Home Energy ବିଦ୍ୟୁତ୍‍ ଅଭିଯୋଗ ବ୍ୟବସ୍ଥା ଅଚଳ

ବିଦ୍ୟୁତ୍‍ ଅଭିଯୋଗ ବ୍ୟବସ୍ଥା ଅଚଳ

ଭୁବନେଶ୍ୱର : ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ବିଜୁଳି ବିଭ୍ରାଟ ଜାରି ରହିଥିବାବେଳେ ବିଜୁଳି ହିତାଧିକାରୀଙ୍କ ଅଭିଯୋଗ ଶୁଣିବାପାଇଁ ଥିବା ଟାଟା ପାୱାରର ଫୋନ୍‍ ନମ୍ବର ଅଚଳ ହୋଇ ଯାଇଛି । ଫଳରେ ଲୋକେ ଏବେ ନିଜ ନିଜ ବିଜୁଳି ସମସ୍ୟା ଜଣାଇ ପାରୁନାହାନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କାଳ ବୈଶାଖୀ ଜନିତ ବର୍ଷା ଓ ପବନ ଜାରି ରହିଛି । ଏଥିଯୋଗୁଁ ଗଛ ଉପୁଡିବା ସହିତ ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ତେବେ ଏଥିରେ ସବୁଠାରୁ ବଡ ସମସ୍ୟା ଉପୁଜିଛି ବିଜୁଳି ଯୋଗାଣକୁ ନେଇ । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା ଖୋଦ୍‍ ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ମାଡରେ ବିଜୁଳି ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଛି । ରାଜଧାନୀରେ ୧୫ ଘଣ୍ଟାରୁ ଅଧିକ ସମୟ ଧରି ବିଜୁଳି ଯୋଗାଣ ବ୍ୟାହତ ହୋଇଥିବାବେଳେ କଟକରେ ବି ଅନୁରୂପ ସ୍ଥିତି ଉପୁଜିଛି ।

କୌଣସି କାରଣରୁ ବିଜୁଳି କାଟ୍‍ ହେଲେ ଅଭିଯୋଗ ଜଣାଇବାପାଇଁ ଟାଟା ପାୱାର ପ୍ରଦାନ କରୁଥିବା ମାସିକ ବିଜୁଳି ବିଲ୍‍ରେ ଟେଲିଫୋନ୍‍ ନମ୍ବର ଜାରି କରିଛି । ଏହି ନମ୍ବର ୨୪ଘଣ୍ଟିଆ କାର୍ଯ୍ୟ କରୁଥିବା ଦର୍ଶାଯାଇଛି । ତେବେ ଗତ ଶନିବାର ଦିନ ଭୁବନେଶ୍ୱରରେ ଦୀର୍ଘ ସମୟର ବିଜୁଳି କାଟ୍‍ ପରେ ପରେ ଟିପିସିଓଡିଏଲ୍‍ର ଅଭିଯୋଗ ପ୍ରକୋଷ୍ଠ ଫୋନ୍‍ ନମ୍ବରଟି କାମ କରିନଥିଲା । ଫଳରେ ଯେଉଁ ଗ୍ରାହକମାନେ ସମସ୍ୟା ଜଣାଇବାକୁ ଚାହୁଁଛନ୍ତି ସେମାନେ ଫୋନ୍‍ ନମ୍ବର ବଦଳରେ କମ୍ପାନୀର ଆପ୍‍ ଜରିଆରେ ଜଣାଇବାକୁ ଅନୁରୋଧ କରାଯାଇଥିଲା ।

ହେଲେ ଗାଁ ଗହଳର ଲୋକେ ଆପ୍‍ ଡାଉନ୍‍ଲୋଡ କରି ସେଥିରେ ଅଭିଯୋଗ କରିବା ଏତେଟା ସହଜ ନୁହେଁ । ତିନି ଦିନ ପରେ ବି ଟାଟା ପାୱାର ପକ୍ଷରୁ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ । ବିଜୁଳି କାଟ୍‍ ସାଙ୍ଗକୁ ଗ୍ରାହକସେବା କେନ୍ଦ୍ରର ଟେଲିଫୋନ୍‍ ଅଚଳ ଏବେ ଲୋକଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଛି । କାରଣ ବିଜୁଳି କାଟ୍‍ ହେଉଥିବା ଅଞ୍ଚଳରେ କେବେ ପୁଣି ବିଜୁଳି ଯୋଗାଣ ହେବ ତାହା ହିତାଧିକାରୀମାନେ ଜାଣିପାରୁ ନାହାନ୍ତି । ଏଥି ସହିତ ଯେଉଁ ହିତାଧିକାରୀମାନଙ୍କର ବିଲ୍‍ ସଂକ୍ରାନ୍ତୀୟ ଅନ୍ୟ ଅଭିଯୋଗ ରହିଛି ସେମାନେ ମଧ୍ୟ ସିଧାସଳଖ କାହାସହ ଯୋଗାଯୋଗ କରିପାରୁ ନାହାନ୍ତି ।

ବିଦ୍ୟୁତ୍‍ ବିତରଣ ସେବାର ଘରୋଇକରଣ ହେବାପରେ ଗ୍ରାହକମାନଙ୍କୁ ଗୁଣାତ୍ମକ ବିଜୁଳି ମିଳିବ ବୋଲି କୁହାଯାଇଥିଲା । ଏଥିପାଇଁ ଭିତ୍ତିଭୂମି ବିକାଶ ପାଇଁ କାପେକ୍ସ ସମେତ ଅନ୍ୟାନ୍ୟ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହୋଇଥିଲା । ହେଲେ ଖୋଦ୍‍ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ କେଉଁ ଘଣ୍ଟାର କାଳବୈଶାଖୀ ବର୍ଷା ଓ ପବନ ବିଦ୍ୟୁତ୍‍ ବିତରଣ ସଂସ୍ଥାର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ଭାରତୀୟ ପାଣିପାଗ ବିଭାଗ କାଳବୈଶାଖୀ ବର୍ଷା ପବନ ସଂକ୍ରାନ୍ତରେ ଢେର ପୂର୍ବରୁ ସତର୍କସୂଚନା ପ୍ରଦାନ କରୁଥିବାବେଳେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ କାହିଁକି ଏଥିପାଇଁ ପ୍ରସ୍ତୁତ ରହୁନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)