Home Culture କଟକଣା ହଟାଅ

କଟକଣା ହଟାଅ

ପୁରୀ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‍ଏମ୍‍ଏ) ଯେଉଁ କଟକଣା ଲଗାଇଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାବି କରିଛି । କଟକଣା ତୁରନ୍ତ ହଟାଇବା ସକାଶେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଏନ୍‍ଏମ୍‍ଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି ।

ଡକ୍ଟର କୁମାର ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଭାରତ ଓ ଭାରତ ବାହାରେ ଥିବା ଅଗଣିତ ହିନ୍ଦୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ । ବ୍ରହ୍ମଦାରୁ ରୂପରେ ପୂଜା ପାଉଥିବା ଏହି ଦେବତାଙ୍କ ମୂଳ ପୀଠ ହେଉଛି ପୁରୀ । କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ସହିତ ଶ୍ରୀଜଗନ୍ନାଥ ମନ୍ଦିର ଜଡିତ ଥିବାରୁ ଏଥିପ୍ରତି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଉଚିତ୍‍ ।

ଶ୍ରୀମନ୍ଦିରର ସମସ୍ତ ସମ୍ପତ୍ତିର ମାଲିକ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ତାଙ୍କ ନାମରେ ସମସ୍ତ ରେକର୍ଡ ରହିଛି । ମନ୍ଦିର ପରିଚାଳନା ସମେତ ପୂଜକମାନଙ୍କ ବ୍ୟାପାର ଆଦି ବୁଝିବାପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‍ ୧୯୫୫ ଅନୁଯାୟୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଛି ।

ଏହି ପ୍ରାଚୀନ କିର୍ତ୍ତୀରାଜିର ରକ୍ଷଣା ବେକ୍ଷଣ ଲାଗି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ସହିତ ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୯ ମସିହାରେ ଏକ ରାଜିନାମା ସ୍ୱାକ୍ଷରିତ କରିଛନ୍ତି । ଏହି ରାଜିନାମାରେ ଏଏସ୍‍ଆଇ ଓ ଶ୍ରୀମନ୍ଦିରର କର୍ତ୍ତବ୍ୟ ଓ ଦାୟିତ୍ୱ ସଂକ୍ରାନ୍ତରେ ବିସ୍ତୃତ ଉଲ୍ଲେଖ ଅଛି । ଏହି ରାଜିନାମାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଧାମ ଭାବେ ଗଣନା କରାଯିବା ସହିତ ସମଗ୍ର ବିଶ୍ୱରେ ଥିବା ମତାମତ ଅନୁଯାୟୀ ଏଏସ୍‍ଆଇକୁ ରକ୍ଷଣା ବେକ୍ଷଣ ପାଇଁ ପରିଚାଳନା କମିଟି ରାଜି ହୋଇଛନ୍ତି ।

ଶ୍ରୀମନ୍ଦିର ଚଦୁଃପାଶ୍ୱରେ ଅନେକ ଗୁଡିଏ ସାହି ରହିଛି । ଏହିସବୁ ସାହିରେ ମୁଖ୍ୟତଃ ସେବାୟତମାନେ ବସବାସ କରିଥାନ୍ତି । ଏହି ପରିବାର ଗୁଡିକ ଏବେ ଏନ୍‍ଏମ୍‍ଏର କଟକଣା ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବେ । ତେଣୁ କଟକଣା ଲଗାଇବା ପୂର୍ବରୁ ସେମାନଙ୍କ ସହିତ ଆଲୋଚନା କରିବାର ଥିଲା । କାରଣ ସେବାୟତମାନେ କ୍ଷତିଗ୍ରସ୍ତ ହେଲେ ଏହାର ସିଧାସଳଖ ପ୍ରଭାବ ଶ୍ରୀଜୀଉମାନଙ୍କ ନୀତିକାନ୍ତି ଉପରେ ପଡିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତିଦିନ ବ୍ୟାପକ ସଂଖ୍ୟାରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ଦାୟିତ୍ୱ ହେଉଛି ସେମାନଙ୍କୁ ସେବା ଓ ସୁବିଧା ଯୋଗାଇଦେବା । ଛୁଟି ଦିନ ଏବଂ ସପ୍ତାହନ୍ତରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି ।

ନିକଟରେ ରାଜ୍ୟ ସରକାର ଏହି ପୁରାତନ ପୀଠର ସୁରକ୍ଷା ଓ ନିରାପତ୍ତା ଲାଗି ଶ୍ରୀଜଗନ୍ନାଥ ଐତିହ୍ୟ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଛନ୍ତି । ଏହି ପ୍ରକଳ୍ପ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ପିଇବାପାଣି, ଶୌଚାଳୟ, ବିଶ୍ରାମସ୍ଥଳ ଆଦି ମୌଳିକ ସୁବିଧା ଯୋଗାଇଦେବ । ଅଧିକାଂଶ ବ୍ୟକ୍ତି ଏହି ପ୍ରକଳ୍ପ ପାଇଁ ସେମାନଙ୍କର ଜମି ଯୋଗାଇ ଦେଇଛନ୍ତି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଥିବା ଭକ୍ତି ଭାବନା ଯୋଗୁଁ ଏହି ଜମି ଅଧିଗ୍ରହଣ ସମ୍ଭବ ହୋଇଛି ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ଆସନ୍ତା ୧୫ ତାରିଖରେ ଯୋଜନାକୁ ଅନୁମୋଦନ ଓ କାର୍ଯ୍ୟକାରୀ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବାକୁ ଯାଉଛି । ଏହି ପ୍ରକଳ୍ପ ଭଗବାନ, ଭକ୍ତ ଓ ସେବକମାନଙ୍କ କାମରେ ଆସିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜାରି ବିଜ୍ଞପ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଡକ୍ଟର କୁମାର କହିଛନ୍ତି । ଏଥି ସହିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ପାଇଁ ଡକ୍ଟର କୁମାର ଏନ୍‍ଏମ୍‍ଏ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।