ଭୁବନେଶ୍ୱର : ରାଜଧାନୀରେ ଭିକାରୀମାନେ ଛୋଟ ଛୋଟ ଛୁଆଙ୍କୁ କଫସିରପ ପିଆଇ ନିଶାଗ୍ରସ୍ତ କରିବାପରେ କାଖରେ ଧରି ଭିଗ ମାଗୁଛନ୍ତି । ପୁଲିସ୍ ଏମାନଙ୍କୁ ଗିରଫ କରୁନଥିବାରୁ ଭିକାରୀମାନେ ଭୁବନେଶ୍ୱର ଛାଡୁ ନାହାନ୍ତି ।
ରାଜଧାନୀକୁ ଶିଶୁ ଅନୁକୂଳ କରିବାପାଇଁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହା କହିଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ଯେ ରାଜଧାନୀର ବିଭିନ୍ନ ଛକରେ ମହିଳାମାନେ ଭିକ ମାଗୁଛନ୍ତି । ଏମାନେ ସାଧାରଣତଃ ଅନ୍ୟ ରାଜ୍ୟର । ଏହି ମହିଳାମାନେ ଧୂ ଧୂ ଖରାରେ ଛୋଟ ଛୋଟ ପିଲାଙ୍କୁ କାଖରେ ଧରି ଭିଗ ମାଗୁଛନ୍ତି । ପିଲାମାନଙ୍କୁ କଫସିରପ ପିଆଇ ନିଶାଗ୍ରସ୍ତ କରିବାପରେ ଧରି ବୁଲୁଛନ୍ତି । ଏହି ମହିଳମାନେ କୁଆଡୁ ଆସୁଛନ୍ତି ଓ କୁଆଡେ ଯାଉଛନ୍ତି ତାହା ସହଜରେ ଜଣାପଡୁନାହିଁ ।
ତେବେ ଏମାନଙ୍କୁ ଧରିବାର କାମ ପୁଲିସ୍ର ହୋଇଥିବାବେଳେ ଏମାନଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ୍ କିନ୍ତୁ କୋହଳ ମନୋଭାବ ଗ୍ରହଣ କରୁଛି । ଯଦି ଏମାନଙ୍କୁ ଭିକମାଗିବା ସମୟରେ ଧରି ଗିରଫ କରି ଜେଲ୍ରେ ଭର୍ତ୍ତି କରାଯାଆନ୍ତା ତେବେ ସେମାନେ ଆଉ ଏଭଳି କାମ କରିବାକୁ ସାହସ କରନ୍ତେ ନାହିଁ । ବିଏମସି କେବଳ ଭିକ୍ଷାବୃତ୍ତିକୁ ବାରଣ କରିବ । ହେଲେ କାର୍ଯ୍ୟାନୁଷ୍ଠାନର ଦାୟିତ୍ୱ ହେଉଛି ପୁଲିସ୍ର ।
ମେୟର କହିଛନ୍ତି ଯେ ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାପାଇଁ ବିଏମ୍ସି ଏକାଧିକ ପଦକ୍ଷେପ ଗ୍ରହଣ କରିଥିବାବେଳେ ରାଜ୍ୟ ବାହାରର ଏହି ଭିକାରୀମାନେ ଛୋଟ ଛୋଟ ପିଲାଙ୍କୁ ଭିକ୍ଷାବୃତ୍ତିରେ ନିୟୋଜି କରୁଛନ୍ତି । ଟ୍ରାଫିକ ଛକରେ ଗାଡିମୋଟର ରହିବାମାତ୍ରେ ଏହି ପିଲାମାନେ ହାତରେ କଲମ, ଫୁଲ ଓ ଖେଳଣା ଆଦି ଧରି ଅତି ବିପଦଜନକ ଭାବେ ଗାଡି ନିକଟକୁ ମାଡି ଆସୁଛନ୍ତି । ଟ୍ରାଫିକ ଛାଡିବା ସମୟରେ ଏମାନେ ଯେଭଳି ଭାବେ ଗାଡିମୋଟର ଆଗରେ ପଡୁଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ ।
ରାଜଧାନୀକୁ ଶିଶୁ ଅନୁକୂଳ କରିବା ସହିତ ଏହାକୁ ଶିଶୁ ଶ୍ରମମୁକ୍ତ କରିବା ଏତେଟା ସହଜ ନୁହେଁ ବୋଲି ମେୟର ମତ ଦେଇଛନ୍ତି । ସେ କହିଛନ୍ତି ଯେ ଏଠାରେ ବିଭନ୍ନ କାମଦାମ ପାଇଁ ରାଜ୍ୟ ବାହାରୁ ଶହ ଶହ ଲୋକେ ନିଜ ପରିବାର ସହିତ ଆସୁଛନ୍ତି । ସହରରେ ଏବେ ୪୮୦ ପଞ୍ଜିକୃତ ବସ୍ତି ରହିଥିବାବେଳେ ଅଣପଞ୍ଜିକୃତ ବସ୍ତି ବି ରହଛି । ଏଠାରେ ସେମାନେ ନିଜେ କାମଧନ୍ଦା କରିବା ସହିତ ଛୋଟ ଛୋଟ ପିଲା ଓ ମହିଳାଙ୍କୁ ଭିକ୍ଷାବୃତ୍ତି ଭଳି ଧନ୍ଦାରେ ନିୟୋଜିତ କରୁଛନ୍ତି । ଖରା ବର୍ଷାରେ ଗଛମୂଳେ ଏମାନେ ପାଲଟାଣି ରହି ଭକ୍ଷାବୃତ୍ତି କରୁଥିବାବେଳେ ପୁଲିସ୍ କାହିଁକି ଏମାନଙ୍କୁ ଗିରଫ କରୁନାହିଁ ବୋଲି ମେୟର ପ୍ରଶ୍ନ କରୁଛନ୍ତି ।
ଉଲ୍ଲେଖନୀୟ ଯେ ରାଜଧାନୀର ବିଭିନ୍ନ ଛକଗୁଡିକରେ ମହିଳା ଓ ପିଲାମାନେ ଭିକ ମାଗିବା ସବୁଦିନଆ ଘଟଣା ହୋଇଥିବାବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଭୟରେ କିଛିଦିନ ପାଇଁ ପଳାଉଥିବାବେଳେ ପୁଣି ସେମାନେ ରାସ୍ତାକୁ ଆସୁଛନ୍ତି । ତେବେ ଏହାକୁ କେତେକ ଗ୍ୟାଙ୍ଗ୍ ପରିଚାଳନା କରୁଥିବାବେଳେ କମିଶନରେଟ ପୁଲିସ୍ କାହିଁକି କୋହଳ ମନୋଭାବ ଗ୍ରହଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)

