ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲକାରୀଙ୍କ ବିରୁଦ୍ଧରେ ସରକାରଙ୍କର କଡା ଆଭିମୁଖ୍ୟ ଯୋଗୁଁ ଗତ ଦୁଇବର୍ଷରେ ସରକାରୀ ଖାତାକୁ ପାଖାପାଖି ୧୨୦ ଏକର ସରକାରୀ ଜମି ଫେରିଥିବାବେଳେ ଏବେ ବି ୩୮୦ଏକର ଜମି ଜବରଦଖଲରେ ରହିଛି । ଏଗୁଡିକୁ ମୁକୁଳାଇବାପାଇଁ ସରକାର ଆଇନ୍ଗତ ଲଢେଇ ଲଢୁଥିବାବେଳେ ପ୍ରତିଦିନ କେଉଁଠି ନା କେଉଁଠି ଜବରଦଖଲ ଉଚ୍ଛେଦ କରୁଛନ୍ତି ।
ରାଜଧାନୀରେ ମୂଲ୍ୟବାନ୍ ଜମି ଜବରଦଖଲ କରିବା ଏକ ସାଧାରଣ କଥା ହୋଇଥିବାବେଳେ ଜବରଦଖଲକାରୀମାନେ ପ୍ରାୟ ୫୦୦ ଏକର ସରକାରୀ ଜମିକୁ ମାଡି ବସିଛନ୍ତି । କେଉଁଠି ଘର ତିଆରି କରିଛନ୍ତି ତ ଆଉ କେଉଁଠି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି । ସରକାର ଏହିସବୁ ଜମି ମୁକୁଳାଇବାପାଇଁ ୧୧ହଜାରରୁ ଅଧିକ ମାମଲା ଲଢୁଛନ୍ତି ।
ତେବେ ଜମି ଜବରଦଖଲରେ ରେକର୍ଡ କରିଛି ସହରର କେନ୍ଦ୍ରସ୍ଥଳରେ ଥିବା ଜୟଦେବବିହାର ଅଞ୍ଚଳ । ଏଠାରେ ୧୪୮ ଏକର ଜମି ଜବରଦଖଲ ହୋଇଥିବାବେଳେ ତାହାକୁ ମୁକୁଳାଇବାପାଇଁ ସରକାର ୫ହଜାରରୁ ଅଧିକ ମାମଲା ଲଢୁଛନ୍ତି । ଚନ୍ଦ୍ରଶେଖରପୁରରେ ୩୩ଏକର, ଗାଡକଣରେ ୩୨ଏକର, ପଟିଆରେ ୨୮ଏକର, ବରମୁଣ୍ଡାରେ ୨୪ଏକର, କଳିପପ୍ରସାଦରେ ୨୨ଏକର, ଡୁମୁଡୁମାରେ ୧୭ଏକର, ସତ୍ୟନଗର ଓ ଖାରବେଳନଗରରେ ୬ଏକର କରି, ବାପୁଜୀନଗରରେ ୫ଏକର ସରକାରୀ ଜମି ବି ଜବରଦଖଲରେ ରହିଛି ।
ଜବରଦଖଲକାରୀମାନେ ଏହି ମୂଲ୍ୟବାନ ଜମିକୁ ବର୍ଷ ବର୍ଷ ଧରି ନିଜ ନିୟନ୍ତ୍ରଣରେ ରଖିବା ସହିତ ସରକାରଙ୍କ ବିରୁଦ୍ଧରେ ମାମଲାଟିଏ ରୁଜୁ କରିଦେଇଛନ୍ତି । ଅଦାଲତରେ ମାମଲା ଥିବା ଯୋଗୁଁ ଏଗୁଡିକୁ ମୁକୁଳାଇବା ଏତେଟା ସହଜ ହେଉନାହିଁ । ଅନେକ ସ୍ଥାନରେ ସରକାରୀ ଜମି ଉପରେ ବସ୍ତି ଗଢିବା ଯୋଗୁଁ ସେଗୁଡିକୁ ହଟାଇବା ବି ସରକାରଙ୍କ ପାଇଁ କାଠିକରପାଠ ହୋଇଛି । ରାଜଧାନୀରେ ଥିବା ଖଦିବୋର୍ଡର ମୂଲ୍ୟବାନ ଜମିକୁ ଜବରଦଖଲ କରାଯାଇ ସେଠାରେ ବସ୍ତି ନିର୍ମାଣ ହୋଇଥିଲେ ମଧ୍ୟ ସରକାର ସେହି ଜମିକୁ ଫେରାଇ ଆଣିପାରୁ ନାହାନ୍ତି । ପୁଲିସ୍-ପ୍ରଶାସନ ମଧ୍ୟରେ ତାଳମେଳ ରହୁନଥିବାରୁ ଏହି ଜମି ଏବେ ବି ଜବରଦଖଲରେ ରହିଛି ।
ରାଜ୍ୟ ସରକାର ଜବରଦଖଲ ହୋଇଥିବା ସରକାରୀ ଜମିକୁ ମୁକୁଳାଇବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବାବେଳେ ଏବେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ତେବେ ସହରାଞ୍ଚଳରେ ଜବରଦଖଲକାରୀମାନେ ଏକାଧିକ ମାମଲା ରୁଜୁ କରିବା ଓ ସରକାରୀ ଜମି ଉପରେ ବସ୍ତି ନିର୍ମାଣ କରିଥିବାରୁ ତାହାକୁ ମୁକୁଳାଇବା ଏତେଟା ସହଜ ହେଉନାହିଁ । ମାଫିଆମାନେ ସରକାରୀ ଜମିରେ ଘର ତିଆରିକରି ତାହାକୁ ଭଡାଦେଇ ସେହି ଅର୍ଥରେ ସରକାରଙ୍କ ବିରୁଦ୍ଧରେ ମାମଲା ଲଢୁଛନ୍ତି । ତେବେ ସରକାର ବର୍ତ୍ତମାନ ରାଜଧାନୀରେ ଯେଉଁ ଜବରଦଖଲମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ସେଥିରେ ପ୍ରତ୍ୟେକ ୱାର୍ଡର ନିର୍ବାଚିତ ପ୍ରତିନିଧି, ୱାର୍ଡ ଅଫିସରମାନଙ୍କୁ ସାମିଲ କରାଗଲେ ଅଧିକ ପରିମାଣରେ ଜମି ସରକାରୀ ଖାତାକୁ ଫେରିପାରିବ ବୋଲି କୁହାଯାଉଛି । (ତଥ୍ୟ)

