Home General ବାଲି ରପ୍ତାନି ଠୁ ଚୋରି ଅଧିକ

ବାଲି ରପ୍ତାନି ଠୁ ଚୋରି ଅଧିକ

ଭୁବନେଶ୍ୱର : ଓଡିଶାର ନଦୀରୁ ମିଳୁଥିବା ବାଲି ଯେତିକି ପରିମାଣରେ ଅନ୍ୟ ରାଜ୍ୟକୁ ରପ୍ତାନି ହେଉଛି ତାହାର ବହୁଗୁଣା ବାଲି ଚୋରି ହେଉଛି । ବାଲିଚୋରଙ୍କ ପ୍ରାର୍ଦୁଭାବ ଏଭଳି ହୋଇଛି ଯେ ସରକାରୀକଳ ବି ଅନେକ ସ୍ଥାନରେ ସେମାନଙ୍କୁ ରୋକିପାରୁନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶାର କେତେକ ଜିଲ୍ଲାରୁ ନଈବାଲି ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଦି ରାଜ୍ୟକୁ ରପ୍ତାନି ହେଉଛି । ୨୦୨୪-୨୫ ଆର୍ଥିକବର୍ଷରେ ଢେଙ୍କାନାଳ ଜିଲ୍ଲାରୁ୮୮୦ କ୍ୟୁବିକ ମିଟର ନଈବାଲି ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜକୁ ରପ୍ତାନି ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ଥିଲା । ସେହିଭଳି ଗଜପତି ଜିଲ୍‍ଲାରୁ ଆନ୍ଧ୍ରପ୍ରଦେଶକୁ ୩୦୧୮ କ୍ୟୁବିକ ମିଟର ବାଲି ରପ୍ତାନି ହୋଇଥିବାବେଳେ ଏହାର ମୂଲ୍ୟ ୨୭ଲକ୍ଷରୁ ଅଧିକ ଟଙ୍କା ଥିଲା ।

ଜଗତ୍‍ସିଂହପୁର ଜିଲ୍ଲାରୁ ବିପୁଳ ପରିମାଣର ବାଲି ଆଣ୍ଡାମାନ ନିକୋବର ଦ୍ୱୀପକୁ ଯାଇଥିବା ଜଣାଯାଇଛି । ଏହି ଜିଲ୍ଲାରକୁ ଆଣ୍ଡାମାନକୁ ୧୨,୪୬୪ କ୍ୟୁବିକ ମିଟର ବାଲି ରପ୍ତାନି ହୋଇଥିବାବେଳେ ସେ ବାବଦରେ ପ୍ରାୟ ୪୬ଲକ୍ଷ ଟଙ୍କା ମିଳିଥିଲା । ସେହିଭଳି ଯାଜପୁର ଜିଲ୍ଲାରୁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଆଣ୍ଡମାନକୁ ୧୪ହଜାର କ୍ୟୁବିକ ମିଟର ବାଲି ରପ୍ତାନି ହୋଇଥିବାବେଳେ ଏହାର ଦର ୯୦ଲକ୍ଷ ଟଙ୍କାରୁ ଅଧିକ ଥିଲା । ଝାରସୁଗୁଡା ଜିଲ୍ଲାରୁ ୧୧,୩୯୧ କ୍ୟୁବିକ ମିଟର ବାଲି ଛତିଶଗଡକୁ ରପ୍ତାନି ହୋଇଥିଲା । ଏ ବାବଦରେ ୬ଲକ୍ଷ ୮୦ହଜାର ଟଙ୍କାରୁ ଅଧିକ ଅର୍ଥ ମିଳିଥିଲା । ରାୟଗଡା ଜିଲ୍ଲାରକୁ ଆନ୍ଧ୍ରପ୍ରଦେଶକୁ ୧୪ହଜାର କ୍ୟୁବିକ ମିଟର ବାଲି ରପ୍ତାନି ହୋଇଥିବାବେଳେ ଏହାର ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ଥିଲା ।

ଓଡିଶାର ନଦୀ ଶଯ୍ୟାରୁ ମିଳୁଥିବା ବାଲି ଉନ୍ନତମାନର ଥିବାରୁ ଏହାର ଚାହିଦା ରାଜ୍ୟ ଭିତରେ ଓ ବାହାରେ ରହିଛି । ବିଭିନ୍ନ ରାଜ୍ୟର ନିର୍ମାଣକାରୀ ସଂସ୍ଥାମାନେ ଓଡିଶାରୁ ବାଲି ନେଉଛନ୍ତି । ତେବେ ସରକାରୀ ତାଲିକାରେ ବିଭିନ୍ନ ରାଜ୍ୟକୁ ଯେତିକି ବାଲି ରପ୍ତାନି ହେଉଛି ତାହାଠାରୁ ଢେର ଅଧିକ ଗଳାବାଟରେ ଯାଉଛି । ରାଜ୍ୟର ବାଲି ମାଫିଆମାନେ ଦିନ ରାତି ନଦୀ ଶଯ୍ୟାରୁ ଚୋରାରେ ବାଲି ଉଠାଇ ତାହାର ଚାଲାଣ କରୁଛନ୍ତି ।

ବାଲି ଉଠାଣକୁ ନେଇ ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତ୍‍ସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଗଣ୍ଡଗୋଳ ଉପୁଜିବା ସହିତ ବାଲି ମାଫିଆମାନେ ସରକାରୀ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ କରିବାର ନଜିର ରହିଛି । ସରକାରୀ ଗାଡି ଭାଙ୍ଗିବା, ଅଫିସରଙ୍କ ଉପରେ ଗାଡି ଚଢାଇଦେବା ଓ ବାଲିଗାଡିକୁ ରାସ୍ତାରେ ଅଟକାଉଥିବା ଅଧିକାରୀଙ୍କ ଉପରୁ ଗୁଳି ଚାଳନା ବି ହେଉଛି ।

ବାଲି ର ଦର ଦିନକୁ ଦିନ ବଢୁଥିବାବେଳେ ଏହା ସହିତ ତାଳ ଦେଇ ଚୋରି ବି ବଢୁଥିବା ଅଭିଯୋଗ ହେଉଛି । ତେଣୁ ଓଡିଶାର ଏହି ଲଘୁ ଖଣିଜ ଦ୍ରବ୍ୟର ଚାହିଦା ରାଜ୍ୟ ବାହାରେ ଢେର ରହିଥିବାରୁ ଠିକଣା ଭାବେ ଏହାର ରପ୍ତାନି କରାଗଲେ ରାଜକୋଷକୁ ବିପୁଳ ଅର୍ଥ ଆସିପାରନ୍ତା । ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)