ଭୁବନେଶ୍ୱର : ଧଉଳି ପାହାଡ ନିକଟରେ କଳିଙ୍ଗ ଯୁଦ୍ଧର ସ୍ମାରକୀ ନିର୍ମାଣ ପ୍ରସ୍ତାବକୁ ଘେନି ଏବେ ଦ୍ୱନ୍ଦ ଉଠିଛି । ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଯୁଦ୍ଧ ହୋଇଥିଲା କି ନାହିଁ ସେଥିଘେନି ଏଯାବତ୍ କୌଣସି ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳିନଥିବାବେଳେ ଯଦି ବି କଳିଙ୍ଗଯୁଦ୍ଧ ହୋଇଥାଏ ତେବେ କଳିଙ୍ଗର ପରାଜୟର ଗାଥାକୁ ଗୌରବାନ୍ୱିତ କରିବାପାଇଁ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଉଛି କି ବୋଲି ଚର୍ଚ୍ଚା ଚାଲିଛି ।
ଇତି ମଧ୍ୟରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧୬ଜଣ ଐତିହାସିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ତେବେ ଏହି ଆଲୋଚନାରେ ଦୟାନଦୀକୂଳରେ କଳିଙ୍ଗଯୁଦ୍ଧ ହୋଇଥିବା ସଂକ୍ରାନ୍ତରେ କୌଣସି ନିଷ୍କର୍ସ ମିଳିନାହିଁ । ଯଦି ଅଶୋକ କଳିଙ୍ଗ ବିଜୟ କରିଥିଲେ ସେ ସମୟରେ କଳିଙ୍ଗର କିଏ ରାଜା, ମନ୍ତ୍ରୀ ଓ ସେନାପତି ଥିଲେ ସେମାନଙ୍କ ସଂକ୍ରାନ୍ତରେ ବି ଇତିହାସ ନିରବ ।
ଏହି ଯୁଦ୍ଧରେ ଏକ ଲକ୍ଷ କଳିଙ୍ଗ ସୈନିକଙ୍କୁ ଅଶୋକ ସେନାବାହିନୀ ହତ୍ୟା କରିଥିଲେ । ପ୍ରାୟ ଦେଢ ଲକ୍ଷ କଳିଙ୍ଗ ସୈନିକ ଆହତ ହୋଇଥିଲେ ଏବଂ ଲକ୍ଷାଧିକଙ୍କୁ ବନ୍ଦୀ କରି ଅଶୋକ ପାଟଳିପୁତ୍ର ନେଇଥିବା କୁହାଯାଏ । ଦୁଇ ହଜାର ବର୍ଷ ତଳେ କଳିଙ୍ଗର ସୀମା ସରହଦ କେଉଁ ପର୍ଯ୍ୟନ୍ତ ଥିଲା ଏବଂ ସେ ସମୟରେ କଳିଙ୍ଗର ଜନସଂଖ୍ୟା ଓ ସେନାବାହିନୀ ସଂଖ୍ୟା କେତେ ଥିଲା ସେ ସଂକ୍ରାନ୍ତରେ ବି କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ନାହିଁ । ଲକ୍ଷାଧିକ କଳିଙ୍ଗ ସୈନିକଙ୍କୁ ବନ୍ଦୀ କରି ଅଶୋକ ପାଟିପୁତ୍ର ପର୍ଯ୍ୟନ୍ତ କ’ଣ ଚଲାଇ ଚଲାଇ ନେଇଥିଲେ କି ବୋଲି ଏବେ ପ୍ରଶ୍ନ ଉଠୁଛି ।
ଏଠାରେ ଉଲ୍ଲେଖନୀୟ ଯେ କଳିଙ୍ଗ ବୀରଙ୍କ ସ୍ମୃତିରେ ଧଉଳିରେ ଏକ ବିଶାଳ ଶିଳାସ୍ତମ୍ଭ ସହିତ ସେଠାରେ କିମ୍ବଦନ୍ତୀ ନାୟିକା କାରୁବାକୀଙ୍କ ନାମରେ ଏକ ମନ୍ଦିର ସହିତ ସଂଗ୍ରହାଳୟ ଓ ଆମ୍ପିଥିଏଟର ନିର୍ମାଣ କରାଯିବ ବୋଲି ପ୍ରଚାର କରାଯାଉଛି । ଏ ସଂକ୍ରାନ୍ତରେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ‘ଅଶୋକଙ୍କ କଳିଙ୍ଗ ବିଜୟ ସତ୍ୟ ନା ମନଗଢା କାହାଣୀ ?’ ଶୀର୍ଷକ ଏକ ଆଲେଖ୍ୟ ଏବେ ବିତର୍କକୁ ବଢାଇଛି । ଏହାଛଡା ସଂଘ ପରିବାର ସହ ଜଡିତ ଭାଗିରଥୀ ମହାସୁଆର ଅନ୍ୟଏକ ଆଲେଖ୍ୟରେ ପ୍ରଶ୍ନ କରିଛନ୍ତି ଯେ ଲକ୍ଷେ ଲୋକ କ’ଣ ମନ୍ତ୍ରୋଚାରଣରେ ମରିଗଲେ ? ଏ ସଂକ୍ରାନ୍ତରେ କୌଣସି ପ୍ରତ୍ନତାତ୍ୱିକ ପ୍ରମାଣ ନାହିଁ । ଲକ୍ଷେ ଓଡିଆଙ୍କୁ ହତ୍ୟା କରିବାପରେ ଅଶୋକ ହଠାତ୍ କିପରି ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ହୋଇଗଲେ ଓ ସେହି ଦେବତାମାନେ କିଏ ବୋଲି ଶ୍ରୀ ମହାସୁଆର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ନିକଟରେ ଅନ୍ୟତମ ଗବେଷକ ଡକ୍ଟର ଅସିତ ମହାନ୍ତି ପ୍ରସ୍ତାବିତ କାରୁବାକି ମନ୍ଦିର ଆଦି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିବାବେଳେ ଶ୍ରୀଲଙ୍କାର ଗବେଷକ ହୁ ଇଜ୍ ଅଶୋକ ପୁସ୍ତକରେ ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ ହୋଇଥିବାର ପ୍ରମାଣ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଔପନାସିକା ପ୍ରତିଭା ରାୟ ତାଙ୍କର ଏକ ପୁସ୍ତକରେ କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା କଥାକୁ ଖଣ୍ଡନ କରିଥିବାବେଳେ କାରୁବାକୀଙ୍କୁ କିନ୍ତୁ ଦେବୀ ଆସନରେ ବସାଇଛନ୍ତି ।
ଜାତିର ଗୌରବ ପାଇଁ ଦିଗ୍ବିଜୟୀ ସମ୍ରାଟ ଖାରବେଳ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଆଦିଙ୍କୁ ସ୍ମାରକୀ ନିର୍ମାଣ ସହିତ ପାଇକ ବିଦ୍ରୋହ ସମୟରେ ଗଙ୍ଗପଡା, ପିପିଲି ଆଦି ବହୁ ସ୍ଥାନରେ ଓଡିଆ ପାଇକମାନେ ବ୍ରିଟିଶ ସେନାକୁ ପରାସ୍ତ କରିଥିବା ଏବଂ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂଙ୍କ ଠାରୁ ଜୟୀ ରାଜଗୁରୁ, କୃତିବାସୀ ପାଟ୍ଟଶାଣୀ, ବକ୍ସି ଜଗବନ୍ଧୁ ଆଦି ସଂଗ୍ରାମୀମାନଙ୍କ ଗୌରବଗାଥାକୁ ନେଇ ସ୍ମାରକୀସ୍ତମ୍ଭ ନିର୍ମାଣ କରିବା ସପକ୍ଷରେ ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି । ଯଦି କଳିଙ୍ଗ ପରାଜୟ କାହାଣୀକୁ ନେଇ ଶିଳାସ୍ତମ୍ଭ ବା ହୀରୋଷ୍ଟୋନ୍ ସ୍ଥାପନ କରାଯାଏ ତେବେ ମୋଗଲ, ଆଫଗାନ, ମରହଟ୍ଟା, ଇଂରେଜ ଆଦିଙ୍କ ଓଡିଶା ଅଧିକାର ସହିତ ଗୋହିରା ଟିକିରି ଯୁଦ୍ଧ କ୍ଷେତ୍ରକୁ କ’ଣ ଗୌରବାମଣ୍ଡିତ କରାଯିବ କି ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଉଛନ୍ତି । ତେବେ ଏ ସଂକ୍ରାନ୍ତରେ ଏଯାବତ୍ ରାଜ୍ୟ ସରକାର କିଛି ଚୂଡାନ୍ତ ନିଷ୍ପତ୍ତି ନେଇନଥିବା କୁହାଯାଉଛି । (ତଥ୍ୟ)

