ଭୁବନେଶ୍ୱର,ଇଂରେଜଙ୍କ ପୃଷ୍ଠପୋଷକତାରେ ଚାଲୁଥିବା ରାଜା ରାଜୁଡା ଶାସନ ସମୟରେ ପ୍ରଶାସନର ନରସଂହାରରେ ସର୍ବାଧିକ ଲୋକ ଆମକୋ-ସିମକୋ ରେ ନିହତ ହୋଇଥିବାବେଳେ ଇତିହାସର ଏହି ସ୍ମୃତିକୁ ଉଜ୍ଜିବୀତ ରଖିବାଲାଗି ରାଜଧାନୀ ଦିଲ୍ଲୀ ଓ ଭୁବନେଶ୍ୱରରେ ଦୁଇଟି ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏଥି ସହିତ ଆମ୍କୋ-ସିମ୍କୋ ନରସିଂହାର ଦିବସକୁ ଜାତୀୟ ଓ ରାଜ୍ୟ ସ୍ତରରେ ପୂର୍ଣ୍ଣ ମର୍ଯ୍ୟାଦାର ସହ ପାଳନ କରିବାଲାଗି ମଧ୍ୟ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୩୯ ମସିହା ଏପ୍ରିଲ ୨୫ ଅପରାହ୍ନରେ ରାଜଶକ୍ତି ଚରମ ବିଶ୍ୱାସ ଘାତକତା କରି ବର୍ତ୍ତମାନର ସୁନ୍ଦରଗଡ ଜିଲ୍ଲା ଅର୍ନ୍ତଭୁକ୍ତ ଆମ୍କୋ-ସିମ୍କୋ ପଡିଆରେ ଆଖିବୁଜା ଗୁଳିଚାଳନା କରିବା ଫଳରେ ଘଟଣା ସ୍ଥଳରେ ଅନ୍ୟୁନ ୪୦ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ଏହି ନରସଂହାରରେ ୮୦ରୁ ଅଧିକ ଆହତ ହୋଇଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କ ଭିତରୁ ଅନ୍ୟୁନ ୩୦ଜଣଙ୍କର କିଛିଦିନ ମଧ୍ୟରେ ମୃତ୍ୟୁ ହୋଇଥିବାବେଳେ ଆଉ ପ୍ରାୟ ୫୦ଜଣ ଅର୍କମଣ୍ୟ ହୋଇ ଅବଶିଷ୍ଟ ଜୀବନ ବହୁ କଷ୍ଟରେ କାଟିଥିଲେ । ସେ ସମୟର ପ୍ରତ୍ୟକ୍ଷଦର୍ଶୀମାନେ କୁହନ୍ତି ଯେ ଶତାଧିକ ଲୋକ ସେଦିନ ନିଖୋଜ ହୋଇଯାଇଥିଲେ ମଧ୍ୟ ସେମାନଙ୍କ ଭିତରୁ କେତେକଙ୍କୁ ମାରି ସେମାନଙ୍କ ମୃତ ଶରୀରକୁ ଇଂରେଜ ଅନୁଗତ ରାଜାଙ୍କ ବାହିନୀ ଘଟିରେ ଜାଳି ଦେଇଥିଲେ ।
ଆମକୋ-ସିମକୋ ଠାରେ ଏକ ଶହୀଦ ସ୍ମାରକୀ ରହିଛି ଏବଂ ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ଏବଂ ସାଧାରଣ ଲୋକେ ବଳିଦାନ ଦିବସରେ ଶହୀଦମାନଙ୍କୁ କୃତଜ୍ଞତା ସହ ଶ୍ରଦ୍ଧାଞ୍ଜଳି ଜରାଇଥାନ୍ତି । ଓଡିଶାର ଅନ୍ୟ କୌଣସି ସ୍ଥାନରେ ସେ ସମୟରେ ଏତେ ସଂଖ୍ୟକ ଲୋକ ଶହୀଦ ହେଇନାହାନ୍ତି । ଇରମ୍, ତୁଡିଗଡିଆ, ଖଇରାଡିହି, ଲୁଚିଆ, ପକାଇପଡା, କଳାମାଟିଆ, ନିମାପଡା, ମାଥିଲି, ପାପଡାହାଣ୍ଡି, ନୀଳକଣ୍ଠପୁର, ଭୁବନ, ନୟାଗଡ, ତାଳଚେର, ନିଳଗିରି, ସୁବର୍ଣ୍ଣପୁର ଆଦି ସ୍ୱାଧୀନା ସଂଗ୍ରାମ ସମୟର ରକ୍ତତୀର୍ଥଗୁଡିକୁ ଯେଭଳି ଗୁରୁତ୍ୱ ଦିଆଯାଉଛି ସେହି ତୁଳନାରେ ସର୍ବାଧିକ ବଳିଦାନ ଦେିଥିବା ଆମ୍କୋ-ସିମ୍କୋକୁ କିନ୍ତୁ ସେହିଭଳି ଗୁରୁତ୍ୱ ଦିଆଯାଉନଥିବା କୁହାଯାଉଛି । ରାଜଧାନୀରେ ଥିବା ଜନଜାତି ସଂଗ୍ରାହଳରେ ଆମ୍କୋ-ସିମ୍କୋର କିଛି ଝଲକ ରହିଛି । କିନ୍ତୁ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଆମ୍କୋ-ସିମ୍କୋ ବଳିଦାନ ସେଭଳି ଗୁରୁତ୍ୱର ସହ ଏଯାବତ୍ ଉପସ୍ଥାପନ କରାଯାଇ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ ତାଙ୍କ ରାଉରକେଲା ଗସ୍ତ ଅବସରରେ ଦେଇଥିବା ଭାଷଣରେ ଆମ୍କୋ-ସିମ୍କୋର ଶହୀଦମାନଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ବେଠି, ଗୋତି, ବର୍ଦ୍ଧିତ କଜଣା ଆଦିର ପ୍ରତିବାଦରେ ସେତେବେଳର ଗାଙ୍ଗପୁର ଗଡଜାତ ଅଞ୍ଚଳରେ ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ଆଦିବାସୀ ମେଳି ଜୋର ଧରିଥିଲା । ଆଦିବାସୀମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ କରିବା ଏବଂ ସେମାନଙ୍କୁ ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଦେବା ସହ ଗାଁ ଗଣ୍ଡାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥା କରିବା ଦାବିରେ ଏହି ଆନ୍ଦୋଳନ ତୀବ୍ରତର ହୋଇଥିଲା । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ଗାଙ୍ଗପୁର ରାଜା ଓ ବ୍ରିଟିଶ ସରକାରର ପଲିଟିକାଳ ଏଜେଣ୍ଟଙ୍କୁ ଦାବିପତ୍ର ଦିଆଯାଇଥିଲା ।
ଆଦିବାସୀମାନଙ୍କ ମେଳିକୁ ଭାଙ୍ଗିବାପାଇଁ ହୋଇଥିବା ଷଡଯନ୍ତ୍ରକ୍ରମେ ଗାଙ୍ଗପର ଗଡଜାତ ବା ସୁନ୍ଦରଗଡର ରାଣୀ ସାହେବା ୧୯୩୯ ଏପ୍ରିଲ ୨୫ ଅପରାହ୍ନରେ ପଲିଟିକାଲ ଏଜେଣ୍ଟଙ୍କ ସହ ଆସି ଆମ୍କୋ-ସିମ୍କୋ ପଡିଆରେ ଜନ ଶୁଣାଣି ସଭା କରି ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ଗାଁରେ ଗାଁରେ ପ୍ରଚାର କରାଯାଇ ଏହି ସଭାକୁ ଆସିବାଲାଗି ନିବେଦନ କରାଯାଇଥିଲା । ରାଣୀଙ୍କୁ ଦେଖିବା ସହ ତାଙ୍କଠାରୁ ସମସ୍ୟାର ସମାଧାନ ସଂକ୍ରାନ୍ତରେ ଶୁଣିବାପାଇଁ ସହସ୍ରାଧିକ ଲୋକ ସେଦିନ ଆମ୍କୋ-ସିମ୍କୋ ପଡିଆରେ ଏକାଠି ହୋଇଥିଲେ । ସେଦିନ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇନଥିଲେ ମଧ୍ୟ ନିର୍ମଳ ମୁଣ୍ଡାଙ୍କୁ ଧରିବା ବାହାନାରେ ପୁଲିସ୍ ଆଖିବୁଜା ଗୁଳିନାଳନା କରିବାରୁ ନରସଂହାର ଘଟିଥିଲା । (ତଥ୍ୟ)

