମା ଆଧାରରେ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତିକୁ ବିଚାରକୁ ନେଇ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ୧୯୯୦ ମସିହାରେ ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିଥିଲେ । ୨୦୧୬ ମସିହାରେ ଏହି ଆଇନ୍‍ରେ ବ୍ୟାପକ ସଂଶୋଧନ କରାଯାଇଥିବାବେଳେ ୨୦୨୦ରେ ଏହି ଆଇନ୍‍କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇ ଆଉ ଏକ ନୂଆ ଆଇନ୍‍ ଅଣାଯାଇଛି । ନୂଆ ଆଇନ୍‍ରେ ଯେତେସବୁ ସର୍ତ୍ତ ରଖାଯାଇଛି ତାହା ଆଧାରରେ ଖୁବ୍‍ କମ୍‍ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତି ଚତୁର୍ଥଶ୍ରେଣୀ ପାହ୍ୟାରେ ଦିଆଯାଇ ପାରିବ । ପୁରୁଣା ଆଇନ୍‍ ଆଧାରରେ ପୂର୍ବରୁ ଯେତେ ଆବେଦନ ଆସିଥିଲା ସେସବୁକୁ ବି ନୂଆ ଆଇନ୍‍ ଆଧାରରେ ବିଚାର କରିବାପାଇଁ ଏଥିରେ ବ୍ୟବସ୍ଥା ରହିଥିବାରୁ ବହୁ ପରିବାର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଛନ୍ତି ।

ପୂର୍ବରୁ ମଳୟାନନ୍ଦ ସେଠୀ ମାମଲାରେ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ସମ୍ପୃକ୍ତ କର୍ମଚାରୀଙ୍କର ଯେବେ ମୃତ୍ୟୁ ହେଲା ଏବଂ ଆବେଦନକାରୀ ଯେବେ ନିଯୁକ୍ତି ପାଇଁ ଦରଖାସ୍ତ କଲେ ସେବୁ ତାରିଖ ବେଳକୁ ଯଦି ପୁରୁଣା ଆଇନ୍‍ ବଳବତ୍ତର ଥିବ ତେବେ ତାହାରି ଆଧାରରେ ହିଁ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସୁପ୍ରିମ୍‍କୋର୍ଟ ଏଭଳି ନିଯୁକ୍ତି କ୍ଷେତ୍ରରେ ସରକାରୀକଳର ବିଳମ୍ବ ପାଇଁ ମୃତ କର୍ମଚାରୀଙ୍କ ପରିବାରକୁ ଦଣ୍ଡିତ କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ରାୟ ଉପରେ ଆବେଦନକାରୀ ମଳୟାନନ୍ଦ ସେଠୀଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଏହି ଆଧାରରେ ଅନ୍ୟ ପୁରୁଣା ଆବେଦନକାରୀମାନଙ୍କ ଗୁହାରି ବିଚାର କରିବାପାଇଁ ହାଇକୋର୍ଟ ଶତାଧିକ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିରୁ ଅଧିକାଂଶର ଅନୁପାଳନ ନକରି ସରକାର ହାଇକୋର୍ଟରେ ରିଟ୍‍ ଆପିଲ୍‍ ଦାଖଲ କରିଛନ୍ତି । କିଛିଦିନ ତଳେ ହାଇକୋର୍ଟର ଏକ ଖଣ୍ଡପୀଠ ଏଭଳି ଛଅଟି ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ସରକାରଙ୍କ ରିଟ୍‍ ଆପିଲକୁ ଖାରଜ କରିଦେବା ସହ ୧୯୯୦ମସିହାର ଆଇନ୍‍ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ବିଚାରଯୋଗ୍ୟ ବୋଲି କହିଥିଲେ ବି ସରକାର କିନ୍ତୁ ଅନ୍ୟ ମାମଲାରେ ଏହା ଲାଗୁ କରିବାକୁ ପ୍ରସ୍ତୁତ ନୁହନ୍ତି ।

ଇତି ମଧ୍ୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ଅନ୍ୟତମ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସରକାରଙ୍କ ପକ୍ଷରୁ ରୁଜୁ ହୋଇଥିବା ଏଭଳି ଶତାଧିକ ରିଟ୍‍ ଆପିଲର ଏକତ୍ର ଶୁଣାଣି କରିଛନ୍ତି । ହାଇକୋର୍ଟଙ୍କ ଏହି ରାୟକୁ ଉଭୟ ରାଜ୍ୟ ସରକାର ଏବଂ ମୃତ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ଅପେକ୍ଷାକରି ରହିଛନ୍ତି । (ତଥ୍ୟ)