ଭୁବନେଶ୍ୱର : କେବଳ ଅର୍ଥ ଦଣ୍ଡ ନୁହେଁ, ବାସପୋଯୋଗୀ ଜମି ଓ ବାସଗୃହ ଯୋଗାଣ କ୍ଷେତ୍ରରେ ଯେଉଁ ବେସରକାରୀ ସଂସ୍ଥାମାନେ ଲୋକଙ୍କୁ ଠକୁଛନ୍ତି ସେମାନଙ୍କ ପ୍ରତି ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଜୋରିମାନା ସହ କାରାଦଣ୍ଡ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ଘର ଖଣ୍ଡିଏ ପାଇଁ ରିଅଲ ଇଷ୍ଟେଟ କିମ୍ବା ବିଲଡରମାନଙ୍କ ଉପରେ ବହୁ ଲୋକ ନିର୍ଭର କରନ୍ତି । ଏମାନଙ୍କ ମଧ୍ୟରୁ କେତେକ ସଚ୍ଚୋଟତାର ସହ କାମକରି ପ୍ରତିଶ୍ରୁତି ମୁତାବକ ଓ ଆଇନାନୁମୋଦିତ ପନ୍ଥାରେ ଘର ଓ ବାସପୋଯୋଗୀ ପ୍ଲଟ୍ ଯୋଗାଣ କରୁଥିବା ବେଳେ ଅଧିକାଂଶ କ୍ଷେତ୍ରରେ କିନ୍ତୁ ତାହାର ଖୋଲା ଉଲ୍ଲଂଘନ କରାଯାଉଥିବାରୁ ବହୁ କ୍ରେତା ଠକାମିର ଶିକାର ହେଉଛନ୍ତି ।
ଆପାର୍ଟମେଣ୍ଟ, ଡୁପ୍ଲେକ୍ସ, ସିମ୍ପେକ୍ସ ଆଦିର ରଙ୍ଗିନ ନକ୍ସା ସହ ଘରେ କ’ଣ କ’ଣ ସବୁ ବ୍ୟବସ୍ଥା ରହିବ ଏବଂ ପରିସର ଭିତରେ ଗାଡି ପାର୍କିଂସ୍ଥଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯେତେଯାହା ଯୋଗାଇ ଦେବା ଲାଗି ବିଜ୍ଞାପନ ଓ ବ୍ରୋଚରରେ ଆକର୍ଷଣୀୟ ଭାବେ ଉଲ୍ଲେଖ କରାଯାଉଛି ସେଥିରୁ ଅଧିକାଂଶ ସୁବିଧା ବହୁ କ୍ଷେତ୍ରରେ କ୍ରେତାଙ୍କୁ ମିଳୁନାହିଁ ।
ଏମିତିକି ଏହି ପ୍ରକଳ୍ପ ପାଇଁ ଯେଉଁମାନଙ୍କଠାରୁ ଜମି ନିଆଯାଉଛି ସେମାନଙ୍କ ମଧ୍ୟରୁ ଅନେକ ଚୁକ୍ତି ମୁତାବକ ଘର କି ଅର୍ଥ ପାଉନାହାନ୍ତି । ଅଧିକାର ସାବ୍ୟସ୍ତ ପାଇଁ ଦାବି କଲେ ବହୁ କ୍ଷେତ୍ରରେ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ପ୍ରୟୋଗ କରାଯାଉଛି । କେବଳ ସେତିକି ନୁହେଁ, ଘର ଦେବା ପାଇଁ ଅଗ୍ରୀମ ଟଙ୍କା ନେଇ ବହୁ ନାମୀଦାମୀ ବିଲଡର ସଂସ୍ଥା ମଧ୍ୟ ଲୁଚକାଳି ଖେଳ ଖେଳୁଛନ୍ତି ।
ଏଥିଯୋଗୁଁ ଜୀବନସାରା ପରିଶ୍ରମ କରି ଯେଉଁମାନେ ଝାଳବୁହା ଧନ ସଞ୍ଚୟ କରି ଘର ଖଣ୍ଡିଏ ପାଇଁ ଟଙ୍କା ଖଟାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିରାଶ ହେବା ସହ ଗୁଣ୍ଡାଗର୍ଦ୍ଦିର ମଧ୍ୟ ଶିକାର ହେବା ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । ରାଜଧାନୀ ଉପକଣ୍ଠରେ ଏହା ଏକ ପ୍ରଥାରେ ପଡିଗଲାଣି ।
