Home Excise ଏପ୍ରିଲରେ ୫୨୩୨ ମଦ ମାଫିଆ ଗିରଫ

ଏପ୍ରିଲରେ ୫୨୩୨ ମଦ ମାଫିଆ ଗିରଫ

ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ୨୦୨୪ ଏପ୍ରିଲ ମାସରେ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି।

୨୦୨୪ ଏପ୍ରିଲ-୨୦୨୪ ମାସରେ ୨,୯୧,୬୪୧ ଲିଟର ଦେଶୀ ମଦ, ୨୫୪ ଲିଟର ନକଲି ବିଦେଶୀ ମଦ, ୧୬୯ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨୧୭୮ ଲିଟର ଭାରତ ତିଆରି ବିଦେଶୀ ମଦ, ୧୨୧୩୭ ଲିଟର ମଦ, ୧୧୨୩ ଲିଟର ବିୟର, ୨୦୩୧ କେଜି ଭାଙ୍ଗ, ୩୭୨୪ ଲିଟର ଦେଶୀ ମଦ, ୧,୬୨,୭୪୫ କେଜି ମହୁଲ ଫୁଲ ସହିତ ୪୬୪ ଟି ଗାଡି ଜବତ ହୋଇଛି । ଏହି ଘଟଣାରେ ୬୬୧୯ ଟି ମାମଲା ରୁଜୁ ହୋଇଥିବାବେଳେ ୫୨୩୨ ଜଣ ମଦ ମାଫିଆଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବେଆଇନ ଗଞ୍ଜେଇ, ବ୍ରାଉନସୁଗାର ଓ କଫ ସିରପ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନରୁ ବହୁତ ଭଲ ଫଳ ମିଳିଛି। ଏହି ଘଟଣାରେ ୧୪୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୬୭ ଜଣ ଗଞ୍ଜେଇ ମାଫିଆ, ବ୍ରାଉନସୁଗାର ମାଫିଆଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ୩୪୦୦ କେଜି ଗଞ୍ଜେଇ, ୮୫ ଲିଟର କଫ ସିରପ ଓ ୨୮୫୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଜବତ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଇତ୍ୟାଦିର ମୋଟ ମୂଲ୍ୟ ୩୨ କୋଟି ୩ଲକ୍ଷ ଟଙ୍କା ହେବ।

ବ୍ରହ୍ମପୁର ସ୍ପେଶାଲ ସ୍କ୍ବାଡ୍ ଦ୍ୱାରା ୩୯୦ କେଜି ଗଞ୍ଜେଇ ଓ ଗୋଟିଏ ମହିନ୍ଦ୍ରା ପିକ୍ ଅପ୍ ଭ୍ୟାନ୍ ଜବତ ହୋଇଥିବାବେଳେ, ମାଲକାନଗିରି ଅବକାରୀ କର୍ମଚାରୀଙ୍କ ଦ୍ୱାରା ଗୋଟିଏ ମହିନ୍ଦ୍ରା ବୋଲେରୋ ସହ ୧୦୮ କେଜି ଗଞ୍ଜେଇ ଏବଂ ଅନୁଗୁଳ ଅବକାରୀ ଜିଲ୍ଲାରେ ୫୦ କେଜି ଗଞ୍ଜେଇ ସହିତ ମହିନ୍ଦ୍ରା କାର ଏବଂ ନଗଦ ୧୧ ହଜାର ଟଙ୍କା ଜବତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୬୨୭୪୫ କେଜି ମହୁଲ ଫୁଲ ଜବତ କରାଯାଇଛି, ଯାହା ବେଆଇନ ମଦ କାରବାରକୁ ବହୁ ମାତ୍ରାରେ ରୋକିବାରେ ସହାୟକ ହୋଇଛି। ଆଗାମୀ ଦିନରେ ଏହି ଚଢାଉକୁ ଆହୁରି ଜୋରଦାର କରାଯିବ ।