ଭୁବନେଶ୍ୱର : ଟିକସ ଆଦାୟ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ରାଜ୍ୟର ଟିକସ ଆଦାୟ ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି । ନିଜସ୍ୱ ଟିକସ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ୮ ପ୍ରତିଶତରୁ ଅଧିକ ହୋଇଥିବାବେଳେ ଅଣଟିକସ ରାଜସ୍ୱ ଆଦାୟ ୧୨ ପ୍ରତିଶତକୁ ଟପିଯାଇଛି ।
ଅଗଷ୍ଟମାସ ଶେଷସୁଦ୍ଧା ଆଦାୟ ଟିକସ ହିସାବରୁ ଜଣାଯାଇଛି ଯେ ଚଳିତବର୍ଷ ବଜେଟ୍ରେ ନିଜସ୍ୱ ଟିକସ ଆଦାୟ ଲକ୍ଷ୍ୟ ୭୦ହଜାର କୋଟି ଟଙ୍କା ହୋଇଥିବାବେଳେ ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା ୨୪ହଜାର କୋଟି ଟଙ୍କାକୁ ଟପିଯାଇଛି । ଏହା ଗତବର୍ଷର ଏହି ସମୟ ତୁଳନାରେ ୮ପ୍ରତିଶତରୁ ଅଧିକ ରହିଛି । କେବଳ ଅଗଷ୍ଟ ମାସରେ ୪୫୬୬ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ସର୍ବାଧିକ ୩ହଜାର କୋଟି ଟଙ୍କାରୁ ଅଧିକ ବାଣିଜ୍ୟକରରୁ ମିଳିଛି ।
ସେହିଭଳି ଅଣଟିକସ ରାଜସ୍ୱ ଆଦାୟ ମଧ୍ୟ ଅଗଷ୍ଟ ଶେଷ ସୁଦ୍ଧା ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷର ବଜେଟ୍ରେ ଅଣ ଟିକସ ଆଦାୟ ଲକ୍ଷ୍ୟ ୭୧ ହଜାର କୋଟି ଟଙ୍କା ଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ଆଦାୟ ହୋଇଛି ୨୨ହଜାର କୋଟି ଟଙ୍କାରୁ ଅଧିକ । ଯାହାକି ଗତର୍ବେର ଏହି ସମୟ ତୁଳନାରେ ୧୨ ପ୍ରତିଶତରୁ ଅଧିକ ରହିଛି । କେବଳ ଅଗଷ୍ଟ ମାସରେ ୩୬୮୪ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ ହୋଇଥିବାବେଳେ ଏଥିରେ ସର୍ବାଧିକ ୩ହଜାର କୋଟିରୁ ଅଧିକ ଖଣି କ୍ଷେତ୍ରରୁ ଆଦାୟ ହୋଇଛି ।
ତେବେ ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଆଦାୟ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୧୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏହି ଦୁଇ କ୍ଷେତ୍ରରୁ ୪୬ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଥିଛି ଯାହାକି ଗତବର୍ଷର ଏହିସମୟ ତୁଳନାରେ ୧୦ ପ୍ରତିଶତରୁ ଅଧିକ ରହିଛି । ଚଳିତବର୍ଷର ଏହି ଟିକସ ଆଦାୟ ବଜେଟ୍ ଆକଳନର ୩୩ ପ୍ରତିଶତରୁ ଅଧିକ ରହିଛି ।
ତେବେ ଅଣଟିକସ ରାଜସ୍ୱ ଆଦାୟ କ୍ଷେତ୍ରରେ ଲଘୁ ଖଣିଜ ଦ୍ରବ୍ୟରୁ ଟିକସ ଆଦାୟ ହ୍ରାସ ପାଇଛି । ଏହି କ୍ଷେତ୍ରରୁ ୫୦୦୦ କୋଟି ଟଙ୍କା ମିଳିବ ବୋଲି ସରକାର ବଜେଟରେ ଆକଳନ କରିଥିବାବେଳେ ଆଦାୟ ହୋଇଛି ମାତ୍ର ୪୧୬ କୋଟି ଟଙ୍କା । ଯାହାକି ଗତବର୍ଷର ଟିକସ ଆଦାୟ ତୁଳନାରେ ୨୪ ପ୍ରତିଶତ କମ୍ ରହିଛି । ସେହିଭଳି ବୃହତ୍ ଓ ମଧ୍ୟମ ଜଳସେଚନ କ୍ଷେତ୍ରରୁ ଆଦାୟ ରାଜସ୍ୱ ମଧ୍ୟ ହ୍ରାସ ପାଇଛି । ଏହି କ୍ଷେତ୍ରରୁ ୧୪୨୧ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ବଜେଟ୍ରେ ଆକଳନ ହୋଇଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ଆଦାୟ ହୋଇଛି ମାତ୍ର ୪୩୨ କୋଟି ଟଙ୍କା । ଏହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ଆଦାୟ ଟିକସ ତୁଳନାରେ ୨୮ ପ୍ରତିଶତ କମ୍ ରହିଛି । କ୍ଷୁଦ୍ର ଜଳସେଚନ କ୍ଷେତ୍ରରୁ କିନ୍ତୁ ଟିକସ ଆଦାୟ ଭଲ ହୋଇଛି । ଏହି କ୍ଷେତ୍ରରୁ ୨୮.୨୭ କୋଟି ଟଙ୍କାର ଆଦାୟ ହେବ ବୋଲି ବଜେଟ୍ରେ ଲକ୍ଷ୍ୟ ଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ୧୫ କୋଟି ଟଙ୍କାରୁ ଅଧିକ ଆଦାୟ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୨ ପ୍ରତିଶତରୁ ଅଧିକ ଅଛି ।
ସେହିଭଳି ନିଜସ୍ୱ ଟିକସ କ୍ଷେତ୍ରରେ ପ୍ରବେଶ କରରୁ ୨୫ କୋଟି ଟଙ୍କା ମିଳିବ ବୋଲି ବଜେଟ୍ରେ ଆକଳନ କରାଯାଇଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ଆଦାୟ ହୋଇଛି ମାତ୍ର ୨କୋଟି ଟଙ୍କାରୁ ସାମାନ୍ୟ ଅଧିକ । ଯାନବାହାନ ଟିକସରୁ ରାଜ୍ୟ ସରକାର ୩୬୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ୧୧୨୬ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୮ ପ୍ରତିଶତରୁ ଅଧିକ ରହିଛି । (ତଥ୍ୟ)

