ଭୁବନେଶ୍ୱର : ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ବର୍ଷକୁ ବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଡାକ୍ତରଙ୍କ ଠାରୁ ଫର୍ମାସିଷ୍ଟ ଓ ନର୍ସଙ୍କ ପର୍ଯ୍ୟନ୍ତ ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ହୋଇପାରୁ ନାହିଁ । ଫଳରେ ଅନେକ ସ୍ଥାନରେ ରୋଗୀମାନେ ଘରୋଇ ଡାକ୍ତରଖାନାକୁ ଯିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।
୨୦୨୦-୨୧ ମସିହାରେ ରାଜ୍ୟରେ ସରକାରୀ ଡାକ୍ତରଖାନାର ବର୍ହିଃବିଭାଗରେ ୫କୋଟି ୬୯ଲକ୍ଷ ରୋଗୀ ଚିକିତ୍ସିତ ହୋଇଥିବାବେଳେ ୨୦୨୧-୨୨ବର୍ଷରେ ଏହା ସାଢେ ୬ କୋଟିକୁ ଅତିକ୍ରମ କରିଥିଲା । ୨୦୨୨-୨୩ ବର୍ଷରେ ଏହା ୮କୋଟି ୪୦ଲକ୍ଷକୁ ଟପିଥିବାବେଳେ ୨୦୨୩-୨୪ ରେ ସାଢେ ୯ କୋଟିରେ ପହଞ୍ଚିଥିଲା । ତେବେ ୨୦୨୪-୨୫ ବର୍ଷରେ ଏହା ୧୦କୋଟି ୫୬ଲକ୍ଷ କୁ ଅତିକ୍ରମ କରିଯାଇଛି । କେବଳ ବର୍ହିଃବିଭାଗ ନୁହେଁ, ଏହି ବର୍ଷଗୁଡିକରେ ଡାକ୍ତରଖାନରେ ଭର୍ତ୍ତିହୋଇ ଚିକିତ୍ସିତ ହୋଇଥିବା ଇନ୍ଡୋର୍ ରୋଗୀମାନଙ୍କର ସଂଖ୍ୟା ବି ବଢିଛି । ୨୦୨୪-୨୫ ବର୍ଷରେ ଏଭଳି ରୋଗୀଙ୍କ ସଂଖ୍ୟା ୫ କୋଟିକୁ ଟପିଯାଇଛି ।
ରୋଗୀମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଚିକିତ୍ସକ ନାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ନିଯୁକ୍ତି ହେବାକୁ ଥିବାବେଳେ ଓଡିଶାରେ ୧୨୭୫ ଲୋକଙ୍କ ପାଇଁ ରାଜ୍ୟରେ ଜଣେ ଡାକ୍ତର ରହିଛନ୍ତି । ତେବେ ରାଜ୍ୟରେ ପାଖପାଖି ୪ହଜାର ଡାକ୍ତର ପଦବୀ ଖାଲି ପଡିଥିବାରୁ ସ୍ଥିତି କେତେକ ସ୍ଥାନରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଶେଷକରି ଜିଲ୍ଲା ସ୍ତରୀୟ ଡାକ୍ତରଖାନାଗୁଡିକରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡୁଥିବାରୁ ରୋଗୀମାନେ ବାଧ୍ୟହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ସାଜ ସରଞ୍ଜାମ ଓ ଶଲ୍ୟ ଚିକିତ୍ସିକ ରହୁଥିଲେ ମଧ୍ୟ ଅନେକ ସ୍ଥାନରେ ନିଶ୍ଚେତକ ଡାକ୍ତରଙ୍କ ଅନୁପସ୍ଥିତ ପାଇଁ ଛୋଟକାଟର ଅପରେସନ ବି ହୋଇପାରୁ ନାହିଁ ।
କେବଳ ଡାକ୍ତର ନୁହନ୍ତି ସରକାରୀ ଡାକ୍ତରଖାନାଗୁଡିକରେ ନର୍ସଙ୍କ ଠାରୁ ଆରମ୍ଭ କରି ଫର୍ମାସିଷ୍ଟଙ୍କ ପର୍ଯ୍ୟନ୍ତ ବହୁ ମଞ୍ଜୁରୀପ୍ରାପ୍ତ ପଦ ପଦବୀ ଖାଲି ପଡିଛି । ରାଜ୍ୟରେ ୨୧,୩୯୪ ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ମଧ୍ୟରୁ ୬୨୩୧ ପଦବୀ ଖାଲି ପଡିଥିବାବେଳେ ୨୭୨୨ଫର୍ମାସିଷ୍ଟ ପଦବୀ ମଧ୍ୟରୁ ୧୩୭୬ ଖାଲି ପଡିଛି । ୧୫୧୧ ଲାବରୋଟାରୀ ଟେକ୍ନିସିଆନ ପଦବୀ ମଧ୍ୟରୁ ୫୦୫ଟି ଖାଲି ଥିବାବେଳେ ୬୬୩ ରେଡିଓଗ୍ରାଫର ପଦବୀ ମଧ୍ୟରୁ ୨୪୦ଟ ଖାଲି ପଡିଛି ।
ସେହିଭଳି ସରକାରୀ ମେଡିକାଲ କଲେଜଗୁଡିକରେ ଥିବା ୩୯୦ ଟି ପ୍ରଫେସର ପଦବୀ ମଧ୍ୟରୁ ୧୩୮ଟି ଖାଲି ଥିବାବେଳେ ୫୯୧ ସହଯୋଗୀ ପ୍ରଫେସର ପଦବୀରୁ ୩୬୨ଟି ଓ ୧୦୭୮ ସହକାରୀ ପ୍ରଫେସର ପଦବୀ ମଧ୍ୟରୁ ୫୨୬ଟି ଟି ଖାଲି ପଡିଛି ।
ଜିଲ୍ଲା ସ୍ତରରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ଏତେ ସଂଖ୍ୟକ ପଦ ପଦବୀ ଖାଲି ପଡିବା ଫଳରେ ରୋଗୀମାନେ ବାଧ୍ୟହୋଇ ଘରୋଇ ଡାକ୍ତରଖାନା ମୁହାଁ ହେବାରେ ଲାଗିଛନ୍ତି । ଏଥିପାଇଁ ବହୁ କ୍ଷେତ୍ରରେ ରୋଗୀମାନେ ବ୍ୟାପକ ଖର୍ଚ୍ଚାନ୍ତ ହେବା ସହିତ ଧାର କରଜ କରିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)