ଏଭଳି ଅସାଧୁ ରିୟଲ ଇଷ୍ଟେଟ ଓ ବିଲଡର ସଂସ୍ଥା ପାଇଁ ଲୋକଙ୍କ ମନରେ ବଢ଼ି ଚାଲୁଥିବା ସନ୍ଦେହ ଯୋଗୁଁ ନିଷ୍ଠାପର ସଂସ୍ଥାମାନେ କ୍ଷତିଗ୍ରସ୍ତ ବି ହେଉଛନ୍ତି । ଅନେକ କ୍ଷେତ୍ରରେ ଅସାଧୁ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ପ୍ଲାନ ଅନୁମୋଦନ କରାଇବା ସହ ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ କଟକଣାକୁ ଖୋଲା ଉଲ୍ଲଂଘନ କରି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ କରାଯିବା ଫଳରେ ଆଖପାଖର ସ୍ଥାୟୀ ବାସିନ୍ଦାମାନେ ଅନେକ କ୍ଷେତ୍ରରେ ବିପଦଜନକ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଅସାଧୁ ରିୟଲ ଇଷ୍ଟେଟ ଓ ବିଲଡର ସଂସ୍ଥାମାନଙ୍କ ଦାଦାଗିରି ନିୟନ୍ତ୍ରଣ ପାଇଁ ୨୦୧୭ ମସିହାରୁ ରେରା ଆଇନ ଲାଗୁ ହୋଇଛି । କେତେକ କ୍ଷେତ୍ରରେ ରେରା କର୍ତ୍ତୃପକ୍ଷ ବିଚାରକରି ଅବଶ୍ୟ ଆର୍ଥିକ ଦଣ୍ଡବିଧାନ କରୁଛନ୍ତି । କିନ୍ତୁ ଆଇନ ଉଲ୍ଲଂଘନକାରୀ ବେପାରୀମାନେ ଏହାକୁ ମୌକା ଭାବେ ଗ୍ରହଣ କରିନେଇ ଅର୍ଥଦଣ୍ଡ ପୈଠ କରିବା ପରେ ପୁଣି ସେମାନଙ୍କ ଦାଦାଗିରି ଚଳାଉଛନ୍ତି ।
ନିକଟ ଅତୀତରେ ଉତ୍ତରପ୍ରଦେଶର ନୋଏଡାଠାରେ ପ୍ରାୟ ୫ଶହ କୋଟି ଟଙ୍କା ମୂଲ୍ୟର ଦୁଇଟି ବହୁତଳ ବିଶିଷ୍ଟ ଅଟ୍ଟାଳିକାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏଠାରେ ନିୟମ ବହିର୍ଭୁତ ନିର୍ମାଣ ଯୋଗୁଁ ଲୋକେ ମୁକ୍ତ ପବନ ପାଇବାରୁ ବଞ୍ଚିତ ହେଉଥିଲେ । ଏହା ପୂର୍ବରୁ କେରଳରେ ମଧ୍ୟ ଅନୁରୂପ ଭାବେ କେତେକ ବେଆଇନ ବହୁତଳ ଆପାର୍ଟମେଣ୍ଟକୁ ଭଙ୍ଗା ଯାଇଥିଲା । ଗୁଜରାଟ ଭଳି ରାଜ୍ୟରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କାରାଦଣ୍ଡର ବ୍ୟବସ୍ଥା ରହିଛି ।
ଯେଉଁସବୁ କ୍ଷେତ୍ରରେ ନିୟମ ବହିର୍ଭୁତ ପ୍ଲାନ୍ ଅନୁମୋଦନ ହେଉଛି ସେଗୁଡିକୁ ନୋଏଡାର ଆପାର୍ଟମେଣ୍ଟ ଭଳି ଭାଙ୍ଗି ଦେବା ପାଇଁ ଏବେ ବିଭିନ୍ନ ମହଲରୁ ଦାବି ଉଠୁଛି । ଏହାଛଡା ଏଭଳି ବେଆଇନ ନିର୍ମାଣକାରୀ ଓ ଠକମାନଙ୍କ ଲାଗି ସମ୍ପତ୍ତି ବାଜ୍ୟାପ୍ତି ସହ କାରାଦଣ୍ଡ ବ୍ୟବସ୍ଥା ପାଇଁ ମଧ୍ୟ ଦାବି ଉଠୁଛି । ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଶତାଧିକ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଭୁବନେଶ୍ୱର ବିଡିଏ ଓ ଅନ୍ୟ ସରକାରୀ ସଂସ୍ଥାମାନେ ତାହା ତୁରନ୍ତ କାର୍ଯ୍ୟକାରୀ କରିପାରୁ ନାହାନ୍ତି । (ତଥ୍ୟ)