ଭୁବନେଶ୍ୱର : ଏମଏମଡିଆର ବିଲ ଲାଗୁ କରିବା କେନ୍ଦ୍ର ବିଜେପି ସରକାରର ଏକ ସୁଚିନ୍ତିତ ଷଡଯନ୍ତ୍ର l ଏହାଦ୍ୱାରା ରାଜ୍ୟର ଘୋର ରାଜସ୍ବ କ୍ଷତି ଘଟିବ l ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ଜାଣି ସୁଦ୍ଧା ଓଡିଶାରୁ ଯାଇଥିବା ୨୦ ଜଣ ସାଂସଦ ବିଲକୁ ସମର୍ଥନ କରିବା ଓଡ଼ିଆଙ୍କ ପ୍ରତି ପ୍ରତାରଣା ବ୍ୟତୀତ ଅନ୍ୟ କିଛି ନୁହଁ l ଏହି ବିଲ ଦ୍ୱାରା ରାଜ୍ୟ ବକେୟା ଟିକସ ବାବଦକୁ ପ୍ରାୟ ୧ ଲକ୍ଷ ୫୦ କୋଟି ରୁ ୨ ଲକ୍ଷ କୋଟି ଟଙ୍କା ସିଧାସଳଖ ହରାଇବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ।
ଏହି ଟଙ୍କାରେ ସ୍କୁଲ, କଲେଜ, ଡାକ୍ତରଖାନା, ପୋଲ ଆଦି ଅନେକ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇଥାନ୍ତା l କାମଧନ୍ଦା ଅଭାବରେ ବେକାରୀ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛି, ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିଥାନ୍ତା l
ଯଦି ଲକ୍ଷେ କୋଟି ଟଙ୍କା ସାଢେ ଚାରିକୋଟି ଓଡ଼ିଆଙ୍କ ମଧ୍ୟରେ ବାଣ୍ଟନ୍ତା ତେବେ ପ୍ରତ୍ୟେକଙ୍କୁ ୨୨ ହଜାର ଟଙ୍କା ମିଳନ୍ତା l ଏହାର ଅର୍ଥ ପ୍ରତ୍ୟେକ ପରିବାରକୁ ପ୍ରାୟ ଲକ୍ଷେ ଟଙ୍କା ମିଳନ୍ତା l
ସରକାର ସୁଭଦ୍ରା ନାମରେ ଭଣ୍ଡାମୀ କରି ମାତ୍ର ୫ ହଜାର ଟଙ୍କା ଦେଇ ନାରୀ ସଶକ୍ତିକରଣର ମହୁରୀ ଫୁଙ୍କୁଛି କିନ୍ତୁ ଅନ୍ୟ ପଟରେ ରାଜ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା କେନ୍ଦ୍ର ହାତକୁ ଟେକି ଦେଉଛି l
ବିଜେପି ଡବଲ ଇଞ୍ଜିନ ସରକାରର ଅସଲ ଚେହେରା ବର୍ତ୍ତମାନ ସାରା ରାଜ୍ୟ ଜାଣି ଗଲେଣି l ରାଜ୍ୟର ବିଜେପି ବେତ୍ରୁତାଧୀନ ସରକାର ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି l
କଂଗ୍ରେସ ଏହାର ପ୍ରତିରୋଧ ନିଶ୍ଚୟ କରିବ l ଜନତାଙ୍କ ସ୍ୱାର୍ଥ ସକାଶେ ରାଜ୍ୟ ସରକାରଙ୍କୁ ସବୁ ସ୍ତରରେ ଓ ବିଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

