ନୂଆଦିଲ୍ଲୀ : ଆସନ୍ତା ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ ପୁନଃ ପରୀକ୍ଷାରେ ସ୍ବଚ୍ଛତା, ଦକ୍ଷତା ଓ ସାଧୁତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରକ୍ରିୟାରେ ଜଡିତ ସବୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ସମ୍ପର୍କରେ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ), କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବିଭିନ୍ନ ରାଜ୍ୟ ସରକାର ଓ ପରୀକ୍ଷା ପରିଚାଳନାରେ ଜଡିତ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ।
ପୁନଃପରୀକ୍ଷାର ମୁକ୍ତ ଏବଂ ନିରପେକ୍ଷ ପରିଚାଳନା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ସ୍ତରରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଅଧିକାରୀମାନେ ପୁନଃପରୀକ୍ଷା ପ୍ରକ୍ରିୟା ସମ୍ବନ୍ଧୀୟ କାର୍ଯ୍ୟକଳାପର ସମନ୍ୱୟ ପାଇଁ ସମସ୍ତ ରାଜ୍ୟକୁ ପହଞ୍ଚିବେ ଏବଂ ଏନଟିଏ ଡିଜିଙ୍କ ନେତୃତ୍ୱରେ ଗଠିତ କମାଣ୍ଡ ସେଣ୍ଟରକୁ ରିପୋର୍ଟ କରିବେ। ସେ ରାଜ୍ୟ ସରକାରଙ୍କ ନିଯୁକ୍ତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ପରିବେଶରେ ପୁନଃପରୀକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଛାତ୍ରଛାତ୍ରୀମାନେ ଯେପରି ଚାପମୁକ୍ତ ରହିବେ ସେଥିପାଇଁ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ବସିବା ପାଇଁ ଏବଂ ପାନୀୟ ଜଳର ବ୍ୟବସ୍ଥାକୁ ସେ ଗୁରୁତ୍ବ ଦେଇଥିଲେ। ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ରାଜ୍ୟ ନୋଡାଲ ଅଫିସରଙ୍କୁ କହିଥିଲେ।
ଉଚ୍ଚଶିକ୍ଷା ସଚିବ ଭିନିତ ଯୋଶୀ କହିଥିଲେ ଯେ, ବର୍ତ୍ତମାନର ସମୟ ଓ ପୁନଃପରୀକ୍ଷା ସମୟ ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ସବୁ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳ ସହ ସମୟ ଅନୁସାରେ ତଳ ସ୍ତର ପର୍ଯ୍ୟନ୍ତ ସୁଚନା ଓ ନିର୍ଦ୍ଦେଶ ପହଞ୍ଚିବା ଉଚିତ। ସେପଟେ ଏନଟିଏ ସବୁ ଜିଲ୍ଲାପାଳ, ପୋଲିସ ଅଧିକାରୀ ଓ ଗୁଇନ୍ଦା ସଂସ୍ଥା ସହ ପରୀକ୍ଷା ସୁପରିଚାଳନା ନେଇ ଯୋଗାଯୋଗରେ ଥିବା କହିଛନ୍ତି ଏନଟିଏ ଡିଜି ଅଭିଶେଖ ସିଂ।
ଆଜିର ବୈଠକରେ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀ, ନୋଡାଲ ଅଫିସର, ଉଚ୍ଚଶିକ୍ଷାନୁଷ୍ଠାନର କୂଳପତିଙ୍କ ସମେତ ୨୨୨ ଜଣ ଅଧିକାରୀ ଯୋଗ ଦେଇଥିଲେ। ପରୀକ୍ଷା ସୁପରିଚାଳନା ନେଇ ସବୁ ସ୍ତରରୁ ପ୍ରତିଶ୍ରୁତି ମିଳିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ଓ ବାଧାମୁକ୍ତ ପରୀକ୍ଷା ଦେବାର ସୁଯୋଗ ଦେବାକୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି।

