ଭୁବନେଶ୍ୱର : ମହିଳାମାନଙ୍କ ସହିତ ଘଟୁଥିବା ଯେକୌଣସି ଘଟଣାରେ ରାଜ୍ୟ ମହିଳା କମିଶନ ନିଜଆଡୁ ହସ୍ତକ୍ଷେପ କରିବାର କ୍ଷମତା ପାଇଥିଲେ ମଧ୍ୟ ତାହାକୁ ସେତେଟା ଉପଯୋଗ କରୁନଥିବା ଲକ୍ଷ୍ୟ କରାଯାଉଛି । ପ୍ରତିବର୍ଷ ମହିଳା କମିଶନରେ ହଜାରେରୁ ଅଧିକ ମାମଲା ପହଞ୍ଚୁ ଥିବାବେଳେ କମିଶନ ନିଜଆଡୁ ମାତ୍ର ହାତଗଣତି କେତୋଟି ମାମଲାରେ ହସ୍ତକ୍ଷେପ କରୁଛନ୍ତି ।
୨୦୧୮-୧୯ ବର୍ଷରେ ମହିଳା କମିଶନରେ ୧୯୨୩ଟି ମାମଲା ପହଞ୍ଚିଥିଲା । ସେଥି ମଧ୍ୟରେ କେବଳ ଘରୋଇ ହିଂସା ସଂଖ୍ୟା ଥିଲା ୧୦୭୮ଟି । ଏହାବାଦ୍ ୭୭୦ଟି ଯୌତୁକ ନିର୍ଯ୍ୟତନା ଓ ୭୫ଟି ଧର୍ଷଣ ଭଳି ମାମଲା ରହିଥିଲା । ପାଖପାଖି ଦୁଇ ହଜାର ମାମଲା କମିଶନରେ ପହଞ୍ଚିଥିବାବେଳେ କମିଶନ କିନ୍ତୁ ସେହି ସମୟ ମଧ୍ୟରେ ମାତ୍ର ୩ଟି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଥିଲେ । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ଜାନୁୟାରୀ ମାସ ସୁଦ୍ଧା କମିଶନଙ୍କ ନିକଟରେ ୧୦୩୧ଟି ମାମଲା ପହଞ୍ଚିଛି । ଏଥି ମଧ୍ୟରେ ସର୍ବାଧିକ ୬୩୫ଟି ଘରୋଇ ହିଂସା ରହିଛି । ୩୭୧ଟି ଯୌତୁକ ଜନିତ ଅଭିଯୋଗ ରହିଥିବାବେଳେ ୨୫ଟି ଧର୍ଷଣ ମାମଲା ବି ଆସିଛି ।
ତେବେ କମିଶନ ଚଳିତ ଆର୍ଥିକବର୍ଷରେ ମାତ୍ର ୧୮ଟି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । ତେବେ ଏହି ସମୟ ମଧ୍ୟରେ କମିଶନଙ୍କ ନିକଟରେ ପହଞ୍ଚିଥିବା ମାମଲାଗୁଡିକ ମଧ୍ୟରୁ ମାତ୍ର ୩୨୨ଟିର ଫଏସଲା ହୋଇପାରିଛି । ୨୫ଟି ଧର୍ଷଣ ମାମଲା ମଧ୍ୟରୁ କମିଶନ ୧୯ଟିର ଫଏସଲା କରିଥିବାବେଳେ ଘରୋଇ ହିଂସା ଓ ଯୌତୁକ ନିର୍ଯ୍ୟାତନା ମାମଲା ଫଏସଲା କ୍ଷେତ୍ରରେ ସେତେଟା ସଫଳ ହୋଇପାରି ନାହାନ୍ତି । ତେବେ ୨୦୧୯-୨୦ ବର୍ଷରେ କମିଶନ ନିଜଆଡୁ ସର୍ବାଧିକ ୮୬ଟି ମାମଲାରେ ହସ୍ତକ୍ଷେପ କରିଥିବାବେଳେ ସେହିବର୍ଷ କମିଶନରେ ୧୬୫୨ଟି ମାମଲା ପହଞ୍ଚିଥିଲା ।
ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀଙ୍କ ମତରେ ମହିଳା କମିଶନ ନିଜ ଆଡୁ ଅଧିକରୁ ଅଧିକ ମାମଲାରେ ହସ୍ତକ୍ଷେପ କରିବା ଆବଶ୍ୟକ । ଏଥିପାଇଁ ମହିଳା କମିଶନ ଓ ସଦସ୍ୟଙ୍କ ଇଚ୍ଛାଶକ୍ତି ସହିତ ଏ କ୍ଷେତ୍ରରେ ଅଭିଜ୍ଞତା ଥିବା ଜରୁରୀ । ସେହିଭଳି ସମ୍ବେଦନଶୀଳ ଘଟଣାରେ ଯେତେ ଅଧିକ ଭାବେ କମିଶନ ହସ୍ତକ୍ଷେପ କରିବେ ତାହା ମହିଳା ସୁରକ୍ଷା କ୍ଷେତ୍ରରେ ପ୍ରଭାବଶାଳୀ ହେବ ।
କିନ୍ତୁ ମାନବସମ୍ବଳର ଅଭାବ ସହିତ କମିଶନ କର୍ମକର୍ତ୍ତାଙ୍କ ଅନାଗ୍ରହ ଯୋଗୁଁ କମିଶନ ଯେଭଳି ତାଙ୍କର କ୍ଷମତାକୁ ଜାହିର କରିବାକଥା କରିପାରୁ ନାହାନ୍ତି । ବିଶେଷକରି ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ମହିଳା ନିର୍ଯ୍ୟାତନା ସଂକ୍ରାନ୍ତୀୟ ମାମଲା ଉପରେ କମିଶନ ନିଜଆଡୁ ଯେଭଳି ପଦକ୍ଷେପ ନେବା କଥା ତାହା ହେଉନାହିଁ ।