Home News in Odia ଦୟାଲ ଗଙ୍ଗୱାର ନିଲମ୍ବିତ

ଦୟାଲ ଗଙ୍ଗୱାର ନିଲମ୍ବିତ

ଭୁବନେଶ୍ୱର : ମୋହନ ସରକାରେ ପ୍ରଥମ ପ୍ରଶାସନିକ ବଡ ମୁଣ୍ଡ ଗଡିଛି । ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଓଏସଡି  ଥିବା ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରିଛନ୍ତି ।

ନିକଟରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦ ଘେରକୁ ଆସିଥିଲେ। କନେଷ୍ଟବଳଙ୍କ ପରିବାର ଲୋକେ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଖଟାଇବା ଏବଂ ମାନସିକ ନିର୍ଯାତନା ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା। ଏହି ବିବାଦ ପରେ ପୂର୍ବରୁ ତାଙ୍କୁ ଏଡିଜି କମ୍ୟୁନିକେସନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି କରାଯାଇଥିଲା।

ସେପଟେ ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ୨୦୦୧ ବ୍ୟାଚର ଆଇଏଏସ ଅଫିସର ଡୋଡା ଭେଙ୍କଟ ସ୍ବାମୀ। ଡେପୁଟେସନରୁ ଫେରିବା ପରେ ତାଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ପୂର୍ବରୁ ଏହି ବିଭାଗର ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଙ୍ଗମଙ୍କୁ ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏଥିସହିତ ସେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।