ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ବନ୍ୟା ଯୋଗୁଁ ଏବେ ନିର୍ମାଣକାର୍ଯ୍ୟରେ ବ୍ୟବହୃତ ବାଲିର ଦର ଆକାଶଛୁଆଁ ହୋଇଛି । ଏଥିଯୋଗୁଁ ନିର୍ମାଣ ଖର୍ଚ୍ଚ ବଢି ଚାଲିଥିବାବେଳେ ଆଉ କେତେକ ସ୍ଥାନରେ ଦରବୃଦ୍ଧିକୁ ଭୟକରି ଲୋକେ ନିର୍ମାଣକାର୍ଯ୍ୟକୁ ଅଟକାଇ ଦେଲେଣି ।
ରାଜଧାନୀରେ ମାସକ ତଳେ ଯେଉଁ ବାଲି ଟ୍ରକ ୨ରୁ ଅଢେଇ ହଜାର ଟଙ୍କାରେ ବିକ୍ରି ହେଉଥିଲା ଏବେ ବନ୍ୟା ଆଳରେ ତାହା ୪ହଜାର ଟଙ୍କାରେ ପହଞ୍ଚିଛି । ଗାଁ ଗହଳରେ ମଧ୍ୟ ସମାନ ଅବସ୍ଥା । ଯେବେଠାରୁ ରାଜ୍ୟରେ ବାଲି ଚୋରି ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେବେଠାରୁ ବାଲି ବ୍ୟବସାୟୀମାନେ ବିଭିନ୍ନ ଆଳ ଦେଖାଇ ବାଲିର ଦର ବଢାଇବାରେ ଲାଗିଛନ୍ତି । ଏବେ ବନ୍ୟା ଯୋଗୁଁ ନଈରୁ ବାଲି ଉଠାଣ ସମ୍ଭବ ହେଉନଥିବାରୁ ବାଲି ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରୁଛନ୍ତି ।
ଗାଁ ଗହଳରେ ବାଲି ଏକ ପ୍ରକାର ଅମୂଲ ମୂଲ ହୋଇଛି । ନଈକୂଳିଆ ଗାଁ ଲୋକେ ବି ବାଲି ମୁଠାଏ ପାଉନାହାନ୍ତି । ବ୍ୟବସାୟୀମାନେ ବର୍ଷା ଓ ବନ୍ୟା ପୂର୍ବରୁ ଯେଉଁଠାରେ ବାଲି ଗଦାଇ ରଖିଥିଲେ ତାହାକୁ ଚଢା ଦରରେ ବିକ୍ରି କରିବା ସହିତ ଜିଲ୍ଲା ବାହାରକୁ ପଠାଇ ଦେଉଛନ୍ତି । ସହରାଞ୍ଚଳରେ ଥିବା ଠିକାଦାରମାନେ ଏବେ ବିଭିନ୍ନ ଜିଲ୍ଲାର ବାଲି ବ୍ୟବସାୟୀମାନଙ୍କ ସହିତ ଯୋଗାଯୋଗ କରି ଦର ବଢାଇ ଚାଲିଛନ୍ତି ।
ବାଲି ଅଭାବ ଯୋଗୁଁ କେବଳ ସହରରେ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇନାହିଁ, ଗାଁ ଗହଳରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବାରେ ଲାଗିଛି । ଲୋକମାନେ ଘରେ ସିମେଣ୍ଟ, ଗୋଡି, ଲୁହାଛଡ, ଇଟା ଆଦି ଧରିକି ବସିଥିଲେ ମଧ୍ୟ ବାଲି ମିଳୁନଥିବାରୁ କାମ ଅଟକି ରହିଛି ।
ଲଘୁ ଖଣିଜ ସାମଗ୍ରୀରେ ଗଣତି ହେଉଥିବା ବାଲି ଉଠାଣ ପାଇଁ ସରକାର ଟେଣ୍ଡର ଡାକିବା ସହିତ ଏଥିରୁ ରୟାଲିଟି ଆଦାୟ କରୁଥିଲେ ମଧ୍ୟ ଏହାର ଦର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଫଳରେ ବାଲି ବ୍ୟବସାୟୀମାନେ ମନଇଚ୍ଛା ଦର ବଢାଇ ଚାଲିଛନ୍ତି । ଠିକାଦାରମାନେ ଏବେ ବାଲି ଦରବୃଦ୍ଧିର ବୋଝକୁ ଗ୍ରାହକଙ୍କ ଉପରେ ଲଦୁଥିବାବେଳେ ଗାଁ ଗହଳରେ କିନ୍ତୁ ସରକାରୀ ଯୋଜନା ଚାଲୁଥିବା ବିଭିନ୍ନ ନିର୍ମାଣକାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଅଟକି ଗଲାଣି ।
ବାଲି ସଙ୍କଟରୁ ଫାଇଦା ନେଇ କେତେକ ବାଲି ବ୍ୟବସାୟୀ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ବାଲିକୁ ଚଢା ଦରରେ ବିକ୍ରି କରିବା ସହିତ ଏଥିରେ ମାଟି ମିଶାଇ ଦେଉଛନ୍ତି । ଯେହେତୁ ବାଲି ସଙ୍କଟ ତେଣୁ ଲୋକେ ଜାଣୁଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାବେଳେ ବଜେଟ୍ ଅର୍ଥ ଖର୍ଚ୍ଚ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଭଳି ସ୍ଥଳେ ବାଲି ପାଇଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ଏବେ ସରକାରୀକଳକୁ ବି ଅଡୁଆରେ ପକାଇବା ଆରମ୍ଭ କରିଛି । ତେଣୁ ସରକାର ତୁରନ୍ତ ବାଲି ଦରରେ ହସ୍ତକ୍ଷେପ ନକଲେ କେବଳ ଲୋକେ ଶୋଷଣର ଶିକାର ହେବେ ନାହିଁ, ନିର୍ମାଣ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବ । (ତଥ୍ୟ)

