Home News in Odia ସାଇବର ଅପରାଧ ମୁକାବିଲା ପାଇଁ ବୁଝାମଣା

ସାଇବର ଅପରାଧ ମୁକାବିଲା ପାଇଁ ବୁଝାମଣା

ଭୁବନେଶ୍ୱର : ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫ୍‍ଏସୟୁ), ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

 ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ଡିଜିପି, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର ଓ  ଏନଏଫଏସୟୁ କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ ରାଜିନାମା ସ୍ଵାକ୍ଷର କରିଥିଲେ ।  ପରେ ଡିଜିପି ଶ୍ରୀ ଖୁରାନିଆ  “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଡିଜିପି କହିଥିଲେ ଯେ, ଆଜିର ଦିନଟି ଓଡ଼ିଶା ପୋଲିସର ଆଧୁନିକୀକରଣ ଓ ବିକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହି ପାଞ୍ଚବର୍ଷିଆ ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଯୋଗୁଁ ରାଜ୍ୟର ସାଇବର ପୋଲିସିଂ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ବର୍ତ୍ତମାନ ଅପରାଧର ସ୍ୱରୂପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ନିବେଶ ଠକେଇ ଏବଂ “ଡିଜିଟାଲ ଗିରଫ” ଭଳି ସାଇବର ଅପରାଧ କ୍ରମାଗତ ଭାବେ ବଢ଼ୁଥିବାବେଳେ ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି। ତେଣୁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ଜବତ, ସଂରକ୍ଷଣ ଓ ପରିଚାଳନା ପ୍ରତ୍ୟେକ ପୋଲିସ ଅଧିକାରୀଙ୍କର ମୌଳିକ ଦକ୍ଷତା ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ସାଇବର ଅପରାଧ  ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ସ୍ଥାପନ କରାଯାଇଥିବାବେଳେ  ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି। ଏହି ଉପକରଣଗୁଡ଼ିକର ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।

ଏନଏଫଏସୟୁ ସହ ବୁଝାମଣାପତ୍ର କେବଳ ପ୍ରଶିକ୍ଷଣରେ ସୀମିତ ନରହି ଅପରାଧସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତ୍ତିଭୂମିର ବିକାଶ ଓ ବୈଷୟିକ ପରାମର୍ଶ ଭଳି ବହୁ କ୍ଷେତ୍ରକୁ ସାମିଲ କରିବା ଦିଗରେ ଡିଜିପି ଗୁରୁତ୍ଵାରୋପ କରିଥିଲେ ।

କାର୍ଯ୍ୟକ୍ରମରେ ଡିଜିପି, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର କହିଥିଲେ ଯେ, ଏନଏଫଏସୟୁ ସହ ସହଭାଗିତା ଯୋଗୁଁ  ପୋଲିସ ବିଭାଗର ସମସ୍ତ ସ୍ତରର କର୍ମଚାରୀ ଓ ଅଧିକାରୀଙ୍କୁ ଉଚ୍ଚମାନର ବୈଷୟିକ ପ୍ରଶିକ୍ଷଣ ଦେବା ସମ୍ଭବ ହୋଇପାରିବ ।  

୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ ଠାରୁ ଡିଏସପି ପର୍ଯ୍ୟନ୍ତ ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ସାମିଲ ହେବେ। ୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ NFSUରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତ୍ତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପ୍ଲେକ୍ସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।

ପ୍ରଥମ ବ୍ୟାଚକୁ ସମ୍ବୋଧନ କରି ଡିଜିପି କହିଥିଲେ ଯେ, ଏହି ପ୍ରଶିକ୍ଷଣର ପ୍ରକୃତ ସଫଳତା କେବଳ ପ୍ରମାଣପତ୍ର ହାସଲରେ ନୁହେଁ, ବରଂ ସଠିକ୍ ଡିଜିଟାଲ ପ୍ରମାଣ ସଂଗ୍ରହ, ବୈଜ୍ଞାନିକ ତଦନ୍ତ ଏବଂ ଅଦାଲତରେ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାର ଦକ୍ଷତା ହାସଲ କରିବାର ଆବଶ୍ୟକତା  ରହିଛି। ପ୍ରଶିକ୍ଷଣ ଶେଷ ପରେ ନିଜ ନିଜ ଜିଲ୍ଲାକୁ ଫେରି ଅନ୍ୟ ସହକର୍ମୀମାନଙ୍କୁ ମଧ୍ୟ ଏହି ଜ୍ଞାନ ବାଣ୍ଟିବାକୁ ସେ ଆହ୍ୱାନ ଜଣାଇଥିଲେ।