ଭୁବନେଶ୍ୱର : ଖୋରଧା ଜିଲ୍ଲାର ବରୁଣେଇ ଠାରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣସ୍ଥଳରୁ ବିଦ୍ୟୁତ୍ ଖୁଣ୍ଟ ହଟାଯିବା ସହିତ ରାସ୍ତା ନିର୍ମାଣ ପାଇଁ ଅତରିକ୍ତ କାର୍ଯ୍ୟ ସରିଛି । ଏହାବାଦ୍ ଏଠାରେ ନିର୍ମାଣ ସଂସ୍ଥା ତାହାର ଅସ୍ଥାୟୀ ଦପ୍ତର ନିର୍ମାଣ କରିଥିବା ରାଜ୍ୟସଭାରେ ସୂଚନା ଦିଆଯାଇଛି ।
ବିଜେପି ସାଂସଦ ଦିଲ୍ଲୀପ ରାୟଙ୍କର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ୯୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ଇଣ୍ଡିଆଲ ଅଏଲ ଫାଉଣ୍ଡେସନ ତାଙ୍କର ସିଏସଆର ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦେଇଛନ୍ତି ।
ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ମସିହା ଡିସେମ୍ବର ୮ ତାରିଖରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଓଡିଶା ସରକାର ଏହି ସ୍ମାରକ ନିର୍ମାଣ ପାଇଁ ବିନା ମୂଲ୍ୟରେ ପ୍ରାୟ ଦଶ ଏକର ଜମି ବରୁଣେଇ ପାହାଡ ପାଦଦେଶରେ ଯୋଗାଇ ଦେଇଛନ୍ତି । ଜମି ଅଧିଗ୍ରହଣ ସହିତ ଏହାକୁ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାର ଭୁବନେଶ୍ୱର ଶାଖାକୁ ହସ୍ତାନ୍ତର କରାଯ।।ଇଛି ।
ପ୍ରକଳ୍ପ ଅଞ୍ଚଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ମନୋରମା କନଷ୍ଟ୍ରକସନକୁ ଗତବର୍ଷ ସେପ୍ଟେମ୍ବର ମାସ ୯ ତାରିଖରେ ପ୍ରଦାନ କରାଯାଇଛି । ଭାରତୀୟ ପ୍ରତ୍ନତତ୍ୱ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ ସାଇଟ୍ ସର୍ଭେ, ଜମି ସଫା କରିବା, ନିର୍ମାଣ ସଂସ୍ଥାର ଦପ୍ତର ସ୍ଥାପନ, ନିର୍ମାଣ ପାଇଁ ଆବଶ୍ୟକ ସାଜ ସରଞ୍ଜାମ ଖରିଦ ସହିତ ଭବନର ନକ୍ସା ପ୍ରସ୍ତୁତ ହୋଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପାଇକ ବିଦ୍ରୋହକୁ ଇଂରଜେମାନଙ୍କ ବିରୁଦ୍ଧରେ ପ୍ରଥମ ଅସ୍ତ୍ରଧାରଣ ଭାବେ ଐତିହାସିକମାନେ ବିବେଚନା କରୁଥିବାବଳେ ଏହାର ସ୍ମାରକ ନିର୍ମାଣ ପାଇଁ ଦାବିହୋଇ ଆସୁଥିଲା । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ସହମତି ପ୍ରକାଶ ପାଇବାପରେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଅର୍ଥ ମଞ୍ଜୁର ବ୍ୟବସ୍ଥା କରିଥିଲେ ।
ଜମି ଅଧିଗ୍ରହଣ, ଅର୍ଥ ମଞ୍ଜୁର ଓ ଭିତ୍ତିପ୍ରସ୍ତର ସ୍ଥାପନର ବହୁ ବିଳମ୍ବରେ ଏହାର ନିର୍ମାଣ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ନିଜର ପୂର୍ବସୂରୀଙ୍କର ବୀରତ୍ୱ ଏଠାରେ ଖୁବ୍ଶୀଘ୍ର ଦେଖିବାକୁ ମିଳିବ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । (ତଥ୍ୟ)

