ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରାଯିବାର ଶେଷ ସମୟ ପାଖେଇ ଆସୁଥିବାବେଳେ ଏଯାବତ୍ କିନ୍ତୁ କିଏ ପ୍ରାର୍ଥୀ ହେବେ ସେ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳୁନାହିଁ । ତେବେ ବିଧାନସଭାର ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଦଳ ଢେର୍ ପଛରେ ରହିଥିବା ଓ ଏହି ଦୁଇଦଳ ବାଚସ୍ପତି ନିର୍ବାଚନକୁ ବର୍ଜନ ଲାଗି ଘୋଷଣା କରିଥିବା ପରିପ୍ରେକ୍ଷୀରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ବିଜେଡି ଯାହାକୁ ଚାହିଁବ ତାଙ୍କୁ ବାଚସ୍ପତି ଆସନରେ ବସାଇବା ଏକପ୍ରକାର ନିଶ୍ଚିତ ।
ଆସନ୍ତା ୧୮ ତାରିଖ ହେଉଛି ବାଚସ୍ପତି ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ଦିନ । ଯେଉଁ ବିଧାୟକମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ମନୋନୟନପତ୍ର ଦାଖଲ କରିବେ ତାହାର ତନଖି କରାଯିବା ପରେ ଯଦି ଆବଶ୍ୟକ ପଡେ ତା’ ହେଲେ ଆସନ୍ତା ୨୧ ତାରିଖରେ ବାଚସ୍ପତି ପଦବୀ ପାଇଁ ବିଧାନସଭା ସଚିବାଳୟ ପରିସରରେ ଭୋଟ ଗ୍ରହଣ କରାଯାଇପାରେ । ଘୋଷିତ କାର୍ଯ୍ୟକ୍ରମ ମୁତାବକ ଆସନ୍ତା ୨୨ ତାରିଖ ଠାରୁ ରାଜ୍ୟ ବିଧାନସଭାର ବର୍ଷାକାଳୀନ ଅଧିବେଶନ ନୂଆ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବାରେ ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଧାନସଭା ବାଚସ୍ପତି ପଦବୀରୁ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବାପରେ ଅନ୍ୟତମ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇଥିଲେ । ଶ୍ରୀ ଆରୁଖ ମଧ୍ୟ ବାଚସ୍ପତି ପଦବୀରୁ ଇସ୍ତଫା ଦେଇ ଏବେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ରହିଥିବାବେଳେ ଉପ ବାଚସ୍ପତି ରଜନୀକାନ୍ତ ସିଂହ କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଆଉ ୬/୭ମାସ ସମୟ ବାକି ରହିଛି । ତେବେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ବିଧାନସଭା ଭାଙ୍ଗିଗଲେ ମଧ୍ୟ ପରବର୍ତ୍ତୀ ବିଧାନସଭା ଗଠନ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ।
ବିଜେଡିର କେଉଁ ବିଧାୟକ କିମ୍ବା ବିଧାୟିକା ବାଚସ୍ପତି ପଦପାଇଁ ନିର୍ବାଚନ ଲଢିବେ ତାହା ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ । ଏଥିଘେନି ଦଳର ବହୁ ବରିଷ୍ଠ ବିଧାୟକ ଓ ମନ୍ତ୍ରୀଙ୍କ ନାମ ଚର୍ଚ୍ଚାରେ ରହିଛି । ଏମିତିକି ବିଜେଡି ଏଥର ମହିଳା କାର୍ଡ ଖେଳି ଜଣେ ମହିଳାଙ୍କୁ ବାଚସ୍ପତି କରାଇପାରେ ବୋଲି ବିଭିନ୍ନ ମହଲରେ ପୂର୍ବାନୁମାନ କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ଏଯାବତ୍ ଓଡ଼ିଶା ବିଧାନସଭାରେ କୌଣସି ମହିଳା ବାଚସ୍ପତି ଆସନ ଅଳଙ୍କୃତ କରିନାହାନ୍ତି । ଯଦି କୌଣସି ମହିଳାଙ୍କୁ ବାଚସ୍ପତି ହେବାଲାଗି ବିଜେଡି ସୁଯୋଗ ଦିଏ ତେବେ ତାହା ସକାରାତ୍ମକ ସଂକେତ ଦେଇପାରେ ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ସରକାରୀ ଚାକିରି ଏବଂ ପୌର ଓ ପଞ୍ଚାୟତିରାଜ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମହିଳାମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକ ଗତ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏବେ ରାଜ୍ୟର ପ୍ରାୟ ଦୁଇ ତୃତୀୟାଂଶ ଜିଲ୍ଲା ପରିଷଦର ନେତୃତ୍ୱ ମହିଳାମାନଙ୍କ ହାତରେ ରହିଛି । ସେହିଭଳି ଅର୍ଦ୍ଧାଧିକ ପଞ୍ଚାୟତ ସମିତି ଗ୍ରାମ ପଞ୍ଚାୟତ ଏବଂ ପୌର ସଂସ୍ଥାର ନେତୃତ୍ୱ ବି ମହିଳାମାନଙ୍କ ହାତରେ । ରାଜ୍ୟର ତିନୋଟି ମହାନଗର ନିଗମ ମଧ୍ୟରୁ ଦୁଇଟିରେ ମହିଳାମାନେ ମେୟର ରହିଛନ୍ତି ।
ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ସର୍ବାଧିକ ୫ଜଣ ମହିଳା ସଦସ୍ୟା ରହିଛନ୍ତି । ଏହାଛଡା ବିଧାନସଭାରେ ମଧ୍ୟ କେତେକ ପୂର୍ବତନ ମହିଳାମନ୍ତ୍ରୀ ସଦସ୍ୟା ଅଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଲୋକସଭାରେ ଯାହାର ଏକ ତୃତୀୟାଂଶ ମହିଳା ସଦସ୍ୟ ରହିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଘେନି ବିଲ୍ ପାରିତ କରିବାକୁ ବିଜେଡି ବାରମ୍ବାର ଦାବି କରିବା ସହ ବିଭିନ୍ନ ଦଳ ସହିତ ଯୋଗାଯୋଗରେ ରହିଛି ।
ଏହି ପୃଷ୍ଠଭୂମିରେ ଜଣେ ମହିଳାଙ୍କୁ ଓଡ଼ିଶ।। ବିଧାନସଭାର ବାଚସ୍ପତି କରାଯିବା ଆଶଙ୍କାକୁ ଏଡାଇ ଦେଇହେବାନହିଁ । ତେବେ ଆଉ କେତେକ ମହଲ କହୁଛନ୍ତି ଯେ ମନ୍ତ୍ରୀ ମଣ୍ଡଳର କୌଣସି ସଦସ୍ୟ କିମ୍ବା ବିଧାନସଭାର ସଦସ୍ୟ ଥିବା ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ ବି ବାଚସ୍ପତି ପଦବୀ ପାଇଁ ଚୟନ କରାଯାଇପାରେ । ତେବେ ଓଡ଼ିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି କିଏ ହେବେ ତାହାର ସ୍ପଷ୍ଟଚିତ୍ର ଜଣାପଡିବ । (ତଥ୍ୟ)