Home General ସେବା ଓ ସମର୍ପଣକୁ ୧୨ ବର୍ଷ

ସେବା ଓ ସମର୍ପଣକୁ ୧୨ ବର୍ଷ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଂଜିନସରକାରର ମିଳିତ ସମନ୍ୱୟ ଯୋଗୁ ଓଡ଼ିଶାର ବିକାଶ ପ୍ରକ୍ରିୟା ପ୍ରଭାବଶାଳୀ ହୋଇଛି। ଯୋଗାଯୋଗ, ଶିଳ୍ପ, ଭିତ୍ତିଭୂମି, କୃଷି, ନାରୀ ସଶକ୍ତୀକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ଦୃଢ଼ ରୂପାୟନ ମାଧ୍ୟମରେ ପ୍ରତିଟି ନାଗରିକଙ୍କୁ ସଶକ୍ତ କରାଯାଉଛି। କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସେବାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରକଲ୍ୟାଣକାରୀ ନୀତି ଯୋଗୁଁ ସମଗ୍ର ଦେଶ ସହିତ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରଗତିର ନୂତନ ଦିଗନ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି। ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି (ବୁଧବାର) ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪,୩୯୯ ଦିନ) ସେବା କରିବାର ଏକ ଅଦ୍ଭୁତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ସେ ସାଢ଼େ ୪ କୋଟି ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି।

ବିଗତ ଦୁଇ ବର୍ଷରେ ସମଗ୍ର ବିଶ୍ୱ ଅନେକ ଭୂ-ରାଜନୈତିକ ଅସ୍ଥିରତା ଓ ଆହ୍ୱାନର ସମ୍ମୁଖୀନ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ଯୋଗୁଁ ଭାରତର ବିକାଶ ରଥ ଅଟକି ନାହିଁ। ମୋଦି ହେଉଛନ୍ତି ଭାରତର ଚିରସ୍ରୋତା ପ୍ରଗତିର ଜଣେ ମହାନ ବିକାଶ ପୁରୁଷ। ୨୦୨୦ର କୋଭିଡ୍ ମହାମାରୀ ସମୟରେ, ଯେତେବେଳେ ସାରା ବିଶ୍ୱର ଅର୍ଥନୀତି ଭାଙ୍ଗି ପଡ଼ିଥିଲା, ସେତେବେଳେ ଭାରତ ସ୍ୱଦେଶୀ ଭ୍ୟାକ୍ସିନ ପ୍ରସ୍ତୁତ କରି ଜୁଲାଇ ୨୦୨୨ ସୁଦ୍ଧା ୨୦୦ କୋଟିରୁ ଅଧିକ ଡୋଜର ମାଗଣା ଟୀକାକରଣ କରି ବିଶ୍ୱ ରେକର୍ଡ କରିଥିଲା। କେବଳ ସେତିକି ନୁହେଁ, ‘ଭ୍ୟାକ୍ସିନ୍ ମୈତ୍ରୀ’ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ଗରିବ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ‘ବିଶ୍ୱବନ୍ଧୁ’ ଭାବେ ଉଭା ହୋଇଛି।

ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଭାରତ ଆଜି ୭ପ୍ରତିଶତରୁ ୯ପ୍ରତିଶତ ଅଭିବୃଦ୍ଧି ହାର ସହ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ହୋଇଛି। ସମୟ ଥିଲା, ଯେତେବେଳେ ଭାରତକୁ ବିଶ୍ୱର ୫ଟି ଦୁର୍ବଳ ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା; ଆଜି ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ଦେଶର ମଜବୁତ ଭିତ୍ତିଭୂମି, ମାନୁଫାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର ଏବଂ ସୁଦୃଢ଼ ଡିଜିଟାଲ୍ ଇକୋସିଷ୍ଟମ୍ ଏହାର ଜ୍ୱଳନ୍ତ ପ୍ରମାଣ। ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ ଆତଙ୍କବାଦୀ ଆକ୍ରମଣ ଏକ ନିୟମିତ ଖବର ପାଲଟିଥିଲା। ଏବେ ଶତ୍ରୁ ଦେଶ ଭାରତ ବିରୋଧରେ କୌଣସି ଦୁଃସାହସ କରିବା ପୂର୍ବରୁ ୧୦ ଥର ଭାବୁଛି।