Home Election ଗୋଡଟଣା ରାଜନୀତି ଆରମ୍ଭ

ଗୋଡଟଣା ରାଜନୀତି ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ସରକାର ଗଠନ ପାଇଁ ଦାବି କରିବାପରେ ଏବେ ବିଭିନ୍ନ ଜିଲ୍ଲାରେ ଗୋଡଟଣା ରାଜନୀତି ଆରମ୍ଭ ହୋଇଯାଇଛି । ନିଜର ବିଜୟ ସୁନିଶ୍ଚିତ ସହିତ କିଭଳି ମନ୍ତ୍ରୀପଦ ପାଇବେ ତାହାକୁ ଆଖିଆଗରେ ରଖି ନିଜ ଦଳର ପ୍ରାର୍ଥୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି ।

ପ୍ରାର୍ଥୀପତ୍ର ଘୋଷଣା ପରଠାରୁ ପ୍ରାୟ ଅଧିକାଂଶ ଜିଲ୍ଲାରେ ଦଳୀୟ କନ୍ଦଳ ଲାଗି ରହିଛି । ବିଧାନସଭା ଲଢିବାପାଇଁ ଏକାଧିକ ଆଶାୟୀ ଥିବାରୁ ଏବେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଢେର ଅଧିକ ରହିଛି । ଏପରିକି କେତେକ ଅସନ୍ତୁଷ୍ଟ ରାତାରାତି ଦଳ ତ୍ୟାଗ କରି ଅନ୍ୟ ଦଳର ଗାମୁଛା ବେକରେ ପକାଇ ଏବେ ପ୍ରାର୍ଥୀ ହୋଇଛନ୍ତି ନହେଲେ ପୂର୍ବ ଦଳ ବିରୁଦ୍ଧରେ ପ୍ରଚାରରେ ମାତିଛନ୍ତି । ବହୁ ସ୍ଥାନରେ ଏବେ ବି ଅସନ୍ତୁଷ୍ଟଙ୍କ ମାନ ଭଞ୍ଜନ ପ୍ରକ୍ରିୟା ଜାରି ରହିଛି ।

ତେବେ ସରକାର ଗଠନ ପାଇଁ ଦୁଇ ଦଳ ତାରିଖ ଓ ସମୟ ଦେବାପରେ ରାଜ୍ୟରେ ଏବେ ନିର୍ବାଚନ ଆଲୋଚନା ସହିତ ସରକାର ଗଠନ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଏପରିକି କେଉଁ ଦଳ ସରକାର ଗଢିଲେ କିଏ ମନ୍ତ୍ରୀ ହେବ ତାହାକୁ ନେଇ ବି ଚର୍ଚ୍ଚା ଆଗକୁ ବଢୁଛି । ଏହା ଭିତରେ ବିଭିନ୍ନ ଦଳର ମନ୍ତ୍ରୀ ଆଶାୟୀମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଟପି କିଭଳି ଆଗକୁ ଯିବେ ସେଥିପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।

ଏଭଳି ସ୍ଥିତି ଯୋଗୁଁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶା ବିଶେଷକରି ଯେଉଁସବୁ ସ୍ଥାନରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି ସେଠାରେ ଏବେ ମନ୍ତ୍ରୀ ଆଶାୟୀ ପ୍ରାର୍ଥୀମାନେ ନିଜେ ଜିଣିବା ସହିତ ନିଜ ଦଳର ହେଭିୱେଟ ମାନେ ଯେଭଳି ଆଗକୁ ନବଢନ୍ତି ସେଥିପାଇଁ କସରତ ଆରମ୍ଭ କରିଦେଇଛନ୍ତି । ଏପରିକି କାଳେ ଅନ୍ୟମାନେ ଜିଣିଲେ ନିଜର ମନ୍ତ୍ରୀପଦ ପ୍ରତି ବିପଦ ରହିବ ତାହାର ପ୍ରତିକାର ପାଇଁ ରଣନୀତି ବି ପ୍ରସ୍ତୁତ ହେଲାଣି ।

ଯେଉଁ ପ୍ରାର୍ଥୀମାନେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥାନ୍ତି ସେମାନେ ମୁଖ୍ୟତଃ ଚର୍ଚ୍ଚାରେ ରହିବା ସହିତ ମନ୍ତ୍ରୀମଣ୍ଡଳ ଗଠନ ସମୟରେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ । ତାହାକୁ ଦୃଷ୍ଟିରେ ରଖି ନିଜେ ଅଧିକ ଭୋଟରେ ବିଜୟୀ ହେବା ସହିତ ନିଜ ଦଳର ଅନ୍ୟ ମନ୍ତ୍ରୀ ଆଶାୟୀମାନେ କିଭଳି କମ୍‍ ଭୋଟ ପାଇ ବିଜୟୀ ହେବେ ସେଥିପାଇଁ କିଛି ପ୍ରାର୍ଥୀ ନିଜର ଶକ୍ତି ଓ ସାମର୍ଥ ଖଟାଉଥିବା ନେଇ ବିଭିନ୍ନ ଜିଲ୍ଲାରେ ଆଲୋଚନା ଆରମ୍ଭ ହୋଇଛି ।

ରାଜନୈତିକ ବିଶାରଦମାନଙ୍କ ମତରେ ମତଦାନ ପୂର୍ବରୁ ଏଭଳି ବଳ କଷାକଷି କୌଣସି ରାଜନୈତିକ ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ । ଅନ୍ୟକୁ ତଳକୁ ଖସାଇବା ପାଇଁ ହେଉଥିବା ଉଦ୍ୟରେ ଯଦି ପ୍ରାର୍ଥୀ ଖସିପଡନ୍ତି ତେବେ ମନ୍ତ୍ରୀ ହେବାର ଆଶା ଆଶରେ ହିଁ ରହିଯିବ । ଏଥି ସହିତ ଏଭଳି ପ୍ରତିଦ୍ୱନ୍ଦିତା ଜାରି ରହିଲେ ଏହାର କୁପ୍ରଭାବ କର୍ମୀଙ୍କ ଉପରେ ପଡିବ ଓ ସେମାନେ ପରସ୍ପର ବିରୁଦ୍ଧରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କାଳ ହେବାର ସମ୍ଭାବନା ରହିଛି । ତେଣୁ ନିଜ ଦଳ କିଭଳି ବିଜୟୀ ହୋଇ ସରକାର ଗଠନକରିବ ସେଥିପାଇଁ ପ୍ରାର୍ଥୀମାନେ ଉଦ୍ୟମ କରିବା ଉଚିତ୍‍ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)