Home Election ପ୍ରସଙ୍ଗ ପାଲଟିଲାଣି ପାନୀୟଜଳ

ପ୍ରସଙ୍ଗ ପାଲଟିଲାଣି ପାନୀୟଜଳ

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ପ୍ରଚାର ବେଳେ ରାଜନୈତିକ ନେତାମାନେ ମଧ୍ୟ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଡ୍ୟାସବୋର୍ଡରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଗ୍ରାମୀଣ ପରିବାର ମଧ୍ୟରୁ ୭୩.୧୨ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ସଂଯୋଗ ଦିଆଯାଇଛି ।

ରାଜ୍ୟର ମୋଟ ୮୮.୬୮ ଲକ୍ଷ ପରିବାର ମଧ୍ୟରୁ ୬୪.୮୫ ଲକ୍ଷ ପରିବାରରେ କାର୍ଯ୍ୟକ୍ଷମ ଟ୍ୟାପ୍ ସଂଯୋଗ ରହିଛି, ଯାହା କି ୭୩.୧୨ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ୨୩.୮୪ ଲକ୍ଷ (୨୬.୮୮%) ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ଯୋଗାଣ ସଂଯୋଗ ମିଳିପାରିନାହିଁ । ସେହିପରି ୪୬,୪୨୨ଟି ଗାଁ ମଧ୍ୟରୁ ୩୮,୨୧୩ରୁ ଅଧିକ ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ସଂଯୋଗ କରାଯାଇଛି, ଯାହା କି ୮୨.୩୨ ପ୍ରତିଶତ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ କେରଳ ଭଳି କେତେକ ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି । ରାଜ୍ୟର ୧୮,୬୬୮ଟି ଗାଁକୁ ଶତ ପ୍ରତିଶତ ଟ୍ୟାପ୍ ଜଳ ଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି, ଅର୍ଥାତ୍‍ ଏହି ଗ୍ରାମଗୁଡ଼ିକର ସମସ୍ତ ଘରେ କାର୍ଯ୍ୟକ୍ଷମ ଟ୍ୟାପ୍ ଜଳ ଯୋଗାଣ ହୋଇଛି ।

ତଥ୍ୟ ଅନୁଯାୟୀ ଖଣିଜ ସମ୍ପଦ ସମ୍ପନ୍ନ କେନ୍ଦୁଝର ଜିଲ୍ଲା ରାଜ୍ୟରେ ୯୯.୫୯ ପ୍ରତିଶତ ପରିବାର ନଳଜଳ ଯୋଗାଣ ତାଲିକାର ଶୀର୍ଷରେ ଥିବା ବେଳେ ନୂଆପଡ଼ାରେ ୯୮.୮୩ ପ୍ରତିଶତ, ଭଦ୍ରକରେ ୯୫.୨୦ ପ୍ରତିଶତ, ଦେବଗଡ଼ରେ ୮୯.୭୩ ପ୍ରତିଶତ, ବୌଦ୍ଧରେ ୮୮.୫୦ ପ୍ରତିଶତ ଓ ଝାରସୁଗୁଡ଼ାରେ ୮୫.୭୫ ପ୍ରତିଶତ ପରିବାର ପାଇପ୍‍ ଜଳ ଯୋଗାଣ କରିଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାର ମୋଟ ପରିବାର ମଧ୍ୟରୁ ୮୨.୯୬ ପ୍ରତିଶତ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ୮୦.୯୦ ପ୍ରତିଶତ, ବାଲେଶ୍ୱରରେ ୭୯.୮୬ ପ୍ରତିଶତ, ସୁନ୍ଦରଗଡ଼ରେ ୭୮.୨୯ ପ୍ରତିଶତ ଓ ରାୟଗଡ଼ାରେ ୭୭.୩୬ ପ୍ରତିଶତ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଦିଆଯାଇଛି ।

ମାଲକାନଗିରି ଜିଲ୍ଲା ଏହି ତାଲିକାର ସବୁଠାରୁ ତଳେ ରହିଛି, ଯେଉଁଠି ମୋଟ ଗ୍ରାମୀଣ ଘର ମଧ୍ୟରୁ ମାତ୍ର ୫୨.୫୬ ପ୍ରତିଶତ ଘରେ ଟ୍ୟାପ୍ ଜଳ ସଂଯୋଗ ରହିଛି । ଏହା ପୂର୍ବରୁ ବଲାଙ୍ଗୀର (୫୩.୯୪ ପ୍ରତିଶତ), ଗଜପତି (୫୭.୮୫ ପ୍ରତିଶତ), ଜଗତସିଂହପୁର (୫୮.୧୫ ପ୍ରତିଶତ), ସମ୍ବଲପୁର (୫୮.୫୩ ପ୍ରତିଶତ) ଓ ନୟାଗଡ଼ (୬୦.୭୬%) ରହିଛନ୍ତି । ଗତ ଆର୍ଥିକ ବର୍ଷରେ ଓଡ଼ିଶାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦:୫୦ ଭାଗରେ ମୋଟ ୪,୮୬୯.୦୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୨୨-୨୩ରେ ୪୩୧୬.୪୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । (ତଥ୍ୟ)