Home General ନୂଆ ଜିଲ୍ଲା ଗଠନର ଆଶା ସଞ୍ଚାର

ନୂଆ ଜିଲ୍ଲା ଗଠନର ଆଶା ସଞ୍ଚାର

ଭୁବନେଶ୍ୱର : ରାଇରଙ୍ଗପୁରକୁ ସରକାର ବିଧିବଦ୍ଧ ଭାବେ ପୁଲିସ୍‍ ଜିଲ୍ଲାରେ ପରିଣତ କରିବାପରେ ଏହାକୁ ରାଜସ୍ୱ ଜିଲ୍ଲା କରିବାପାଇଁ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି । ଏ ପରିପ୍ରେକ୍ଷୀରେ ଖୁବ୍‍ଶୀଘ୍ର ଓଡିଶାରେ ଆଉଥରେ ଜିଲ୍ଲା ପୁର୍ନଗଠନ ହେବା ସମ୍ଭାବନା ଉଜ୍ୱଳ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନବେଳେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୬ରେ ସୀମିତ ଥିଲା । ଗଡଜାତ ମିଶ୍ରଣ ପରେ ଏହି ସଂଖ୍ୟା ୧୨ ହୋଇଥିଲା । ପରବର୍ତ୍ତୀ ସମୟରେ କଳାହାଣ୍ଡି ଓ ବଲାଙ୍ଗିର ପୃଥକ ହେବାରୁ ଜିଲ୍ଲା ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା । ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ଅଞ୍ଚଳରୁ ବର୍ଷ ବର୍ଷ ଧରି ଦାବି ହେବାପରେ ରାଜ୍ୟ ସରକାର ଜଷ୍ଟିସ ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଇଥିଲେ ଏବଂ ସତୁରୀ ଦଶକରେ ଏହି କମିଟି ମଧ୍ୟ ଜିଲ୍ଲା ପୁର୍ନଗଠନ ସପକ୍ଷରେ ସୁପାରିଶ୍‍ କରିଥିଲେ । ତେବେ ରାଜନୈତିକ ବାଦ ବିବାଦ ଯୋଗୁଁ ଏ ପ୍ରସଙ୍ଗ ଦୀର୍ଘବର୍ଷ ଧରି ଏକ ପ୍ରକାର ଶୀତଳଭଣ୍ଡାରରେ ପଡି ରହିଥିବାବେଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୯୦ଦଶକରେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ଜିଲ୍ଲାସଂଖ୍ୟା ଏକାଥରକେ ୧୩ରୁ ୩୦କୁ ବୃଦ୍ଧି ପାଇଥିଲା ।

ନବେ ଦଶକରେ ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରକୁ ଛାଡି ଅନ୍ୟ ସବୁ ଜିଲ୍ଲାର ବିଭାଜନ ଘଟିଥିଲା । ପରବର୍ତ୍ତୀ ସମୟରେ ଏହି ତିନି ଜିଲ୍ଲାକୁ ଭାଙ୍ଗି ଛୋଟ ଛୋଟ ରାଜସ୍ୱ ଜିଲ୍ଲାରେ ପରିଣତ କରାଯିବ ବୋଲି ସେ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା । ଭୌଗଳିକ ପରିସୀମା ଦୃଷ୍ଟିରୁ ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ବେଶ୍‍ ବଡ ଥିବାରୁ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ କରିବାଲାଗି ଏହି ତିନି ଜିଲ୍ଲାକୁ ବିଭାଜିତ କରି ଅତି କମ୍‍ରେ ଆଉ ୮ଟି ଜିଲ୍ଲା ଗଠନ କରିବାକୁ ଦୀର୍ଘଦିନ ଧରି ଦାବି ଚାଲିଛି । ଏହାଦ୍ୱାରା ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରିବା ଏବଂ ଗଞ୍ଜାମ ସମେତ ଆଉ କେତେକ ଜିଲ୍ଲାରେ ବିଭାଜନ ପାଇଁ ମଧ୍ୟ ବାରମ୍ବାର ଦାବି ଉଠୁଛି ।

