Home Education ନାମଲେଖା ଡେରି ପାଠପଢ଼ା ବିଳମ୍ବ

ନାମଲେଖା ଡେରି ପାଠପଢ଼ା ବିଳମ୍ବ

ଭୁବନେଶ୍ୱର : ଗ୍ରୀଷ୍ମାବକାଶ ପରେ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବାର ପ୍ରାୟ ୩ମାସ ଅତିବାହିତ ହେବାକୁ ଯାଉଥିଲେ ମଧ୍ୟ ଏଯାବତ୍‍ ନୂଆ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପର୍ବ ଶେଷ ହୋଇନାହିଁ । ନାମଲେଖା ସରୁସରୁ ଦୁର୍ଗାପୂଜା ଛୁଟି ଆସିଯାଇପାରେ ଏବଂ ତାହା ସହିତ ଗୋଟିଏ ପରେ ଗୋଟିଏ ସେମିଷ୍ଟର ପରୀକ୍ଷା ବି ଆସିଯିବ ।

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହଯୋଗୁ ଏବେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଏପ୍ରିଲ ମାସ ସୁଦ୍ଧା ବନ୍ଦ ହୋଇଯାଉଛି । ଏହା ପୂର୍ବରୁ ସ୍କୁଲ ସ୍ତରରେ ପରୀକ୍ଷା ପର୍ବ ଶେଷ କରାଯାଇ ପାଠପଢ଼ା ଆରମ୍ଭ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁ କଲେଜ୍‍ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଆଗୁଆ ଖରାଦିନ ଛୁଟି କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ସ୍ଥିରିକୃତ ଶିକ୍ଷାବର୍ଷ କ୍ୟାଲେଣ୍ଡର ଠିକଣା ଭାବେ ପ୍ରସ୍ତୁତ ହେଉନଥିବା ଏବଂ ସମୟ ନିର୍ଘଣ୍ଟ ପ୍ରସ୍ତୁତ ହେଲେ ସୁଦ୍ଧା ଏହାର ଠିକଣା ଅନୁପାଳନ କରାଯାଉନଥିବାରୁ ନାମାଙ୍କନରେ ବିଳମ୍ବ ଘଟୁଛି ବୋଲି ଅନେକ ଅବସରପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷାବିତ୍‍ ମତ ଦେଉଛନ୍ତି ।

ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନତୋକତ୍ତର ପରୀକ୍ଷା ଶେଷ କରି ଜୁନ୍‍ ମାସ ଶେଷ ସୁଦ୍ଧା ନାମାଙ୍କନ ପର୍ବ ସରିଗଲେ ଜୁଲାଇ ମାସରୁ ନିୟମିତ ପାଠପଢ଼ା ଚାଲିପାରନ୍ତା ଏବଂ ତଦନୁଯାୟୀ ସେମିଷ୍ଟର ପରୀକ୍ଷାଗୁଡ଼ିକ ମଧ୍ୟ ଆଗୁଆ ହୋଇପାରନ୍ତା । ଏହାଛଡ଼ା ପ୍ରାୟ ୮ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ମଧ୍ୟ ପୂଜା ଛୁଟି ପୂର୍ବରୁ ଶେଷ ହୋଇପାରନ୍ତା ।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନଥିବାରୁ ଅତିଥି ଅଧ୍ୟାପକମାନଙ୍କ ଉପରେ ନିର୍ଭର କରି ରାଜ୍ୟରେ କାମଚଳା ଉଚ୍ଚଶିକ୍ଷା ଚାଲିଛି । ଅତିଥି ଅଧ୍ୟାପକମାନେ ଯେତୋଟି ପିରିୟଡ୍‍ ପାଠ ପଢ଼ାଇବେ ସେହି ଅନୁଯାୟୀ ପାରିଶ୍ରମିକ ପାଇଥାନ୍ତି । ଏମାନେ ପରୀକ୍ଷା ପରିଚାଳନା କିମ୍ବା ଛାତ୍ର ସଂସଦ ନିର୍ବାଚନ ତଦାରଖ ସମେତ କଲେଜ୍‍ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ । ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ଓ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଥିବା କୁହାଯାଉଛି । ଆଉଟ ସୋର୍ସିଂ ବ୍ୟବସ୍ଥାରେ କାମ ଚଳାଇବା ପାଇଁ ଅବଶ୍ୟ କିଛି ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଉଛନ୍ତି । ତେବେ ଚାକିରିର ସ୍ଥାୟିତ୍ୱ ଓ ପଦବୀ ଲାଗି ଉଦ୍ଦିଷ୍ଟ ପୂରା ଦରମା ଆଉଟ୍‍ ସୋର୍ସିଂ କର୍ମଚାରୀମାନଙ୍କୁ ମିଳୁନଥିବାରୁ ସେମାନଙ୍କ ଭିତରୁ ଅନେକ ଗଭୀର ମାନସିକ ଚାପରେ ରହିଥାନ୍ତି ।

ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ୍‍ଗୁଡ଼ିକରେ ମଧ୍ୟ ଶିକ୍ଷକ ଓ ଅଣ ଶିକ୍ଷକ ମରୁଡ଼ି ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ ନାମାଙ୍କନ ସରୁସରୁ ବିଳମ୍ବ ହେବା ଏବଂ ଛାତ୍ରଛାତ୍ରୀମାନଙ୍କ ସୁବିଧା ଅସୁବିଧା ଉପସ୍ଥାପନ କରିବା ଲାଗି ନିର୍ବାଚିତ ଛାତ୍ର ସଂସଦ ନଥିବା କାରଣରୁ ପିଲାମାନଙ୍କ ସମସ୍ୟା ବଢ଼ିବଢ଼ି ଚାଲୁଛି । ଏବେ ଅଭିଯୋଗ ଆସିଛି ଯେ ରାଜଧାନୀରେ ଥିବା ଏକ ସରକାରୀ ନିୟନ୍ତ୍ରଣାଧୀନ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ୍‍ ସିଟ୍‍ ବଣ୍ଟନ ଓ କଲେଜ୍‍ ଲିଭିଂ ସାର୍ଟିଫିକେଟ୍‍ ପ୍ରଦାନ କ୍ଷେତ୍ରରେ ବ୍ୟାପକ ଲାଞ୍ଚ କାରବାର ହେଉଛି । ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।

କେତେକ ଅବସରପ୍ରାପ୍ତ କୁଳପତି ଓ ପୂର୍ବତନ ଅଧ୍ୟାପକ କହୁଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକ ପୂରଣ ନହେବା ପଛର ଅନ୍ୟତମ କାରଣ ହେଉଛି ସରକାରଙ୍କ ପାଣ୍ଠିର ଅଭାବ । ୧୯୯୦ ଦଶକରେ ପଦପଦବୀ ଉଚ୍ଛେଦ ଏବଂ ପ୍ରତ୍ୟକ୍ଷ ଓ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ଉପରେ ମିତବ୍ୟୟିତା ଆଳରେ ଯେଉଁ କଟକଣା ଜାରି କରାଯାଇଥିଲା ସେଥିରେ ବହୁ ପଦବୀ ଉଚ୍ଛେଦ ହୋଇଛି ଏବଂ ଅର୍ଥ ବିଭାଗର ଅନୁମୋଦନ ବିନା ଖାଲି ପଦବୀ ପୂରଣ ହୋଇପାରୁ ନାହିଁ । ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ଉନ୍ନତ କରିବା ଲାଗି ଶିକ୍ଷା ବଜେଟ୍‍ରେ ଅଧିକ ଅର୍ଥ ବରାଦ ସହିିତ ପଦବୀ ପୂରଣ ଉପରେ ସେମାନେ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)