ଭୁବନେଶ୍ୱର : ହୋର୍ଡିଂ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ ରାସ୍ତାକଡ଼ ଓ ମଝିରେ ହୋର୍ଡିଂ ଲଗାଇବା ଉପରେ କଡ଼ା କଟକଣା ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୋର୍ଡିଂ ନିୟନ୍ତ୍ରଣ ଦାୟିତ୍ୱ ବିଏମ୍ସି ହାତରେ ରହିଛି । ବିଭିନ୍ନ ସଂସ୍ଥା ଲଗାଉଥିବା ହୋର୍ଡିଂ ବିଜ୍ଞାପନରୁ ବିଏମ୍ସି କୋଟି କୋଟି ଟଙ୍କା ଆୟ କରୁଥିବାବେଳେ ଆଉ କେତେକ ସଂସ୍ଥା ପଇସା ନଦେଇ ଖସି ଯାଉଛନ୍ତି । ତେବେ ହୋର୍ଡିଂ ଲଗାଇବା ପାଇଁ ଯେଉଁସବୁ ଖୁଣ୍ଟ ସଂପୃକ୍ତ ବିଜ୍ଞାପନ ସଂସ୍ଥାମାନେ ମହାନଗରର ବିଭିନ୍ନ ଅଞ୍ଚଳରେ ବସାଇଛନ୍ତି ସେଗୁଡ଼ିକର ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦିଆଯାଉ ନାହିଁ । ଫଳରେ ଖୁଣ୍ଟ ସହିତ ହୋର୍ଡିଂମାନ ଅନେକ ସମୟରେ ଭୁଶୁଡ଼ି ପଡି ଧନଜୀବନ ହାନିର କାରଣ ହେଉଛି ।
ଏଭଳି ଦୁର୍ଘଟଣା ଘଟିବା ପରେ ମଝିରେ ମଝିରେ କର୍ତ୍ତୃପକ୍ଷ ଚେଇଁ ଉଠନ୍ତି । ଗୋଟିଏ ସମୟରେ ଏଭଳି ଅନେକ ଦଦରା ହୋର୍ଡିଂ ଖୁଣ୍ଟ ଓ ଏହା ବସାଉଥିବା ବିଜ୍ଞାପନ ସଂସ୍ଥାଗୁଡ଼ିକୁ ଚିହ୍ନଟ କରାଯାଇଥିଲା । କିନ୍ତୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିôବାରୁ କେତେକ ବିଜ୍ଞାପନ ସଂସ୍ଥା ବିଏମ୍ସିକୁ ଟିକସ ବାବଦ ଅର୍ଥ ପୈଠରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।
କିଛିଦିନ ଧରି ରାଜଧାନୀରେ କାଳବୈଶାଖୀ ଲାଗି ରହୁଛି । ଏଥିଯୋଗୁ ବିଭିନ୍ନ ଅଞ୍ଚଳରେ ବହୁ ହୋର୍ଡିଂ ଉଡ଼ିଯାଉଛି । ରାସ୍ତା ମଝିର ବିଦ୍ୟୁତ ଖୁଣ୍ଟରେ ମରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ନେତାଙ୍କ ଫ୍ଲେକ୍ସ ସାମାନ୍ୟ ପବନରେ ଉଡ଼ିଯାଉଛି । କେତେବେଳେ ଏହା ଗାଡ଼ି ଚାଳକମାନଙ୍କ ଗତିରୋଧ କରୁଛି ତ ଆଉ କେତେବେଳେ ରାସ୍ତା କଡ଼କୁ ନଇଁ ଯାନବାହନ ଚଳାଚଳରେ ବାଧା ଉପୁଯାଉଛି । ଏଭଳି ଫ୍ଲେକ୍ସ ବିଜ୍ଞାପନ ଲଗାଇବା ପାଇଁ ପ୍ରାୟତଃ କେହି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଉନାହାନ୍ତି କି ଏ ବାବଦରେ ରାଜସ୍ୱ ମଧ୍ୟ ଦେଉ ନାହାନ୍ତି । ଓଲଟା ଚିରାଫଟା ଫ୍ଲେକ୍ସ ବିଜ୍ଞାପନଗୁଡ଼ିକୁ ବହୁ ସମୟରେ ବିଏମ୍ସି ନିଜ ଖର୍ଚ୍ଚରେ ଅପସାରଣ କରୁଛି ।
