Home Health ଲୁପସ୍ ଦିବସରେ ସଚେତନତା

ଲୁପସ୍ ଦିବସରେ ସଚେତନତା

ଭୁବନେଶ୍ୱର : ଲୁପସ୍ ଏକ ସଂକ୍ରାମକ ରୋଗ ନୁହେଁ । ଏହା ଏକ ଅଟୋ ଇମ୍ୟୁନ୍ (ସ୍ୱ-ପ୍ରତିରକ୍ଷୀ) ରୋଗ । ତେବେ ଏହାର ଚିକିତ୍ସା ସମ୍ଭବ । ତେଣୁ ରୋଗକୁ ଡରିବା ପରିବର୍ତେ ଉପଯୁକ୍ତ ଚିକିତ୍ସା କରାଗଲେ ମଣିଷ ସୁସ୍ଥ ହୋଇପାରିବ । ଏଭଳି ସଚେତନତାର ବାର୍ତା ନେଇ ବିଶ୍ୱ ଲୁପସ୍ ଦିବସ ଅବସରରେ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ରାଲି ଆୟୋଜିତ ହୋଇଯାଇଛି ।

ଶୁକ୍ରବାର ସକାଳେ ରାଜଧାନୀର ମାଷ୍ଟର କ୍ୟାଂଟିନ୍ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ସଚେତନତା ରାଲିର ଆୟୋଜନ କରାଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଓ ଇଣ୍ଡିଆନ୍ ର‌୍ୟୁମାଟୋଲୋଜି ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡାକ୍ତର ଏମ୍‌. କେ. ଛୋଟରାୟ ଯୋଗ ଦେଇ ରାଲିର ଶୁଭାରମ୍ଭ କରିଥିଲେ ।

ସମ୍ ହସ୍ପିଟାଲର ଏଭଳି ସଚେତନତା ପଦକ୍ଷେପକୁ ପ୍ରଶଂସା କରି ଲୁପସ୍ ଭଳି ରୋଗକୁ ପରାସ୍ତ କରିବା ନିମନ୍ତେ ଉପଯୁକ୍ତ ଚିକିତ୍ସା ଓ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ସେହିପରି ଲୁପସ୍‌ରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ଶରୀରର ଅନ୍ୟାନ୍ୟ ଅଂଗ ମଧ୍ୟ ଆକ୍ରାନ୍ତ ହୋଇଥାଏ । ତେଣୁ ଏ ଦିଗରେ ଉଚିତ୍ ପରୀକ୍ଷା ଓ ଚିକିତ୍ସା ଜରୁରୀ ବୋଲି ଡାକ୍ତର ଛୋଟରାୟ କହିଥିଲେ ।

ଏହି ଅବସରରେ ସମ୍ ହସ୍ପିଟାଲ କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ଲୁପସ୍ ରୋଗ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ୧୫ ରୁ ୫୦ ବର୍ଷ ମଧ୍ୟରେ ଥିବା ବାଳିକା ଓ ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି ବୋଲି କହିଥିଲେ । ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ସୃଷ୍ଟି ହେଲେ ଲୁପସ୍ ଭଳି ମାରାତ୍ମକ ବ୍ୟାଧି ଶରୀରରେ ଦେଖା ଦେଇଥାଏ । ଶରୀରରେ ବିଭିନ୍ନ ପ୍ରକାର ଦାଗ, ଜ୍ୱର, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ହୃଦ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥି ନିମନ୍ତେ ଠିକ୍ ସମୟରେ ରୋଗର ଚିହ୍ନଟ, ଉପଯୁକ୍ତ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି ର‌୍ୟାଲିରେ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତୀ ମିନତୀ ମିଶ୍ର, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଡିଜିଏମ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ ଓ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।

ବିଶ୍ୱ ଲୁପସ୍ ଦିବସ ପରିପ୍ରେକ୍ଷୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସିଏମ୍‌ଇର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସିଏମ୍‌ଇରେ ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ରୋଗର ପରୀକ୍ଷା, ଚିକିତ୍ସା ଓ ସଚେତନତା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଶିଶୁରୋଗ ବିଭାଗର ପ୍ରଫେସର ତଥା ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର ରଚିତା ଷଢ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ରୋଗର କାରଣ ଓ ନିରାକରଣ ବାହାର କରିବା ନିମନ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । ଏହି ସମସ୍ୟା ହୃଦ୍‌ଯନ୍ତ୍ର ଏବଂ ବୃକକକୁ ମଧ୍ୟ ଆକ୍ରାନ୍ତ କରିଥାଏ । ତେଣୁ ଖୁବ୍ କମ୍ ବୟସରୁ ଏହି ସମସ୍ୟା ଦେଖା ଦେଉଥିବାରୁ ଅଭିଭାବକମାନେ ମଧ୍ୟ ଏ ଦିଗରେ ସଚେତନ ହେବା ଉଚିତ୍ ବୋଲି ସେ କହିଥିଲେ । ସିଏମ୍‌ଇରେ ଡାକ୍ତର ପାତ୍ରୋ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।