Home Election ଦୁଇ ଦିନ କମ୍ପିବ ଉପକୂଳ

ଦୁଇ ଦିନ କମ୍ପିବ ଉପକୂଳ

ଭୁବନେଶ୍ୱର : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇ ସାତ ତାରିଖରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଉପକୂଳ ଜିଲ୍ଲାଗୁଡିକ କିନ୍ତୁ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ କମ୍ପିବ । ଏହି ଦୁଇଦିନରେ ପ୍ରାୟ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳୁଛି ।

ଶେଷ ପର୍ଯ୍ୟାୟରେ ରାଜ୍ୟରେ ମୟୁରଭଞ୍ଜ ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ଯାଜପୁର ଲୋକସଭା ସମେତ ଏହା ଅଧିନରେ ଥିବା ବିଧାନସଭା ପାଇଁ ଜୁନ୍‍ ପହିଲାରେ ମତଦାନ ହେବ । ଏଥିପାଇଁ ମଇ ସାତ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହିତ ନାମାଙ୍କନପତ୍ର ଦାଖଲ ହୋଇଛି । ତେବେ ଉପକୂଳ ଜିଲ୍ଲାର ଅଧିକାଂଶ ପ୍ରାର୍ଥୀ ମଇ ୯ ଓ ୧୦ତାରିଖରେ ନାମାଙ୍କନପତ୍ର ଦାଖଲ ପାଇଁ ସ୍ଥିର କରିଥିବା ସୂଚନା ମିଳିଛି ।

ଏଥିପାଇଁ ପ୍ରାର୍ଥୀମାନେ ଏବେ ସମର୍ଥକଙ୍କୁ ଏକଜୁଟ କରିବା ସହିତ ଗାଡି, ମାଇକ୍‍, ବାଜା, ବାଣ, ଫୁଲ, ନାଚଗୀତ ଆଦି ପାଇଁ ଅଗ୍ରୀମ ପ୍ରଦାନ କରିଛନ୍ତି । ନେତାଙ୍କର ଭିଡ ଦେଖି କେତେକ ସ୍ଥାନରେ ବ୍ୟବସାୟୀମାନେ ଦର କଷିବାରେ ଲାଗିଛନ୍ତି । ବିଶେଷକରି ବାଜା, ବାଣ ଓ ନାଚଗୀତର କଳାକାରମାନେ ସେମାନଙ୍କ ଦର ବଢାଇବାରେ ଲାଗିଛନ୍ତି ।

ତେବେ ନାମାଙ୍କନପତ୍ର ଦାଖଲ ସମେତ ପ୍ରଚାର ପାଇଁ କେତେକ ସ୍ଥାନରେ ଏବେ ଚାରିଚକିଆ ଯାନର ସଙ୍କଟ ଦେଖାଦେଇଛି । ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲରେ ଯିବା ସମୟରେ ନିଜ ପଛରେ କିଭଳି ଅଧିକ ସଂଖ୍ୟକ ଚାରିଚକିଆ ଓ ଦୁଇଚକିଆ ଯାନ ଯିବ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ଟ୍ରାଭେଲ୍ସଗୁଡିକୁ ଅଗ୍ରିମ ଦିଆଯାଇଥିଲେ ବି ଗୋଟିଏ ଦିନରେ ଏକାଧିକ ପ୍ରାର୍ଥୀ ଗାଡି ଚାହୁଁଥିବାରୁ ଟ୍ରାଭେଲ୍ସ ମାଲିକମାନେ କେଉଁଠୁ ଏତେ ସଂଖ୍ୟାରେ ଚାରି ଚକିଆ ଯାନ ଆଣିବେ ସେଥିନେଇ ଚିନ୍ତାରେ ପଡିଛନ୍ତି ।

ସେହିଭଳି ଗୋଟିଏ ଦିନରେ ଏକାଧିକ ପ୍ରାର୍ଥୀ ଶୋଭାଯାତ୍ରା କରି ଆସିବା ସହିତ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଥିବାରୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‍ ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି । କେଉଁ ପ୍ରାର୍ଥୀଙ୍କୁ କାହା ପରେ ଡକାଯିବା ସେଥିପାଇଁ ଜିଲ୍ଲାପ୍ରଶାସ ତାଲିକା ପ୍ରସ୍ତୁତି ଚଳାଇଥିବାବେଳେ ପୁଲିସ୍‍ ପ୍ରଶାସନ ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ କରୁଛନ୍ତି । ଛୋଟ ଛୋଟରେ କିଭଳି ଉଭୟ ଶାସକ ଓ ବିରୋଧି ସମର୍ଥକଙ୍କୁ ସୁରୁଖୁରୁରେ ବାଟ କଢାଇ ନିଆଯାଇ ପାରିବ ସେଥିପାଇଁ ପୁଲିସ୍‍ କର୍ତ୍ତୃପକ୍ଷ ନକ୍ସା ତିଆରି କରୁଛନ୍ତି ।

ତେବେ ସବୁଠାରୁ ଅକଳରେ ପଡିଛନ୍ତି ପ୍ରାର୍ଥୀଙ୍କ ସମର୍ଥକମାନେ । ଯଦି ଗୋଟିଏ ଦିନରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ଶୋଭାଯାତ୍ରା କରିବେ ତେବେ ସେମାନେ କାହା ସାଙ୍ଗରେ ଯିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । କାରଣ ଘରକୁ ଘର ବୁଲି ପ୍ରଚାର ସମୟରେ ସମସ୍ତଙ୍କୁ ଅଭୟବାଣୀ ଶୁଣାଉଥିବା କର୍ମୀ ଏବେ ଶୋଭାଯାତ୍ରାରେ ଯାଇ ଚିହ୍ନା ପଡିବାକୁ ଚାହୁଁ ନାହାନ୍ତି ।

ଏତେ ସବୁ ସତ୍ୱେ ବି ଆସନ୍ତା ୯ଓ ୧୦ତାରିଖ ଦିନ ଉପକୂଳ ଜିଲ୍ଲାର ମୁଖ୍ୟାଳୟଗୁଡିକ ବାଣ ରୋଷଣୀରେ କମ୍ପିବା ନେଇ ସୂଚନା ମିଳିଲାଣି । କେଉଁ ପ୍ରାର୍ଥୀ କିଭଳି ଶୋଭାଯାତ୍ରା କରିବେ ଓ ସାଙ୍ଗରେ କେତେ ସଂଖ୍ୟକ କର୍ମୀଙ୍କୁ ଆଣି ନିଜର ଶକ୍ତି ପ୍ରଦର୍ଶନ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)