ଫ୍ଲେକ୍ସ, ହୋର୍ଡିଂ ଆଦି ଯୋଗୁ ସ୍ୱଚ୍ଛତା ଓ ମହାନଗରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ତେଣୁ ପରୀକ୍ଷାମୂଳକ ଭାବେ ପ୍ରଥମେ ରାଜଧାନୀ ଭୁବନେଶ୍ୱରକୁ ଫ୍ଲେକ୍ସ ଓ ହୋର୍ଡିଂ ମୁକ୍ତ ନଗର ଭାବେ ଘୋଷଣା କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।
ପରିବେଶବିତ୍ମାନେ କହୁଛନ୍ତି ଯେ ଫ୍ଲେକ୍ସ ଓ ହୋର୍ଡିଂ ଆଦିରେ ଯେଉଁ ପ୍ଲାଷ୍ଟିକ ଉପାଦାନ ବ୍ୟବହୃତ ହେଉଛି ତାହା ପରିବେଶ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ । କନା ଓ କାଗଜରେ ପୂର୍ବରୁ ଲଗାଯାଉଥିବା ବ୍ୟାନର, ପୋଷ୍ଟରଗୁଡ଼ିକ ମାଟିରେ ମିଶିଯାଉଥିଲା ଏବଂ ତାହାର କିଛି ପାଶ୍ୱର୍ ପ୍ରତିକ୍ରିୟା ରହୁନଥିଲା । କିନ୍ତୁ ଫ୍ଲେକ୍ସ, ହୋର୍ଡିଂ ଆଦିର ସାମଗ୍ରୀଗୁଡ଼ିକ ଜାଳିଲେ ବାୟୁ ପ୍ରଦୂଷଣ କରି କ୍ୟାନ୍ସର ଉପୁଯାଇବା ଆଶଙ୍କା ରହିଛି ।
ଦୀର୍ଘଦିନ ଧରି ଏହା ଖରାବର୍ଷାରେ ପଡ଼ିରହିଲେ ଗୁଣ୍ଡ ହୋଇଯାଏ ଏବଂ ଏଥିରୁ ବାହାରୁଥିବା ପ୍ଲାଷ୍ଟିକ୍ କଣିକାଗୁଡ଼ିକ ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧି କରିବା ସହିତ ମଣିଷ ଓ ଅନ୍ୟ ଜୀବଜନ୍ତୁମାନଙ୍କ ଶ୍ୱାସରେ ଶରୀର ଭିତରକୁ ଯାଇ ଫୁସ୍ଫୁସ୍ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ପ୍ଲାଷ୍ଟିକ୍ କଣିକା ଜମାଟ ହୁଏ । ଏଥିଯୋଗୁ ବହୁ ଭୟଙ୍କର ରୋଗବ୍ୟାଧି ସୃଷ୍ଟି ହେବାର ସମ୍ଭାବନା ରହିଛି । ଫ୍ଲେକ୍ସ, ହୋର୍ଡିଂ ଆଦିର ବର୍ଜ୍ୟବସ୍ତୁ ଉପରେ ଶୋଇଲେ ଚର୍ମ ଉପରେ ଖରାପ ପ୍ରଭାବ ପଡ଼େ ଏବଂ ଏହା ଉପରେ ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରଖିଲେ ତାହା ମଧ୍ୟ ପ୍ରଦୂଷିତ ହୋଇ ରୋଗର କାରଣ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।(ତଥ୍ୟ)

