Home Excise ନିଶାଡିଙ୍କ ହାର ଓଡିଶାରେ ଅଧିକ

ନିଶାଡିଙ୍କ ହାର ଓଡିଶାରେ ଅଧିକ

ଭୁବନେଶ୍ୱର : ଓଡ଼ିଶାରେ ନିଶାଡିଙ୍କ ହାର ଜାତୀୟ ହାର ତୁଳନାରେ ଢେର୍‍ ଅଧିକ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ପ୍ରକାଶିତ ତଥ୍ୟ ଆଧାରରେ ଏହା କୁହାଯାଉଛି ।

ଏହି ରିପୋର୍ଟ ମୁତାବକ ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାରକାରୀଙ୍କ ହାର ୮.୯ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୨୬ ପ୍ରତିଶତ ରହିଛି । କେବଳ ସେତିକି ନୁହେଁ, ଜାତୀୟ ସ୍ତରରେ ଏହି ବୟସର ମହିଳାଙ୍କ ମଧ୍ୟରୁ ସହରାଞ୍ଚଳରେ ୫.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୦.୫ ପ୍ରତିଶତ ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ ଏହି ବୟସର ମହିଳାଙ୍କ ଭିତରୁ ସହରାଞ୍ଚଳରେ ୧୬.୬ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ଦର୍ଶାଯାଇଛି ।

ସେହିପରି ୧୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷଙ୍କ ଭିତରେ ଜାତୀୟ ସ୍ତରରେ ୩୮ ପ୍ରତିଶତ ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ ଏହି ହାର ୫୧.୬ ପ୍ରତିଶତ ରହିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟ ମୁତାବକ ଦେଶର ସହରାଞ୍ଚଳରେ ଏହି ବୟସ ବର୍ଗର ୨୮.୮ ଓ ଗ୍ରାମାଞ୍ଚଳରେ ୪୨.୭ ପ୍ରତିଶତ ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ ଏହି ହାର ଯଥାକ୍ରମେ ୪୦.୫ ଓ ୫୪.୧ ପ୍ରତିଶତ ଦର୍ଶାଯାଇଛି ।

ଆଲ୍‍କହଲ୍‍ ବା ମଦ ସେବନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଢେର୍‍ ଆଗରେ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୫ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ମଧ୍ୟରୁ ଜାତୀୟ ସ୍ତରରେ ମାତ୍ର ୧.୩ ପ୍ରତିଶତ ଆଲ୍‍କହଲ୍‍ ସେବନ କରୁଥିବାବେଳେ ସେମାନଙ୍କ ଭିତରୁ ସହରାଞ୍ଚଳରେ ୦.୬ ଓ ଗ୍ରାମାଞ୍ଚଳରେ ୧.୬ ପ୍ରତିଶତ ଥିବା କୁହାଯାଉଛି । ଅନ୍ୟପକ୍ଷରେ ଓଡ଼ିଶାରେ ୧୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ମଧ୍ୟରୁ ୪.୩ ପ୍ରତିଶତ ମଦ୍ୟପାନ କରୁଥିବାବେଳେ ସେମାନଙ୍କ ଭିତରେ ସହରାଞ୍ଚଳର ୧.୪ପ୍ରତିଶତ ଓ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ଥିବା ଏହି ଜାତୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏନ୍‍ଏଫ୍‍ଏଚ୍‍ଏସ୍‍-୫ ରିପୋର୍ଟରେ ପୁଣି ଦର୍ଶାଯାଇଛି ଯେ ୧୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷଙ୍କ ମଧ୍ୟରେ ଜାତୀୟ ସ୍ତରରେ ୧୮.୮ ପ୍ରତିଶତ ଆଲ୍‍କହଲ୍‍ ସେବନକାରୀ ଥିବାବେଳେ ସହରାଞ୍ଚଳରେ ଏହି ବୟସବର୍ଗର ୧୬.୫ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୯.୯ ପ୍ରତିଶତ ମଦ୍ୟପାନ କରୁଛନ୍ତି । କିନ୍ତୁ ଏହି ବର୍ଗର ପୁରୁଷଙ୍କ ମଧ୍ୟରୁ ଓଡ଼ିଶାରେ ୨୮.୮ ପ୍ରତିଶତ ମଦ୍ୟପାନ କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶାର ସହରାଞ୍ଚଳରେ ଏହି ବୟସର ପୁରୁଷମାନଙ୍କ ମଧ୍ୟରୁ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ମଦ୍ୟପାନ କରୁଥିବା ଏଥିରେ ଦର୍ଶାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏନ୍‍ଏଫ୍‍ଏଚ୍‍ଏସ୍‍-୪ର ରିପୋର୍ଟ ୨୦୧୫-୧୬ ବର୍ଷ ଆଧାରରେ ପ୍ରସ୍ତୁତ କରାଯାଇଥିବାବେଳେ ଏନ୍‍ଏଫ୍‍ଏଚ୍‍ଏସ୍‍-୫ର ରିପୋର୍ଟ ୨୦୧୯-୨୧ ବର୍ଷ ଆଧାରରେ ପ୍ରସ୍ତୁତ ହୋଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଇଣ୍ଟରନ୍ୟାସନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଫର୍‍ ପପୁଲେସନ୍‍ ସାଇନ୍ସେସ୍‍ର ସହାୟତାରେ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି ।

ରାଜ୍ୟର ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ଚାରିଆଡେ ଯେଭଳି ତମାଖୁ ଠାରୁ ମଦ ପର୍ଯ୍ୟନ୍ତ ବିଭିନ୍ନ ନିଶା ସାମଗ୍ରୀର ବେପାର ବଢୁଛି ଏବଂ ନିଶାଡିମାନେ ହାଉଯାଉ ହେବା ସହିତ ଚୋରା ଓ ନକଲି ନିଶା କାରବାର ବ୍ୟାପକ ହେଉଛି ସେଥିଘେନି ସରକାର ମଧ୍ୟ ଉଦ୍‍ବିଗ୍ନ । ଏହାର ନିରାକରଣ ପାଇଁ ‘ଦିଶା’ ମାଧ୍ୟମରେ ନିଶା ନିବାରଣ କାର୍ଯ୍ୟକ୍ରମ ଚଳାଯିବା ସହିତ ଜନସଚେତନତା ସୃଷ୍ଟି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହାସତ୍ତ୍ୱେ ନିଶା କାରବାର କମିବା ପରିବର୍ତ୍ତେ ବଢି ବଢି ଚାଲୁଛି । ଏନ୍‍ଏଫ୍‍ଏଚ୍‍ଏସ୍‍-୫ ରିପୋର୍ଟ ପ୍ରକାଶ ବେଳେ ରାଜ୍ୟ ତଥା ଦେଶର ସ୍ଥିତି ଯାହାଥିଲା ନିଶା ପ୍ରସାର କ୍ଷେତ୍ରରେ ଏବେ ତାହା ଅଧିକ ବିଗିଡିଥିବା କୁହାଯାଉଛି । (ତଥ୍ୟ)