Home Election ଏଥର ପୁସିଂକାର୍ଡକୁ ଗୁରୁତ୍ୱ

ଏଥର ପୁସିଂକାର୍ଡକୁ ଗୁରୁତ୍ୱ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ସଭା ଶୋଭାଯାତ୍ରା ସହିତ ଘରକୁ ଘର ବୁଲି ପ୍ରଚାରରେ ମାତିଛନ୍ତି । ଫଳରେ ଚଳିତ ନିର୍ବାଚନରେ ବଡ ବଡ ପୋଷ୍ଟର ବନ୍ୟାନର ବଦଳରେ କଲେଜ ନିର୍ବାଚନ ଢାଞ୍ଚାରେ ଛୋଟ ଛୋଟ ପୁସିଂ କାର୍ଡ ଓ ଷ୍ଟିକର ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାର ଚାହିଦା ଏବେ ଢେର ବଢିଯାଇଛି ।

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିବାକୁ ହାତରେ ଆଉ ମାତ୍ର ତିନି ଦିନ ରହିଛି । ପ୍ରଥମ ପର୍ଯ୍ୟାୟ ମତଦାନ ମଇ ୧୩ ତାରିଖରେ ହେବ । ତେଣୁ ସବୁ ପ୍ରାର୍ଥୀ ଏବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଖରା ଓ ଗରମକୁ ଖାତିର ନକରି ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି । ଏଥିପାଇଁ ହାତରେ ପୁସିଂକାର୍ଡ ଧରି ଯାଉଛନ୍ତି । ଲୋକଙ୍କ ହାତରେ ନିଜର ପ୍ରଚାର ସାମଗ୍ରୀ ଧରାଇ ଜୁହାର ହୋଇ ଭୋଟଭିକ୍ଷା କରୁଛନ୍ତି ।

ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ସମୟ ସାପେକ୍ଷ ହୋଇଥିବାରୁ ଚଳିତ ର୍ନିବାଚନରେ କେତେକ ପ୍ରାର୍ଥୀଙ୍କ ପତ୍ନୀ, ଭଉଣୀ ଓ ସମ୍ପର୍କୀୟମାନେ ଘରକୁ ଘର ପ୍ରଚାରର ମଙ୍ଗ ଧରିଛନ୍ତି । ସେମାନେ ମଧ୍ୟରେ ସାଥିରେ କିଛି ସମର୍ଥକୁ ନେଇ ଯାଇ ସିଧାସଳଖ ଲୋକଙ୍କୁ ଭେଟ ଭୋଟଭିକ୍ଷା କରୁଛନ୍ତି । ତେବେ ପୂର୍ବରୁ ଯେଭଳି କାନ୍ଥ ବାଡ ଓ ଗଛ ଆଦିରେ ବଡ ବଡ ପୋଷ୍ଟର ଲାଗୁଥିଲା ତାହା ବଦଳରେ ପ୍ରାର୍ଥୀମାନେ ସୁନ୍ଦର ସୁନ୍ଦର ପୁସିଂକାର୍ଡ ଲୋକଙ୍କ ହାତରେ ଧରାଉଛନ୍ତି । କେତେକ ଏହାକୁ ଭୋଟରଙ୍କ କାନ୍ଥ କିମ୍ବା କବାଟରେ ଷ୍ଟିକର ଆକାରରେ ମାରୁଥିବା ଲକ୍ଷ୍ୟ କରାଯାଉଛି ।

ତେଣୁ ଚଳିତ ନିର୍ବାଚନରେ ଏଭଳି ରଙ୍ଗ ବେରଙ୍ଗର କାର୍ଡର ଚାହିଦା ଢେର ବଢିଥିବାବେଳେ ପ୍ରାର୍ଥୀଙ୍କ ପୋଷ୍ଟର ବ୍ୟାନର ଖର୍ଚ୍ଚ କିନ୍ତୁ କିଛିଟା ହ୍ରାସ ପାଇଛି । ବଡ ବଡ ପୋଷ୍ଟର, ବ୍ୟାନର ଓ ଫ୍ଲେକ୍ସ ଆଦିରେ ଯେତେ ଅର୍ଥ ଖର୍ଚ୍ଚ ହେଉଥିଲା ତାହାଠାରୁ କମ୍‍ ଖର୍ଚ୍ଚରେ ଭୋଟରଙ୍କ ମନକୁ ଛୁଇଁଲା ଭଳି ପୁସିଂକାର୍ଡ ପ୍ରସ୍ତୁତ ହେଉଛି । ଭୋଟରମାନେ ମଧ୍ୟ ଏହାକୁ ସହଜରେ ନିଜ ପାଖରେ ରଖିପାରୁଛନ୍ତି ।

ବଡ ବଡ ନେତାମାନେ ଯେଉଁସବୁ ସ୍ଥାନରେ ସଭାମାନ କରୁଛନ୍ତି ସେଠାରେ ଏବେ ଦଳୀୟ ଚିହ୍ନ ଥିବା ଛୋଟ ଛୋଟ କାର୍ଡ ଉଡାଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଏଭଳି କାର୍ଡ ପ୍ରସ୍ତୁତି ପାଇଁ ଏବେ ପ୍ରେସ୍‍ଗୁଡିକୁ ବ୍ୟାପକ କାମ ବରାଦ ଦିଆଯାଉଛି । ହାତରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ସମୟ ଥିବାରୁ ଆଗାମୀ ଦିନରେ ପୁସିଂକାର୍ଡର ଚାହିଦା ଆହୁରି ବଢିବ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ଯେ ପୂର୍ବ ନିର୍ବାଚନଗୁଡିକରେ ବଡ ବଡ ପୋଷ୍ଟର ବ୍ୟାନର ସବୁ ରାଜ୍ୟ ବାହାରୁ ପ୍ରସ୍ତୁତ ହୋଇ ଆସୁଥିବାବେଳେ ଚଳିତ ନିର୍ବାଚନରେ ସେଥିରେ ହ୍ରାସ ପରିଲକ୍ଷିତ ହୋଇଛି । ଦଳ ଓ ପ୍ରାର୍ଥୀମାନେ ରାଜ୍ୟ ବାହାରୁ ଟ୍ରକ ଟ୍ରକ ବଡ ବଡ ପ୍ରଚାର ସାମଗ୍ରୀ ଆଣିବା ପରିବର୍ତ୍ତେ ସ୍ଥାନୀୟ ଛାପାଖାନାରେ ନିଜ ମନ ପସନ୍ଦର ଛୋଟ ଛୋଟ କାର୍ଡ ଛପେଇ ଭୋଟର ହାତରେ ଧରାଇବାକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)