Home News in Odia ଦିଶୁ ନାହାନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

ଦିଶୁ ନାହାନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ବିଭିନ୍ନ ଉପନିର୍ବାଚନ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ବିଜେପି ପାଇଁ ଦମଦାର ପ୍ରଚାର କରୁଥିବା ଓଡିଶାର ଦୁଇଜଣ ଯାକ କେନ୍ଦ୍ରମନ୍ତ୍ରୀଙ୍କୁ ଏଥର ଲୋକସଭା ଓ ବିଧାନସଭାକୁ ନିର୍ବାଚନ ପ୍ରଚାର ଅଭିଯାନରେ ଦେଖିବାକୁ ମିଳୁନାହିଁ ।

ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୧୦ବର୍ଷ ଧରି ନରେନ୍ଦ୍ରମୋଦୀଙ୍କ ସରକାରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବିଜେପି ନେତାମାନଙ୍କ ମଧ୍ୟରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ସବୁଠାରୁ ଅଧିକ ସକ୍ରିୟ ଅଛନ୍ତି । କେତେବେଳେ ହେଲିକାପ୍ଟରରେ ତ ଆଉ କେତେବେଳେ ସଡକପଥରେ ସେ ନିଜ ଲୋକସଭା କ୍ଷେତ୍ର ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ଦମଦାର ପ୍ରଚାର କରୁଥିବାବେଳେ ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କିନ୍ତୁ ଦେଖିବାକୁ ମିଳୁନାହିଁ ।

ବିଜେଡି ସମର୍ଥନରେ ଦୁଇ ଦୁଇଥର ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ରେଳ ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ ଗତ ୫ବର୍ଷ ଧରି ଓଡିଶାରେ ହୋଇଥିବା ପ୍ରାୟ ସବୁ ନିର୍ବାଚନରେ ସକ୍ରିୟ ଭୂମିକା ନିଭାଇଥିବାବେଳେ ଏଥର କିନ୍ତୁ ଶ୍ରୀ ବୈଷ୍ଣବଙ୍କୁ ପ୍ରାୟତଃ କୌଣସି ନିର୍ବାଚନୀ ପ୍ରଚାର ଅଭିଯାନରେ ଦେଖିବାକୁ ମିଳୁନାହିଁ ।

ସେହିଭଳି ବିଜେପି ଟିକଟରେ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରୁ ବିଜୟୀ ହୋଇ ମୋଦୀଙ୍କ ସରକାରରେ ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଥିବା ଇଞ୍ଜିନିୟର ବିଶେଶ୍ୱର ଟୁଡୁଙ୍କୁ ଏଥର ବିଜେପି କୌଣସି କାରଣରୁ ଲୋକସଭା କିମ୍ବା କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ କରିନାହିଁ । ଏବେ ସେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ମଧ୍ୟ ତାଙ୍କ ଜିଲ୍ଲା ବାହାରେ ଅନ୍ୟ କୌଣସି ସ୍ଥାନରେ ପ୍ରଚାର ଅଭିଯାନରେ ତାଙ୍କୁ ବି ଦେଖିବାକୁ ମିଳୁନାହିଁ । ଅବଶ୍ୟ ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ହଟାଇ ତାଙ୍କ ସ୍ଥାନରେ ମନ୍ତ୍ରୀ ହେବା କ୍ଷେତ୍ରରେ ଶ୍ରୀ ଟୁଡୁ ସଫଳ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ନଥିଲେ ମଧ୍ୟ ଶ୍ରୀ ଷଡଙ୍ଗୀଙ୍କୁ ତାଙ୍କ ଲୋକସଭା କ୍ଷେତ୍ର ବାଲେଶ୍ୱରରୁ ବିଜେପି ପୁଣି ଥରେ ନିର୍ବାଚନ ଲଢିବାର ସୁଯୋଗ ଦେଇଛି । ଶ୍ରୀ ଷଡଙ୍ଗୀ ବାଲେଶ୍ୱର ଲୋକସଭା କ୍ଷେତ୍ର ସହିତ ଏହା ଅର୍ନ୍ତଗତ ସାତଟି ଯାକ ବିଧାନସଭା କ୍ଷେତ୍ରରେ ଧୂଆଁଧାର ପ୍ରଚାରରେ ମାତିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିରୁ ବହୁ କେନ୍ଦ୍ରୀୟ ନେତା ଷ୍ଟାର ପ୍ରଚାରକ ଭାବେ ଓଡିଶାକୁ ଛୁଟୁଛନ୍ତି ।

ଅନ୍ୟ ପକ୍ଷରେ ବିଜେଡିର ପ୍ରଚାର ଅଭିଯାନ ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ ପ୍ରଚାରର ମଙ୍ଗ ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିଛନ୍ତି । ତାଙ୍କ ସହ ସମସ୍ତ ନିର୍ବାଚନୀ ସଭାରେ ବିଜେଡିର ଅନ୍ୟତମ ଷ୍ଟାର ପ୍ରଚାରକ ଭି.କେ.ପାଣ୍ଡିଆନ ଉପସ୍ଥିତ ରହୁଛନ୍ତି । ଶ୍ରୀ ପାଣ୍ଡିଆନ ବି ଏକାକୀ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ରୋଡ ସୋ ଠାରୁ ଆରମ୍ଭ କରି ସାଧାରଣ ସଭା ଆଦିରେ ଭାଷଣ ଦେଉଛନ୍ତି । ତାଙ୍କ ତୋଫାନି ଗସ୍ତ ଉପରେ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନଙ୍କ ନଜର ରହିଛି ।

କଂଗ୍ରେସ ମଧ୍ୟ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲିକାର୍ଜୁନ ଖଡ୍‍ଗେଙ୍କ ସମତେ ଦଳର ବହୁ ଜାତୀୟ ରାଜ୍ୟସ୍ତରୀୟ ନେତା ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ନିର୍ବାଚନମଣ୍ଡଳୀଗୁଡିକରେ ଦଳୀୟ ପ୍ରାର୍ଥୀ ଓ ସ୍ଥାନୀୟ ନେତାମାନେ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବାବେଳେ ଷ୍ଟାର ପ୍ରଚାରକମାନଙ୍କ ଧମାକା ଏଯାବତ୍‍ ଦେଖିବାକୁ ମିଳୁନାହିଁ । ଖୁବ୍‍ଶୀଘ୍ର କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଧୂଆଁଧାର ପ୍ରଚାର କରିବେ ବୋଲି କୁହାଯାଉଛି । (ତଥ୍ୟ)