ଏବେ ରାଜ୍ୟ ସରକାର ରାଇରଙ୍ଗପୁରକୁ ପୁଲିସ୍‍ ଜିଲ୍ଲାର ମାନ୍ୟତା ଦେଇଛନ୍ତି । ଫଳରେ ଏହି ପୁଲିସ୍‍ ଜିଲ୍ଲା ଅଧିନରେ ଯେଉଁସବୁ ଅଞ୍ଚଳ ରହିବ ତାହା ଉପରେ ଆଉ ବାରିପଦା ସ୍ଥିତ ମୟୁରଭଞ୍ଜ ଏସ୍‍ପିଙ୍କ ନିୟନ୍ତ୍ରଣ ରହିବନାହିଁ । ରାଇରଙ୍ଗପୁରର ଏସ୍‍ପି ତାଙ୍କ ଜିଲ୍ଲାର ଆଇନ୍‍ଶୃଙ୍ଖଳା କଥା ବୁଝିବେ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗତ ୨୦ତାରିଖରେ ରାଇରଙ୍ଗପୁର ପୁଲିସ୍‍ ଜିଲ୍ଲା ମୁଖ୍ୟାଳୟ ସୌଧ ଉଦଘାଟିତ ହେବାପରେ ଖୁବ୍‍ଶୀଘ୍ର ରାଇରଙ୍ଗପୁର ରାଜସ୍ୱ ଜିଲ୍ଲା ମାନ୍ୟତା ପାଇବ ବୋଲି ସେ ଅଞ୍ଚଳର ଲୋକେ ଦୃଢ ଆଶାବ୍ୟକ୍ତ କରୁଛନ୍ତି ।

ଏ ପରିପ୍ରେକ୍ଷୀରେ ରାଉରକେଲା, ଆନନ୍ଦପୁର, ପଦ୍ମପୁର ଆଦିକୁ ଜିଲ୍ଲା ମାନ୍ୟତା ଦେବାପାଇଁ ଦୀର୍ଘଦିନରୁ ଯେଉଁ ଦାବି ହେଉଛି ସେଥିପ୍ରତି ପ୍ରଶାସନିକ ସ୍ତରରେ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର । ଦେଶର ବିଭିନ୍ନ ରାଜ୍ୟରେ ଥିବା ରାଜଧାନୀଗୁଡିକରେ ଜିଲ୍ଲା ମହୁକୁମାମାନ ରହିଛି । ତେବେ ପୁରୀ ଜିଲ୍ଲାକୁ ତିନିଭାଗରେ ବିଭକ୍ତ କରାଯିବାବେଳେ ଖୋରଧା ଜିଲ୍ଲାର ସଦର ମହୁକୁମା ଭୁବନେଶ୍ୱରରେ ରଖାଯାଇଥିଲା । କିନ୍ତୁ ପରେ ଖୋରଧା ଜିଲ୍ଲାର ଜିଲ୍ଲାପାଳଙ୍କ ଦପ୍ତର ସମେତ ଅନ୍ୟାନ୍ୟ ଜିଲ୍ଲା କାର୍ଯ୍ୟାଳୟ ସବୁ ଖୋରଧାକୁ ସ୍ଥାନାନ୍ତରିତ ହୋଇଛି । ଭୁବନେଶ୍ୱରରେ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କର ଉପସ୍ଥିତି ଆବଶ୍ୟକ ପଡୁଥିବାରୁ ଖୋରଧା ଜିଲ୍ଲାପାଳଙ୍କୁ ବାରମ୍ବାର ରାଜଧାନୀ ଦଉଡିବାକୁ ପଡୁଛି । ଏ ପରିପ୍ରେକ୍ଷୀରେ ପ୍ରାୟ ୪୦ବର୍ଷ ଧରି ନିରନ୍ତରଭାବେ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ପାଇଁ ଯେଉଁ ଦାବି ହୋଇ ଆସୁଛି ସେଥିଘେନି ମଧ୍ୟ ଆଶାୟୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।

ସରକାରୀ ସ୍ତରରେ ବ୍ଲକ, ସବଡିଭିଜନ, ତହସିଲ ଓ ଜିଲ୍ଲା ପୁର୍ନଗଠନ ଘେନି କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଏ ସଂକ୍ରାନ୍ତରେ ଠିକଣା ସମୟରେ ସରକାର ଠିକଣା ନିଷ୍ପତ୍ତି ନେଇପାରନ୍ତି ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଓ ରାଜନୈତିକ ମହଲରୁ ସୂଚନା ମିଳୁଛି । (ତଥ୍ୟ)