ଭୁବନେଶ୍ୱର : ପ୍ରସୂତୀ ମୃତ୍ୟୁହାର କ୍ଷେତ୍ରରେ ଓଡିଶା ଏବେ ବି ଜାତୀୟ ହାର ଠାରୁ ଅଧିକ ରହିଛି । ସେହିଭଳି ଶିଶୁମୃତ୍ୟୁ କ୍ଷେତ୍ରରେ ବି ଓଡିଶା ଆଗରେ ଅଛି ।
ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୩ ମସିହାରେ ଓଡିଶାରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୩୫୮ଜଣ ମୃତ୍ୟୁବରଣ କରୁଥିବାବେଳେ ସେତେବେଳେ ଦେଶରେ ଏହି ମୃତ୍ୟୁସଂଖ୍ୟା ୩୦୧ ରହିଥିଲା । ତେବେ ପ୍ରସୂତୀ ମୃତ୍ୟୁହାର ହ୍ରାସ ପାଇ ୨୦୨୦ ମସିହାରେ ଓଡିଶାରେ ୧୧୯ରେ ପହଞ୍ଚିଥିବାବେଳେ ଜାତୀୟ ସ୍ତରରେ ଏହା ଶହେ ତଳକୁ ଆସି ୯୭ରେ ପହଞ୍ଚିଛି ।
ଅନୁରୂପ ଭାବେ ରାଜ୍ୟରେ ଶିଶୁମୃତ୍ୟୁ ହାର ମଧ୍ୟ ଜାତୀୟ ହାର ଠାରୁ ଅଧିକ ରହିଛି । ୨୦୦୮ ମସିହାରେ ଓଡିଶାରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୮୯ ଜଣ ମୃତ୍ୟୁବରଣ କରୁଥିବାବେଳେ ଜାତୀୟ ସ୍ତରରେ ଏହି ହାର ୬୯ ରହିଥିଲା । ଏହାପରେ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଏହା ହ୍ରାସ ପାଇ ୨୦୧୬ରେ ଏହା ଯଥାକ୍ରମେ ୫୦ ଓ ୩୬ ରହିଥିଲା । ତେବେ ୨୦୨୦ରେ ଓଡିଶାରେ ନବଜାତକଙ୍କ ମୃତ୍ୟୁହାର ପ୍ରତି ହଜାରରେ ୩୯ ରହିଥିବାବେଳେ ଦେଶରେ ଏହା ୩୨ ରହିଛି ।
ତେବେ ମାତୃ ମୃତ୍ୟୁହାର ସୂଚନା ଅନୁଯାୟୀ ଏ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆସାମ ରହିଛି । ସେଠାରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କମଧ୍ୟରୁ ୧୯୫ ଜଣ ମୃତ୍ୟୁବରଣ କରୁଥିବାବେଳେ ମଧ୍ୟପ୍ରଦେଶ ଓ ଛତିଶଗଡରେ ଏହି ହାର ୧୭୩, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୬୭, ଛତିଶଗଡରେ ୧୩୭ ଥିବାବେଳେ ଏହା ପଛକୁ ଓଡିଶାରେ ଏହା ୧୧୯ ରହିଛି । ତେବେ କେରଳରେ ଏହା ସର୍ବନିମ୍ନ ୧୯ ରହିଥିବାବେଳେ ମହାରାଷ୍ଟ୍ରରେ ୩୩, ତେଲେଙ୍ଗାନାରେ ୪୩, ଆନ୍ଧ୍ରପ୍ରଦେଶରେ ୪୫, ତାମିଲନାଡୁରେ ୫୪, ଝାଡଖଣ୍ଡରେ ୫୬, ଗୁଜୁରାଟରେ ୫୭, କର୍ଣ୍ଣାଟକରେ ୬୯ ରହିଛି ।
ସେହିଭଳି ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡିଶାର ସ୍ଥାନ ଦେଶରେ ଷଷ୍ଠ ସ୍ଥାନରେ ରହିଛି । ମଧ୍ୟପ୍ରଦେଶରେ ପ୍ରତି ହଜାରରେ ସର୍ବାଧିକ ୫୧ ଜଣ ନବଜାତକ ମୃତ୍ୟୁବରଣ କରିଥିବାବେଳେ ଉତ୍ତରରେ ଏହା ୪୩, ଛତିଶଗଡରେ ୪୧, ରାଜସ୍ଥାନ ଓ ଆସାମରେ ୪୦କରି ଏବଂ ଏହା ପଛକୁ ଓଡିଶାରେ ଏହା ୩୯ ରହିଛି ।
ତେବେ କେରଳରେ ଶିଶୁ ମୃତ୍ୟୁହାର ସବୁଠାରୁ କମ୍ ୮ ରହିଥିବାବେଳେ ତାମିଲନାଡୁରେ ୧୩, ଦିଲ୍ଲୀରେ ୧୪, ଜାମ୍ମୁ କାଶ୍ମୀରରେ ୧୭, ମହାରାଷ୍ଟ୍ରରେ ୧୮, କର୍ଣ୍ଣାଟକରେ ୨୧, ପଞ୍ଜାବରେ ୨୨ ଓ ପଡୋଶୀ ପଶ୍ଚିମବଙ୍ଗରେ ଏହା ୨୨ ରହିଛି । ସର୍ବଭାରତୀୟ ସ୍ତରରେ ଏହି ହାର ୩୨ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି । (ତଥ୍ୟ)